ବିଶ୍ଵଜିତ ସାହୁ

ଐତିହ୍ୟର ସହର କଟକ। ହଜାରେ ବର୍ଷର ଇତିହାସ ଭିତରେ ଏ ସହର ସାଇତିଛି ଅନେକ ପୃଷ୍ଠା। ସେହିଭଳି ଏକ ପୃଷ୍ଠା ହେଉଛି ‘ସତୀଚଉରା’। ଏହା କଟକ ସହରର ସର୍ବପୁରାତନ ଶ୍ମଶାନ। ଏହିଠାରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଶରୀର ପଞ୍ଚଭୂତରେ ବିଲୀନ ହୋଇଛି, ଆଉ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଢ଼ାଯାଇଛି ସମାଧି ବା ସ୍ମୃତିସ୍ତମ୍ଭ।କଟକ ସହରର ସର୍ବପୁରାତନ ଶ୍ମଶାନ

ହଜାରେ ବର୍ଷ ପୂର୍ବେ ଯେତେବେଳେ କଟକରେ ଜନ ସଭ୍ୟତାର ଆରମ୍ଭ ହୋଇଥିଲା, ସେହି ସମୟରେ ସତୀଚଉରା ଶ୍ମଶାନର ଉତ୍ପତି ହୋଇଥିବା ବିଶ୍ଵାସ କରାଯାଏ। କାଠଯୋଡ଼ି ନଦୀ କୂଳରେ ହିଁ ଏହି ଶ୍ମାଶାନ ରହିଥିଲା। ମାତ୍ର ଅଭିନବ ବିଡାନାସୀ ଗଢ଼ାହେବା ପରେ ସତୀଚଉରା କାଠଯୋଡ଼ି କୂଳରୁ ଦୂରେଇ ଯାଇ କଟକ ସହରର ଜନସଙ୍କୀର୍ଣ୍ଣ ସ୍ଥାନ ଆଡ଼କୁ ରହିଗଲା। ଅର୍ଥାତ୍ ଏବେର ସିଡିଏ ନିକଟରେ ରହିଛି ସତୀଚଉରା ଶ୍ମଶାନ।ସତୀଦାହ ପ୍ରଥା ପାଇଁ ଶ୍ମଶାନର ନାମସତୀଚଉରା

ଓଡ଼ିଶାରେ କିଛିଦିନ ଧରି ମରାଠୀ ଏବଂ ରାଜପୁତମାନଙ୍କ ଶାସନ ଚାଲିଥିଲା। ସେହି ସମୟରେ ମୋଗଲମାନେ ମଧ୍ୟ ଓଡ଼ିଶାକୁ ପ୍ରବେଶ କରିଥିଲେ। ମରାଠୀ ଏବଂ ରାଜପୁତ ବୀରମାନଙ୍କୁ ଯୁଦ୍ଧରେ ପରାସ୍ତ କରି ସେମାନଙ୍କ ପତ୍ନୀମାନଙ୍କୁ ମୋଗଲମାନେ ବଳପୂର୍ବକ ବିବାହ କରୁଥିଲେ। ମୋଗଲମାନଙ୍କ ନିର୍ଯାତନାରୁ ବର୍ତ୍ତିବା ପାଇଁ ସ୍ଵାମୀଙ୍କ ମୃତ୍ୟୁ ପରେ ହିନ୍ଦୁ ନାରୀମାନେ ସ୍ଵାମୀଙ୍କ ଚିତାରେ ଝାସ ଦେଉଥିଲେ ବା ସତୀ ହେଉଥିଲେ। ସତୀଚଉରା ଶ୍ମଶାନରେ ମଧ୍ୟ ସେହିଭଳି କିଛି ନାରୀ ସତୀ ହୋଇଥିବାର ଲୋକକଥା ରହିଛି, ଆଉ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ସେଠାରେ ଚଉରା ମଧ୍ୟ ନିର୍ମାଣ କରାଯାଉଥିଲା। ଏହି କାରଣରୁ ଶ୍ମଶାନର ନାମକରଣ ସତୀଚଉରା ହୋଇଥିବା ବିଶ୍ଵାସ କରାଯାଏ।ସତୀଶ୍ଵରୀ ଦେବୀଙ୍କ ନାମରେ ଶ୍ମଶାନର ନାମକରଣ

ସତୀଚଉରାର ନାମକରଣ ବାବଦରେ ଇତିହାସରେ କିଛି ପୂର୍ଣ୍ଣ ତଥ୍ୟ ନାହିଁ। ତେଣୁ କିଛି ଲୋକକଥାକୁ ଆଧାର କରି ଯଦି ଏହାର ନାମକରଣ ପଛର କାରଣ ଖୋଜାଯାଏ ତେବେ ଜାଣିବାକୁ ମିଳେ ଯେ, ପ୍ରତାପରୁଦ୍ର ଦେବଙ୍କ ଶାସନକାଳରେ ବାରବାଟୀ ଗଡ଼ ଭିତରୁ ସତୀଚଉରା ନିକଟକୁ ଏକ ଗୁପ୍ତ ସୁଡ଼ଙ୍ଗ ବା ଗୁମ୍ଫା ରହିଥିଲା। ଶତ୍ରୁ ଆକ୍ରମଣ ସମୟରେ ଏହି ସୁଡ଼ଙ୍ଗ ଦେଇ ସେନାବାହିନୀ ଗଡ଼କୁ ରକ୍ଷା କରୁଥିଲେ। ଏହି ସୁଡ଼ଙ୍ଗ ପାଖରେ ରହିଛି ସତୀଶ୍ଵରୀ ଦେବୀଙ୍କ ମନ୍ଦିର। ତେଣୁ ସତୀଶ୍ଵରୀ ଦେବୀଙ୍କ ନାମଅନୁସାରେ ଶ୍ମଶାନର ନାମକରଣ ସତୀଚଉରା ହୋଇଥିବା ମଧ୍ୟ କୁହାଯାଏ। ଏବେ ମଧ୍ୟ ରିଂବନ୍ଧ ଦେଇ ବିଡ଼ାନାସୀ ଯିବା ରାସ୍ତାରେ ସତୀଚଉରା ଶ୍ମଶାନର କିଛିବାଟ ଆଗରେ ସତୀଶ୍ଵରୀ ଦେବୀଙ୍କ ମନ୍ଦିର ଦେଖିବାକୁ ମିଳେ।ବହୁ ସାହିତ୍ୟିକଙ୍କ ଶେଷ ବିଶ୍ରାମସ୍ଥଳସତୀଚଉରା

ସତୀଚଉରା ଶ୍ମଶାନ କଟକ ସହରର ଐତିହ୍ୟରେ ଏକ ସ୍ଵତନ୍ତ୍ର ସ୍ଥାନ ବହନ କରେ। କାରଣ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ଶରୀର ଏହି ଶ୍ମଶାନରେ ହିଁ ପଞ୍ଚଭୂତରେ ବିଲୀନ ହୋଇଛି। ସତୀଚଉରା କୋଳରେ ଶେଷବିଶ୍ରାମ ନେଇଥିବା ବ୍ୟକ୍ତିତ୍ଵମାନଙ୍କ ମଧ୍ୟରେ ରହିଛନ୍ତି ସାମ୍ୟବାଦର ପ୍ରମୁଖ ପ୍ରବକ୍ତା ଗାଳ୍ପିକ ଭଗବତୀ ଚରଣ ପାଣିଗ୍ରାହୀ, ମାଟିର ମଣିଷ ପଦ୍ମଭୂଷଣ ଡକ୍ଟର କାଳିନ୍ଦୀ ଚରଣ ପାଣିଗ୍ରାହୀ, ଭକ୍ତକବି ମଧୁସୂଦନ ରାଓ, କବିବର ରାଧାନାଥ ରାୟ, ପଲ୍ଲୀକବି ନନ୍ଦକିଶୋର ବଳ, ବିଶିଷ୍ଟ ସାହିତ୍ୟିକ ଆର୍ତ୍ତବଲ୍ଲଭ ମହାନ୍ତି, ବିଶିଷ୍ଟ ସାହିତ୍ୟିକ ଏବଂ ସାମ୍ବାଦିକ ବିଚିତ୍ରାନନ୍ଦ କର, କଥାକାର ସୁରେନ୍ଦ୍ର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ଗୋପାଳଚନ୍ଦ୍ର ପ୍ରହରାଜ, ମାଟିର ମହାକବି ସଚ୍ଚିଦାନନ୍ଦ ରାଉତରାୟ।ସେହିପରି ଓଡ଼ିଆ ସଙ୍ଗୀତ ଜଗତର ବେତାଜ୍‌ ବାଦ୍‌ଶାହ ଅକ୍ଷୟ ମହାନ୍ତି (ଆର୍ଯ୍ୟ ଦାସ), ଜ୍ଞାନମଣ୍ଡଳର ପ୍ରଣେତା ବିନୋଦ କାନୁନଗୋ, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଏବଂ କବି ଅନନ୍ତ ପଟ୍ଟନାୟକ, ଢେଙ୍କାନାଳ ପ୍ରଜା ଆନ୍ଦୋଳନର ସୂତ୍ରଧର ତଥା ଗଡ଼ଜାତ ଗନ୍ଧୀ ସାରଙ୍ଗଧର ଦାସ, ଓଡ଼ିଆ ସିନେ ଜଗତର କିମ୍ଵଦନ୍ତୀ ଅଭିନେତା ଗୌର ପ୍ରସାଦ ଘୋଷ, ଅଭିନେତ୍ରୀ ପାର୍ବତୀ ଘୋଷ, ଇଞ୍ଜିନିୟର ଭୁବନାନନ୍ଦ ଦାସ (ବୋସ୍ କଲେଜର ପ୍ରତିଷ୍ଠାତା), ଭାରତୀୟ ବାୟୁସେନାର ପ୍ରଥମ ଓଡ଼ିଆ ପାଇଲଟ୍ କୁମାର ସଚ୍ଚିଦାନନ୍ଦ ଭୂୟାଁ, ବିଜୁବାବୁଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ସାମ୍ଵାଦିକ ବାଳକୃଷ୍ଣ କର, ବାଗ୍ମୀ ବିଶ୍ଵନାଥ କର, ପ୍ରାବନ୍ଧିକ ଶଶିଭୂଷଣ ରାୟ, ଜଷ୍ଟିସ ରାଜକିଶୋର ଦାସ, ଯୁଗଳ କିଶୋର ମହାନ୍ତି, ରାଧାଚରଣ ପଟ୍ଟନାୟକ, ଅଭିନେତା ହର ପଟ୍ଟନାୟକ, ଅଭିନେତା ମିହିର ଦାସ ପ୍ରମୁଖ।

Tags: #Satichaura #Cuttack #MilleniumCityCuttack #SilverCity #ସତୀଚଉରା #କଟକ #ସତୀଚଉରାଶ୍ମଶାନ #ଶ୍ମଶାନ

Comment