ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଭିନୟରେ ରାଇମୋହନଙ୍କ ଦୀର୍ଘବର୍ଷର ଅନୁଭୂତି ଓ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭର ସ୍ୱତନ୍ତ୍ର ସାକ୍ଷାତକାର।

ଓଲିଉଡ ସିନେ ଜଗତର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା କ୍ୟାରିୟର ଆରମ୍ଭ ସମୟରେ ଅନେକ ସଂଘର୍ଷର ସାମ୍ନା କରିଥିଲେ। ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଢ଼ିଲା ବେଳେ ତାଙ୍କ ପାଖରେ ପଇସା ନଥିଲା, ସେଥିପାଇଁ କେତେ ରାତି ତାଙ୍କର ଉପାସରେ କଟିଥିଲା। ଅନେକ ସଂଘର୍ଷ କରିବା ପରେ ରାଇମୋହନ ପାଲଟିଗଲେ ସିନେ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଜଣେ ଅଭିନେତା। ଓଡ଼ିଶାଲାଇଭକୁ ଦେଇଥିବା ସାକ୍ଷାତକାରରେ ନିଜ ଅତୀତକୁ ଏଭଳି ମନେ ପକାଇଛନ୍ତି ରାଇମୋହନ ପରିଡ଼ା।

ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା। କେତେବେଳେ ସେ ନାଗିନା ତ ଆଉ କେତେବେଳେ ଚାମୁଣ୍ଡା। ଏମିତି ପ୍ରାୟ ୧୦୦ରୁ ଅଧିକ ଓଡ଼ିଆ ଫିଲ୍ମରେ ରହିଛି ତାଙ୍କ ଅଭିନୟର ଛିଟା। ସେହିପରି ୧୫ରୁ ଅଧିକ ବଙ୍ଗଳା ଫିଲ୍ମ, ୪୦ରୁ ଅଧିକ ଯାତ୍ରା ସହିତ ସେ ଦର୍ଶକଙ୍କୁ ଦେଇଛନ୍ତି ଅନେକ ହାଇ ଭୋଲଟେଜ୍ ଡ୍ରାମା।

ରାଇମୋହନ ପରିଡ଼ା ୧୯୬୩, ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମ ହୋଇଥିଲେ। ପିଲାବେଳୁ ହିଁ ତାଙ୍କର ଅଭିନୟ ପ୍ରତି ଦୁର୍ବଳତା ରହିଥିଲା। ତା’ପରେ ସ୍କୁଲ ଓ କଲେଜରେ ପଢ଼ିବା ବେଳେ ନାଟକରେ ଭାଗ ନେଉଥିଲେ। ତାଙ୍କର ଅଭିନୟ ପ୍ରତି ଭଲ ପାଇବା ଦେଖି ତାଙ୍କ ବାପା ତାଙ୍କୁ ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳକୁ ପଠାଇଥିଲେ। ଏହାପରେ ରାଇମୋହନଙ୍କର ବିଧିବଦ୍ଧ ଭାବେ ଅଭିନୟ ଜୀବନ ଆରମ୍ଭ ହୋଇଥିଲା।  ଫିଲ୍ମ, ସିରିଏଲ, ଡ୍ରାମା, ମେଗା ସିରିଏଲ ଆଦିରେ ଅଭିନୟ କରି ଆଜି ଏକ ଭିନ୍ନ ଛାପ ଛାଡ଼ିଛନ୍ତି ସେ।

‘ସାଗର’ ଫିଲ୍ମରୁ ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ଏହାପରେ ୧୯୯୧-୯୨ରେ ସେ ପ୍ରଥମେ ଅଭିନେତା ଅଶ୍ରୁମୋଚନଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ତାଙ୍କୁ ଓଲିଉଡର ସୋ’ମ୍ୟାନ୍‌ ପ୍ରଶାନ୍ତ ନନ୍ଦଙ୍କ ଫିଲ୍ମ ‘ପକା କମ୍ବଳ ପୋତ ଛତା’ରେ ସେ ଅଫର ପାଇଥିଲେ।

‘‘ଆଜି ଯାଏଁ ମୁଁ ଅନେକ ଫିଲ୍ମରେ କାମ କରିଛି। କିନ୍ତୁ ‘କୋଟିଏ ମଣିଷ ଗୋଟିଏ ଜଗା’ ଫିଲ୍ମର ନାଗା ଚରିତ୍ରରେ ମତେ ବହୁତ ଭଲ ପାଇବା ମିଳିଥିଲା। ଗାଁ ଗାଁରେ ମୁଁ ପରିଚିତ ହୋଇଥିଲି। ଯୁବପିଢ଼ି ନାଗା କ୍ଲବ ଖୋଲିଥିଲେ। ଆଜି ବି ସେ ସମୟ ମନେ ପଡ଼ିଲେ ଭାରି ଖୁସି ଲାଗେ’’, କହିଛନ୍ତି ରାଇମୋହନ ପରିଡ଼ା।

ରାଇମୋହନ ପରିଡ଼ାକୁ ଆପଣ ଯେତେବେଳେ ଫିଲ୍ମ ପରଦାରେ ଦେଖିଥିବେ ନିଶ୍ଚୟ ତାଙ୍କ ଖଳନାୟକ ଚରିତ୍ର ଦେଖି ଆପଣ ତାଙ୍କୁ ଗାଳି କରିଥିବେ। କିନ୍ତୁ ବାସ୍ତବ ଜୀବନରେ ସମ୍ପୂର୍ଣ୍ଣ ଭିନ୍ନ ମଣିଷଟେ ସେ। ସ୍ତ୍ରୀ ଓ ଦୁଇ ଝିଅଙ୍କ ସହିତ ବେଶ୍‌ ସିଧାସାଧା ଜୀବନଯାପନ କରନ୍ତି ରାଇମୋହନ।

ରାଇମୋହନ କହନ୍ତି, ‘‘ମୁଁ ଯେତେବେଳେ କୌଣସି ଚରିତ୍ର ପାଇଁ ଚୟନ ହୁଏ ସେତେବେଳେ ମୁଁ ସେଇ ଚରିତ୍ର ଭିତରେ ପଶିଯାଏ। ମୁଁ କିଏ ମୋର ମନେ ରହେନି। ଅଭିନୟ ସରିଲା ପରେ ମୁଁ ସେ ଚରିତ୍ରରୁ ବାହାରେ। ସବୁବେଳେ ମୁଁ ଚେଷ୍ଟା କରି ଆସିଛି ଯାହା ବି ଅଭିନୟ କରିବି ସେଥିରେ ସବୁଠୁ ଭଲ କରିବି। କାରଣ ଦର୍ଶକଙ୍କ ପ୍ରଶଂସା ହିଁ ମୋ ପାଇଁ ସବୁ କିଛି ’’।

ରାଇମୋହନ ‘ରଣଭୂମି’, ‘ସିଂହବାହିନୀ’, ‘ସରପଞ୍ଚ ବାବୁ’, ‘କୁଳ ନନ୍ଦନ’, ‘ବିଧାତା’, ‘ଆସିବୁ କେବେ ସାଜି ମୋ ରାଣୀ’ ଭଳି ଅନେକ ଫିଲ୍ମରେ ସେ କାମ କରିଛନ୍ତି। ତାଙ୍କର ‘ହେଇ ଅନାନି’, ‘ମୁଁ ନାଗିନା’ ଭଳି କିଛି ଡାଇଲଗ ଦର୍ଶକଙ୍କ ମନରେ ଘର କରି ରହଯାଇଛି।

ସିନେମା ଜଗତରେ ଢେର ସଫଳତା ସାଉଣ୍ଟିବା ପରେ ରାଇମୋହନ ଯାତ୍ରା ଜଗତକୁ ଚାଲି ଆସିଥିଲେ। ଯଲିଉଡର ଏହି ସଫଳ ନିର୍ଦ୍ଦେଶକ ରାଇମୋହନ ତାରିଣୀ ଗଣନାଟ୍ୟ, କଳିଙ୍ଗ ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ରୁଦ୍ରାଣୀ ଗଣନାଟ୍ୟ, ଜଗନ୍ନାଥ ଗଣନାଟ୍ୟ, ଶୁଭଶ୍ରୀ ଗଣନାଟ୍ୟ, ନିର୍ମାଲ୍ୟ ଗଣନାଟ୍ୟ, ଓଡ଼ିଶା ଅପେରା, ଧରିତ୍ରୀ ଅପେରା, ଶ୍ରୀକ୍ଷେତ୍ର ଗଣନାଟ୍ୟ ଓ ଗୌରୀ ଗଣନାଟ୍ୟ ଆଦିରେ ମଞ୍ଚସ୍ଥ ବିଭିନ୍ନ ନାଟକର ନିର୍ଦ୍ଦେଶନା ଦେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ରାଇମୋହନ ଯାତ୍ରାରେ ନିର୍ଦ୍ଦେଶନା ସାଙ୍ଗକୁ ଅଭିନୟରେ ବି ସକ୍ରିୟ ହେଲେ।

ଆଜିର ଏହି ସଫଳତା ପଛରେ ତାଙ୍କ ପତ୍ନୀ ରଞ୍ଜିତାଙ୍କ ହାତ ଅଛି ବୋଲି କହନ୍ତି। ଜୀବନର ସବୁ ସୁଖ ଓ ଦୁଃଖରେ ତାଙ୍କ ସ୍ତ୍ରୀ ପାଖରେ ଠିଆ ହୁଅନ୍ତି ଓ ତାଙ୍କୁ ପ୍ରେରଣା ଦିଅନ୍ତି ବୋଲି କହନ୍ତି ରାଇମୋହନ।

ଖୁବ୍‌ କମ ଲୋକ ଜାଣିଥିବେ ରାଇମୋହନ ପ୍ରେମ ବିବାହ  କରିଥିଲେ। ଖଳନାୟକଙ୍କ ସହିତ ପ୍ରେମ! ନିହାତି ଭାବେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। କାରଣ ରାଇମୋହନ ପରଦା ଉପରେ ଭିଲେନ ସିନା ରିଅଲ ଲାଇଫରେ ଜଣେ ହିରୋ।

Comment