ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦୁଝରର ଆଦିବାସୀ ଝିଅ ଚମ୍ପା ସଏ। ଗୋପାଳପୁର ସ୍ଥିତ ଏନଟିଟିଏଫ ଇଞ୍ଜିନିୟରିଂ କଲେଜରେ ମେକାଟ୍ରୋନିକ୍ସରେ ଡିପ୍ଲୋମା ପ୍ରଥମ ବର୍ଷର ଛାତ୍ରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ତାଙ୍କ ଦୃଢ଼ ଇଚ୍ଛା ଶକ୍ତି ଓ ଶିକ୍ଷାନୁଷ୍ଠାନର ପୂର୍ଣ୍ଣ ସହଯୋଗ ଫଳରେ ନିଜର ସ୍ୱପ୍ନ ସାକାର ପାଇଁ ଲକ୍ଷ୍ୟ ରଖିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଚମ୍ପାଙ୍କ ପ୍ରତିଭାର ମହକ ଆଜି କେବଳ କେନ୍ଦୁଝର ନୁହେଁ ବରଂ ସାରା ଓଡ଼ିଶାକୁ ବ୍ୟାପିଛି।

 

୨୦୦୧ରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ, ବ୍ରାହ୍ମଣୀପାଳ ଗାଁର ଏକ ଆଦିବାସୀ ଗରିବ ପରିବାରରେ ଚମ୍ପା ସଏଙ୍କ ଜନ୍ମ। ସେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିଲେ, ସେତେବେଳେ ତାଙ୍କ ବାପା ବର୍ଣ୍ଣମାଳି ସଏଙ୍କ ଦେହାନ୍ତ ହୋଇଯାଇଥିଲା। ଫଳରେ ପରିବାରର ଦାୟିତ୍ୱ ତାଙ୍କ ମା’ଙ୍କ କାନ୍ଧକୁ ଚାଲି ଆସିଥିଲା। ଭାଇ ଭଉଣୀ ୬ ଜଣଙ୍କୁ ପାଳିବା ସହିତ ସେମାନଙ୍କୁ ପଢ଼ାଇବା ତାଙ୍କ ମା’ ଯାତ୍ରୀ ସଏଙ୍କ ପାଇଁ ସମ୍ଭବ ନଥିଲା। ତେଣୁ ଦଶମ ଶ୍ରେଣୀ ପରିକ୍ଷା ଦେବା ପରେ ଚମ୍ପା ତାଙ୍କ ପାଠ ପଢ଼ା ବନ୍ଦ କରି ଦେଇଥିଲେ। କିନ୍ତୁ ଠିକ୍‌ ସମୟରେ ଉପଯୁକ୍ତ ମାର୍ଗଦର୍ଶନ ପାଇ ସେ ଏନଟିଟିଏଫ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି।

‘‘ମୁଁ ଏପରି ଏକ ସ୍ଥାନରୁ ଆସିଛି, ଯେଉଁଠି ବୈଷୟକି ଶିକ୍ଷା ବିଷୟରେ କେହି ବୁଝନ୍ତି ନାହିଁ। ମୁଁ ମୋ ଅଞ୍ଚଳର ପ୍ରଥମ ଇଞ୍ଜିନିୟରିଂ ଛାତ୍ରୀ। ଯଦିଓ ମୁଁ ଏନ୍‌ଟିଟିଏଫ୍‌କୁ ଚାରିମାସ ହେଲା ଆସିଛି ତଥାପି ମୁଁ ଏଠାକୁ ଆସିବା ପରେ ଅନେକ କିଛି ଶିଖିଛି। ଏଠାକାର ଶିକ୍ଷକ ଶିକ୍ଷୟିତ୍ରୀ ବହୁତ ସୁନ୍ଦର ପାଠ ପଢ଼ାନ୍ତି”, କହନ୍ତି ଚମ୍ପା ସଏ।

ସେ ଆହୁରି ମଧ୍ୟ କହିଛନ୍ତି, ‘‘ଏହି ଅନୁଷ୍ଠାନର ସବୁଠାରୁ ଭଲ କଥା ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସମସ୍ତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁପ୍ରାଣିତ କରାଯାଏ। ପୂର୍ବରୁ ପ୍ରାକ୍ଟିକାଲ ବିଷୟଗୁଡ଼ିକରେ ମୋର ଯଥେଷ୍ଟ ଧାରଣା ନଥିଲା, କିନ୍ତୁ ଏନ୍‌ଟିଟିଏଫ୍‌କୁ ଆସିବା ପରେ ମୁଁ ଅନେକ କିଛି ଶିଖିଲି। ବର୍ତ୍ତର୍ମାନ ମୁଁ ୱାର୍କସପ୍‌ରେ କାର୍ଯ୍ୟ କରିପାରୁଛି। ମୁଁ ଏଠାକୁ ଆସି ଭଲ ପାଠ ପଢ଼ି ମୋର ସ୍ୱପ୍ନ ପୂରା କରିପାରିବି। ମୋର ଛୋଟ ବଡ଼ ଆଦିବାସୀ ଭାଇ ଓ ଭଉଣୀମାନେ ମଧ୍ୟ ଏନ୍‌ଟିଟିଏଫ୍‌କୁ ଆସି ଭଲ ପାଠ ପଢ଼ି ଭଲ ମଣିଷ ହେବେ ବୋଲି ଆଶା କରୁଛି।”

Comment