ଡକ୍ଟର ପାବକ କାନୁନଗୋ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ଓଡ଼ିଶାଲାଇଭ୍‌ର ଗଭୀର ଶ୍ରଦ୍ଧାଞ୍ଜଳି। ଏହି ଅବସରରେ ମଧୁ ବାବୁଙ୍କ ଜୀବନୀ ଓ ଦର୍ଶନ ସହିତ ଲୋକଙ୍କୁ ଯୋଡ଼ିବା ପାଇଁ ଓଡ଼ିଶାଲାଇଭ୍‌ର ଏକ ପ୍ରୟାସ। 

ପ୍ରସିଦ୍ଧ ଦାର୍ଶନିକ ରୁଷୋ ମନୁଷ୍ୟର ଦୁଇଟି ଜୀବନ କଥା କହିଥିଲେ- ଗୋଟିଏ ବ୍ୟକ୍ତିଗତ ଜୀବନ, ଅନ୍ୟଟି ସାମୂହିକ ଜୀବନ। ଏହାକୁ ଲକ୍ଷ୍ୟ କରି ମିଷ୍ଟର ଦାସ କହୁଥିଲେ- ପ୍ରତ୍ୟେକ ବ୍ୟକ୍ତିର ଦୁଇ ଗୋଟି ଜୀବନ ଅଛି- ଗୋଟିଏ ହେଉଛି ବ୍ୟକ୍ତିଗତ ଜୀବନ, ଅନ୍ୟଟି ହେଉଛି ଜାତୀୟ ଜୀବନ।

ମଧୁସୂଦନ ଦାସ ଥିଲେ ଜାତୀୟତା ଭାବର ମୂର୍ତ୍ତିମନ୍ତ ପ୍ରତୀକ। ଓଡ଼ିଆ ଜାତିର ସାମୂହିକ ବିକାଶ ସହିତ ସାରାଦେଶର ଉନ୍ନତି ପାଇଁ ସେ କାମ କରୁଥିଲେ। ସେ କହୁଥିଲେ, ଯେତେବେଳ ପର୍ଯ୍ୟନ୍ତ ଲୋକେ ବ୍ୟକ୍ତିଗତ ଜୀବନକୁ ଜାତି ନିମନ୍ତେ ବଳିଦେବାକୁ ଶିଖିନାହାନ୍ତି ସେତେବେଳ ପର୍ଯ୍ୟନ୍ତ ଜାତୀୟ ଜୀବନ ଗଠିତ ହୋଇନାହିଁ ବୋଲି ଜାଣିବାକୁ ହେବ ଓ ସେତେବେଳ ଯାଏ ଜାତୀୟ ଜୀବନର ମୂଲ୍ୟ ଲୋକମାନେ ଜାଣିନାହାନ୍ତି ବୋଲି କହିବାକୁ ହେବ। ପ୍ରତ୍ୟେକ ଲୋକର ଜୀବନରେ ଯେତେବେଳେ ଜାତିର ଚିନ୍ତା ପ୍ରବେଶ କରିବ ସେତେବେଳେ ଆମ୍ଭମାନଙ୍କ ମଧ୍ୟରେ ଜାତୀୟ ଜୀବନ ପ୍ରବେଶ କରିବ। ମୋର ଶରୀରର ପ୍ରତ୍ୟେକ ରେଣୁ, ପ୍ରତ୍ୟେକ ଚିନ୍ତା ସେହି ଜାତୀୟ ଜୀବନର ଅଂଶବିଶେଷ।

ମଧୁସୂଦନ ପ୍ରାଣଭରା ଆହ୍ୱାନ ଦେଇ କହିଥିଲେ- ମୋର ପ୍ରାର୍ଥନା ଏହି ଯେ ଏକତ୍ର ହେବାକୁ ଶିଖ, ଜୀବନର ସୀମା ଶୁଦ୍ଧ କରିବାକୁ ଶିଖ, ପୁଷ୍କରିଣୀରେ ସ୍ଥିର ଜଳରେ ଟେକାଟିଏ ପଡିଲେ ଢେଉ ଏକ ସ୍ଥାନରୁ ଉଠି କ୍ରମେ ବିସ୍ତାର ହୁଏ।  ଯଦି ତୁମ ଅନ୍ତଃକରଣ ଜାତୀୟ ଜୀବନ ପାଇଁ ଦିନେ କାନ୍ଦିଥାଏ କି ମୋ ଜାତିର ଆଧୋଗତି ହୋଇଛି, ଏକଥା ଯଦି ଦିନେ ତା’କୁ ବାଧୁଥାଏ, ତେବେ ତୁମେ ସ୍ଥିର ହୋଇ ରହିପାରିବ ନାହିଁ। ଉତ୍କଳର ଗୌରବ କଥା ମନେ ପଡ଼ିଲେ ଛାତି ଫାଟି ଉଠେ। କିନ୍ତୁ ବର୍ତ୍ତମାନ ଅବସ୍ଥା କ’ଣ? ଗୋଟିଏ ଭଲ ଜାତି ଡାହାଳ କୁକୁର ଛୁଆକୁ ଆଣ। ଗୋଟିଏ ବାଘକୁ ତାକୁ ଦେଖାଅ। ତାର ବାଘକୁ ମାରି ପକାଇବାକୁ ବଳ ଥାଉ ବା ନଥାଉ, ସେ ବାଘକୁ କାମୁଡ଼ିବାକୁ ଦୌଡ଼ିବ। ଭାଇ ତାକୁ ପଚାର, ତୁମ ପିଲାଟି ବାଘକୁ ମାରି ପାରିବ ବୋଲି ଦୌଡ଼ୁଛି? ସେ ଉତ୍ତର ଦେବ – ମୁଁ ଜାଣିଛି ଯେ ମୁଁ ବାଘକୁ କାମୁଡ଼ି ପାରିବି ନାହିଁ, କିନ୍ତୁ ମୋ ଜାତିର ନାମକୁ କଳଙ୍କିତ ହେବାକୁ ଦେବି ନାହିଁ।ମିଷ୍ଟର ଦାସ କହୁଥିଲେ, ଯେ ବୁଝିପାରେ ଯେ ତା’ର ଦୁର୍ଗନ୍ଧମୟ ମୃତ ଦେହକୁ ମାତା ନିଜେ ପରିତ୍ୟାଗ କରେ, କିନ୍ତୁ ଉତ୍କଳ ମାତା ପରିତ୍ୟାଗ କରିପାରେ ନାହିଁ- ସେହି  ହିଁ ଏକା ଓଡ଼ିଶାର ପ୍ରକୃତ ସନ୍ତାନ। ଡେପୁଟି ବା ଓକିଲ କେବଳ ବ୍ୟକ୍ତିଗତ କାର୍ଯ୍ୟ କରନ୍ତି, କିନ୍ତୁ ତାହାଦ୍ୱାରା ଜାତିର ବିଶେଷ କିଛି ଉପକାର ହୁଏ ନାହିଁ। ଶତ ଶତ ସ୍ଥାନରେ ଜଳ ବିଭିନ୍ନ ରଂଗ ଧରିଥାଏ ସତ, ମାତ୍ର ସମୁଦ୍ର ସେମାନଙ୍କୁ ଏକା ରଙ୍ଗ କରିଦିଏ। ଉତ୍କଳ ସମ୍ମିଳନୀ ଗୋଟିଏ ସମୁଦ୍ର। ଏହି ସମ୍ମିଳନୀ ସମୁଦ୍ର  ଗର୍ଜନରେ କହୁଅଛି, ଏକ ବର୍ଣ୍ଣ ନହେଲେ ତୁମ୍ଭେମାନେ ମୋ ସହିତ ମିଶିପାରିବ ନାହିଁ। ଜଗନ୍ନାଥ ମନ୍ଦିର ଓ ସ୍ୱର୍ଗଦ୍ୱାର ପ୍ରଭୃତି ଯେଉଁ ଏକତାର ଅନୁଷ୍ଠାନ ରହିଛି, ତାହା ପୁନଃପୁନଃ ମନରେ ଆଲୋଚନା କର। ପ୍ରତ୍ୟହ ୧୦ ମିନିଟ୍ ଦେଶ କଥା ଚିନ୍ତା କଲେ ଆନନ୍ଦ ମିଳିବ। କ୍ରମେ ୨୦ମିନିଟ୍, ୨୦ ଘଣ୍ଟା। ତାହା ହେଲେ ଦେଶ ମିଶ୍ରଣ ଓ ସମାଜ ସଂସ୍କାର ପ୍ରଭୃତି  ସମସ୍ତ କାର୍ଯ୍ୟ କ୍ରମେ କ୍ରମେ ସହଜରେ ସାଧିତ ହେବ। ଏହି ପ୍ରଦେଶରୁ ଉପେନ୍ଦ୍ର ଭଞ୍ଜ ଜନ୍ମ ହୋଇ ଓଡ଼ିଶାକୁ ଚମତ୍କୃତ କରିଥିଲେ।

madhu babu

ଉତ୍କଳ ସମ୍ମିଳନୀ ଯେଉଁ ମହତ ଉଦ୍ଦେଶ୍ୟ ସାଧନ କରିବାକୁ ଗଢ଼ା ହୋଇଥିଲା ସେ ସମ୍ପର୍କରେ ମଧୁବାବୁ ବାରମ୍ବାର ଆଲୋଚନା କରିଥିଲେ। ତାଙ୍କରି ଭାଷାରେ – ଜାତି ଶଦ୍ଦ ସାଧାରଣତଃ ବ୍ରାହ୍ମଣାଦି ବର୍ଣ୍ଣକୁ ବୁଝାଇଥାଏ। କିନ୍ତୁ ସେ ଅର୍ଥରେ ମୁଁ ‘ଜାତି’ ଶଦ୍ଦ ବ୍ୟବହାର କରିନାହିଁ। ଯେଉଁ ଅର୍ଥରେ ଇଂରେଜ ଜାତି, ଜାପାନି ଜାତି, ବଙ୍ଗାଳି ଜାତି ଏହି ଶଦ୍ଦମାନ ଆମ୍ଭେମାନେ ବ୍ୟବହାର କରିଥାଉ, ସେହି ଅର୍ଥରେ ମୁଁ ଜାତି ଶଦ୍ଦ ବ୍ୟବହାର କରୁଅଛି। ଉତ୍କଳ ଜାତିର ଅର୍ଥ ଲୋକମାନେ ଆପଣାକୁ ଉତ୍କଳର ସନ୍ତାନ ବୋଲି ମନେ କରନ୍ତି ଏବଂ ଉତ୍କଳ ଅତୀତ ଗୌରବରେ ଯେଉଁମାନେ ଆପଣାକୁ ଗୌରବାନ୍ୱିତ ମନେ କରନ୍ତି ଏବଂ ଭାବ ଗୌରବକୁ ଆକାଂକ୍ଷା କରନ୍ତି ସେମାନଙ୍କୁ ମୁଁ ଉତ୍କଳ ଜାତି ବୋଲି ମନେ କରେ। କୌଣସି ଜାତିର ଉନ୍ନତି ସାଧନ କରିବା ନିମନ୍ତେ ଯେଉଁମାନେ ଇଚ୍ଛା କରନ୍ତି ସେମାନେ ପ୍ରଥମେ ଆପଣାକୁ ଆପେ ପରୀକ୍ଷା କରିବା ଉଚିତ।

ମିଷ୍ଟର ଦାସ କହୁଥିଲେ- ‘ମୋତେ ଯଦି କୁବାକ୍ୟ ଦ୍ୱାରା କେହି ସମ୍ବୋଧନ କରେ ମୋର ତହିଁରେ ବିରକ୍ତି ଜାତ ହୁଏ, କିନ୍ତୁ ଯଦି କେହି ଓଡ଼ିଆ ଜାତିପ୍ରତି କୁବାକ୍ୟ ପ୍ରୟୋଗ କରି ମୋତେ ସମ୍ବୋଧନ କରେ ତାହା ହେଲେ ତଦ୍ୱାରା ମୋହର ବିରକ୍ତି ହେବ ଏବଂ ଆପଣମାନଙ୍କ ମଧ୍ୟରୁ ସମସ୍ତଙ୍କ ମନରେ ବିରକ୍ତି ଜାତ ହେବ। ପ୍ରଥମ ଦୃଷ୍ଟାନ୍ତରେ ବ୍ୟକ୍ତିଗତ ଜୀବନରେ ଆଘାତ ଲାଗିଲା, ଦ୍ୱିତୀୟ ଦୃଷ୍ଟାନ୍ତରେ ଜାତୀୟ ଜୀବନରେ ଆଘାତ ଲାଗିଲା।

madhubabu

ମଧୁବାବୁଙ୍କ ମତରେ ପ୍ରତ୍ୟେକ ବ୍ୟକ୍ତିର ଯେଉଁ ପ୍ରକାର ଗୁଣ ଓ ଦୋଷ ଅଛି, ପ୍ରତ୍ୟେକ ଜାତିର ମଧ୍ୟ ସେହି ପ୍ରକାର ଗୁଣ ଓ ଦୋଷ ଅଛି। ଯେଉଁ ଗୁଣ ଜାତିର ଅଧିକାଂଶ ଲୋକଙ୍କ ମଧ୍ୟରେ ଦେଖାଯାଏ, ତାକୁ ଜାତୀୟ ଗୁଣ କୁହନ୍ତି। ସେହି ଗୁଣ ଉପାର୍ଜନରେ ସମସ୍ତ ଲୋକମାନେ ଚେଷ୍ଟା କରିଥିବାରୁ ତାହା ଜାତୀୟ ଗୁଣ ହୋଇଛି। ସେ ପ୍ରକାର ଚେଷ୍ଟା କରିବା ସମୟରେ ଲୋକମାନଙ୍କୁ କଷ୍ଟ ସ୍ୱୀକାର କରିବାକୁ ହୋଇଅଛି, ବିପଦାପନ୍ନ ହେବାକୁ ହୋଇଅଛି। ମାତ୍ର ସେମାନଙ୍କ ମଧ୍ୟରେ ଜାତୀୟ ଜୀବନଥିବାରୁ ସେମାନେ  ପରାଂମୁଖ ହୋଇନାହାନ୍ତି। ଇଂରେଜ ଜାତିର ଉଦାହରଣ ନେଇ ମିଷ୍ଟର ଦାସ କହିଥିଲେ- ଇଂରେଜ ସାହସୀ ଜାତି, ଦଶ ହଜାର ଇଂରେଜକୁ ଏକତ୍ର କରି ତାଙ୍କ ସମ୍ମୁଖରେ

“Rule Britannia, Rule the Waves, Britons, never never be slaves.”

ଏହି ପଦକ ବୋଲ, ଦେଖିବ ଏହାର ଶବ୍ଦ ସେମାନଙ୍କ କର୍ଣ୍ଣରେ ପଡ଼ିଲା କ୍ଷଣି ଜାତୀୟ ଜୀବନ ଉତ୍ତେଜିତ ହୋଇ ସେମାନଙ୍କ ମୁଖର ବର୍ଣ୍ଣରେ ପ୍ରତିଭାତ ହେବ, ଇଂରେଜ କାହାର ଦାସତ୍ୱ ସ୍ୱୀକାର କରିବ ନାହିଁ। ବ୍ୟକ୍ତିଗତ ଜୀବନ ଓ ଜାତୀୟ ଜୀବନ ଭିତରେ ଥିବା ପ୍ରଭେଦ ସମ୍ପର୍କରେ ମିଷ୍ଟର ଦାସଙ୍କ ମନରେ ଏକ ସ୍ପଷ୍ଟ ଧାରଣା ଥିଲା। ତାଙ୍କ ମତରେ, ମାନବ ଜାତିର ସର୍ବନିମ୍ନ ସୋପାନ ହେଉଛି ସ୍ୱାର୍ଥପରତା, ତତ୍ପରେ ସହଚରମାନଙ୍କର ମଙ୍ଗଳସାଧନ ତା’ ପରେ ପାରିବାରିକ ଜୀବନ ଓ ତାହା ପରେ ଜାତୀୟ ଜୀବନ। ଜାତୀୟ ଜୀବନ ଉଦ୍‌ଭବ ହେବା ପୂର୍ବରୁ ଜାତିର ଉନ୍ନତି ସାଧନ ସକାଶେ କାର୍ଯ୍ୟ ଆରମ୍ଭ କଲେ ସେ କାର୍ଯ୍ୟ ସଫଳ ହେବା ସମ୍ଭବ ନୁହେଁ।

ମଧୁବାବୁ ଦିନେ ଯେଉଁ  ଜାତୀୟ ଜୀବନର ସ୍ୱପ୍ନ ଦେଖିଥିଲେ ତାହା ହାସଲ କରିବାକୁ ଏତେ ଓଡ଼ିଆମାନେ ସମର୍ଥକ? ଏହି ପ୍ରଶ୍ନର ପଚାରି ତାହାର ଉତ୍ତର ଖୋଜିବାକୁ ଆଜି ପ୍ରତ୍ୟେକ ଓଡ଼ିଆ ତତ୍ପର ହେବା ଉଚିତ।

(ସୌଜନ୍ୟ: ଉତ୍କଳ ଗୌରବ- ୨୦୧୭)

Tags: #MadhuBabu #UtkalGouravMadhusudanDas #MadhusudanDas #MadhuBarrister #ଉତ୍କଳଗୌରବମଧୁସୂଦନଦାସ #ମଧୁବାବୁ

LEAVE A REPLY

Please enter your comment!
Please enter your name here