ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ମାତ୍ର ୧୦ ଦିନ ପାଇଁ ହେବ ସ୍କୁଲ ଖରାଛୁଟି। ଆସନ୍ତା ଜୁନ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ଖରାଛୁଟି ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ପୂର୍ବରୁ ୫୦ ଦିନ ଖରା ଛୁଟି ଦିଆଯାଉଥିଲା। କିନ୍ତୁ ଦୁଇ ବର୍ଷ ହେଲା କୋଭିଡ ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହୋଇଥିବାରୁ ଖରାଛୁଟି ସମୟ ସୀମାରେ କାଟଛାଣ୍ଟ କରାଯାଇଛି। ପୂର୍ବ ପାଠ ବାକି ରହିଥିବାରୁ ସେଗୁଡ଼ିକୁ ସାରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି।

ଆସନ୍ତା ଜୁନ ୬ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ପାଇଁ ଖରାଛୁଟି ହେବ। ମେ’ ପହିଲାରୁ ଜୁନ ୫ ତାରିଖ ପର୍ଯ୍ୟନ୍ତ ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଜାରି ରହିବ।

ଏହା ସହିତ କ୍ଲାସ ପ୍ରମୋସନକୁ ନେଇ ଯେଉଁ ଦ୍ଵନ୍ଦ୍ଵ ଲାଗି ରହିଥିଲା ତାହା ଦୂର ହୋଇଛି। ଆସନ୍ତା ଏପ୍ରିଲ ୨୦ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ କ୍ଲାସ ପ୍ରମୋସନ ହେବ। କିନ୍ତୁ ଏଥିପାଇଁ ପରୀକ୍ଷା କରାଯିବ କି ନାହିଁ ଗଣଶିକ୍ଷ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଏହା ସହ ଆସନ୍ତା ଏପ୍ରିଲ ୨୦ରୁ ୩୦ ତାରିଖ ସୁଦ୍ଧା ରିଆଡମିଶନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ ପାଇଁ ଦୁଇ ବର୍ଷ ହେଲା ସ୍କୁଲଗୁଡ଼ିକରେ ପାଠପଢ଼ା ପ୍ରଭାବିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ସ୍କୁଲଗୁଡ଼ିକରେ ସରିନଥିବା କୋର୍ସଗୁଡ଼ିକ ପୁରା କରିବାକୁ ଖରାଛୁଟିକୁ ସୀମିତ କରାଯାଇଥିବା ଜଣାପଡ଼ିଛି।

Tags: #School #SummerVacation #OdishaGovt #SchoolStudent #Covid19

Comment