ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇଆଇଏମ୍‍ସି ପୁରାତନ ଛାତ୍ର ସଂଘ ‘ଇମ୍‍କା’ ଓଡ଼ିଶା ଶାଖାର ଦଶମ ମିଳନ ଉତ୍ସବ ‘କନେକସନ-୨୦୨୨’ (ସଂଯୋଗ ୨୦୨୨) ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍‌ଣରେ ଢେଙ୍କାନାଳସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନର (ଆଇଆଇଏମ୍‍ସି) ପ୍ରେକ୍ଷାଳୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

“ଅନୁଷ୍ଠାନ ଏକ ଜୀବନ ସଦୃଶ। ଏହା ଯେତେଦିନ ପର୍ଯ୍ୟନ୍ତ ବଞ୍ଚିରହିବ ଛାତ୍ରମାନେ ସେତେଦିନ ପର୍ଯ୍ୟନ୍ତ ଗର୍ବ ଅନୁଭବ କରିବେ। ପୁଣି ପୁରାତନ ଛାତ୍ରମାନେ ଚାହିଁଲେ ଅନୁଷ୍ଠାନର ଗୌରବକୁ ବଢ଼ାଇପାରିବେ। ପ୍ରତ୍ୟେକ ବ୍ୟକ୍ତି ନିଜର ଅନୁଷ୍ଠାନ ସହ ଯୋଡ଼ିହୋଇ ପ୍ରତିଦାନ ସ୍ୱରୂପ କର୍ତ୍ତବ୍ୟବୋଧକୁ ଅନୁଭବ କରିବା ହିଁ ଯଥାର୍ଥ ହେବ”, କହିଛନ୍ତି ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ।ସେହିପରି ଇମ୍‍କା ସଦସ୍ୟ ତଥା ହିନ୍ଦୁସ୍ଥାନ ଟାଇମ୍ସର ଡିଜିଟାଲ ସମ୍ପାଦକ ପ୍ରଭାସ ଝା କହିଥିଲେ, “ଆଇଆଇଏମସି ମତେ ଗଢ଼ିଛି। ଜୀବନରେ ଯାହା କିଛି ହୋଇଛି, ଯାହା କିଛି ପାଇଛି, ତାହା ଆଇଆଇଏମ୍‌ସି ପାଇଁ ହିଁ ସମ୍ଭବ ହୋଇଛି। ଗତ ୧୦ ବର୍ଷ ଧରି ଇମ୍‍କା ଆଇଆଇଏମ୍‍ସି ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ିହୋଇ ରହିବାର ସୁଯୋଗ ତିଆରି କରିଛି। ସମସ୍ତ ପୁରାତନ ଛାତ୍ରମାନଙ୍କୁ ଏକାଠି କରିବାରେ ଏକ ବଡ଼ ଭୂମିକା ନେଇଛି।”

ପ୍ରତିଷ୍ଠାତା ସଦସ୍ୟ ରିତେଶ ବର୍ମା ସଂଘର ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତା ଉପରେ କହିଥିଲେ। ଶତ ପ୍ରତିଶତ ସଦସ୍ୟ ଇମ୍‍କା ସହ ଯୋଡ଼ି ହେବାକୁ ଆହ୍ୱାନ ଦେଇଥିଲେ। ଏହାଫଳରେ ସମସ୍ତେ ନିଜର ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ପରସ୍ପରର ସାହାଯ୍ୟରେ ଆସିପାରିବାର ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ।ପୁରାତନ ଛାତ୍ର ତଥା ହିନ୍ଦୁସ୍ଥାନ ଟାଇମ୍ସର ମୁଖ୍ୟ କଣ୍ଟେଣ୍ଟ ଅଫିସର୍ ପ୍ରସାଦ ସନ୍ୟାଲ୍ ଛାତ୍ର ଜୀବନରେ ଥିବା ତାଙ୍କ ଅନୁଭୂତି ସମ୍ପର୍କରେ କହିଥିଲେ। ଓଡ଼ିଶା ଶାଖା ସମ୍ପାଦକ ଜ୍ୟୋତି ପ୍ରକାଶ ମହାପାତ୍ର ସ୍ୱାଗତ ଭାଷଣ ସହ ଚଳିତ ବର୍ଷର ଛାତ୍ରବୃତ୍ତି ଘୋଷଣା କରିଥିଲେ।ଇଂରାଜୀ ସାମ୍ବାଦିକତା ଛାତ୍ରୀ ଶର୍ମିଲା ଭଦୋରିଆଙ୍କୁ ବ୍ରିଗେଡିଅର ଜେଏସ ବାୱା ସ୍ମାରକୀ ଇମକା ମେଧାବୃତ୍ତି, ଛାତ୍ରୀ ଲାଚି ଗୋଲାଙ୍କୁ ଏସଟିଏସ ଥିରୁମଲାଇନାଥନ-ପୋନାମ୍ମଲ ସ୍ମାରକୀ ଇମ୍‌କା ମେଧାବୃତ୍ତି, ଓଡ଼ିଆ ସାମ୍ବାଦିକତା ଛାତ୍ର ସୁମନ ରଣାଙ୍କୁ ଏମ୍‍ଏନ୍‍ ରଏ ସ୍ମାରକୀ ଇମ୍‌କା ମେଧାବୃତ୍ତି, ଛାତ୍ର ସଦାଶିବ ଚାନ୍ଦଙ୍କୁ ସେହଦେବ ଓ ସୁଶୀଲା ଚିବର ସ୍ମାରକୀ ଇମ୍‌କା ମେଧାବୃତ୍ତି ପ୍ରଦାନ କରାଯାଇଥିଲା। ଏହାସହ ଓଡ଼ିଆ ସାମ୍ବାଦିକତା ଛାତ୍ରୀ ଶୁଭଶ୍ରୀ ଶୁଭସ୍ମିତାଙ୍କୁ ପ୍ରଫେସର ବିବି ମହାନ୍ତି ସ୍ମାରକୀ ପୁରସ୍କାର ଓ ଇଂରାଜୀ ସାମ୍ବାଦିକତା ଛାତ୍ରୀ ପାଲକ ଖାରେଙ୍କୁ ପ୍ରଫେସର କେଏମ ଶ୍ରୀବାସ୍ତବ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମକୁ ଛାତ୍ରୀ ଅନନ୍ୟା ବାଜପେୟୀ ଓ ଶୁଭଶ୍ରୀ ପ୍ରଧାନ ପରିଚାଳନା କରିଥିଲେ। ଇମ୍‍କାର ସଦସ୍ୟ ତଥା ସଂସ୍ଥାନର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ। ସେକ୍ସନ ଅଫିସର କେଦାରନାଥ ଜେନା, ବୈଷୟିକ ସଂଯୋଜକ ବଦ୍ରୀନାଥ ଜେନା, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ, ଏକାଡେମିକ ଆସୋସିଏଟ ଅଭିଷେକ ରାୟ, ଏକାଡେମିକ ଆସିଷ୍ଟାଣ୍ଟ୍‍ ପଦ୍ମଲୋଚନ ପ୍ରଧାନଙ୍କ ସମେତ ବହୁ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Tags: #IIMC #IIMCDhenkanal #IndianInstituteofMassCommunication #IIMCAA #AlumniMeet #ଇମ୍‍କା #ଆଇଆଇଏମ୍‍ସି #

Comment