ଡକ୍ଟର ଭାଗ୍ୟଲିପି ମଲ୍ଲUtkal Gourab Madhusudan Das

ଉତ୍କଳ ଗୌରବ ମଧୁସୂଦନ ଦାସ କେବଳ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ବରେଣ୍ୟ କର୍ଣ୍ଣଧାରା ନଥିଲେ; ତତ୍କାଳୀନ ଓଡ଼ିଶାରେ ଶିଳ୍ପ ଓ ଦକ୍ଷତାର ବିକାଶ ଉପରେ ଗୁରୁତ୍ୱ ଦେଇ ଏକ ପ୍ରଗତିଶୀଳ ପ୍ରଦେଶ ନିର୍ମାଣ ଲାଗି ସ୍ୱପ୍ନ ଦେଖିଥିଲେ। ଉତ୍କଳ ଟ୍ୟାନେରୀ ଏବଂ ଓଡ଼ିଶା ଆର୍ଟ ଓୟାର୍ସ ଥିଲା ତାଙ୍କ ଶିଳ୍ପସମୃଦ୍ଧ ଚେତନାର ପ୍ରୟୋଗଶାଳା। ହେଲେ ଓଡ଼ିଶାର ସ୍ୱାଭିମାନ ଓ ଜାତୀୟ-ଜୀବନ ପ୍ରତିଷ୍ଠା ଭିତରେ ମାତି ମଧୁବାବୁ ଶିଳ୍ପକୁ ଯଥେଷ୍ଟ ବ୍ୟାବସାୟିକ ସଫଳତା ଦେଇପାରି ନଥିଲେ। ସେହି ଇତିହାସ ପୃଷ୍ଠାରୁ…Madhusudan Das

ମଧୁବାବୁ ଥିଲେ ଚିରକାଳ ଜଣେ ସ୍ୱପ୍ନଦର୍ଶୀ ତାରୁଣ୍ୟ। ତାଙ୍କ ସ୍ୱପ୍ନରେ ସ୍ୱତନ୍ତ୍ର ତରଙ୍ଗ ଥିଲା ନିଶ୍ଚୟ। କାରଣ ତାଙ୍କ ସ୍ୱପ୍ନ ସବୁବେଳେ ବାସ୍ତବତାକୁ ଆଧାର କରି ଗତିଶୀଳ ଥିଲା। ସେ ସ୍ୱପ୍ନ ଥିଲା ନିଜ ପାଇଁ ଏବଂ ଥିଲା ଜାତି ପାଇଁ। ସେଇଥିପାଇଁ ତାଙ୍କ ସମଗ୍ର ଜୀବନ ଜାତିର ସ୍ୱପ୍ନରେ ହିଁ ଆବିଷ୍ଟ ଥିଲା। ତାଙ୍କ ଜାତି ଓଡ଼ିଆ, ଅବଶିଷ୍ଟ ପୃଥିବୀରେ କିପରି ସ୍ୱତନ୍ତ୍ର ଦିଶିବ ତାହାହିଁ ଥିଲା ତାଙ୍କ ସ୍ୱପ୍ନ ସମଗ୍ର। ଜଣେ ନିଜ ପାଇଁ ସ୍ୱପ୍ନ ଦେଖିଲେ ଜାତି ପାଇଁ ସ୍ୱପ୍ନ ଦେଖିବ- ଏହା ହିଁ ଥିଲା ମଧୁବାବୁଙ୍କ କଥା।

୧୯୧୩ ମସିହାରେ ପୁରୀଠାରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀର ନବମ ଅଧିବେଶନରେ ତାଙ୍କ ଅଭିଭାଷଣରେ କହିଥିଲେ- ‘‘ପ୍ରତ୍ୟେକ ବ୍ୟକ୍ତିର ଦୁଇଗୋଟି ଜୀବନ ଅଛି। ଗୋଟିଏ ହେଉଛି ବ୍ୟକ୍ତିଗତ, ଅନ୍ୟଟି ହେଉଛି ଜାତୀୟ ଜୀବନ। ମୋତେ ଯେବେ କୁ-ବାକ୍ୟ ଦ୍ୱାରା କେହି ସମ୍ବୋଧନ କରେ, ମୋର ତହିଁରେ ବିରକ୍ତି ଜାତ ହେବ। କିନ୍ତୁ ଯଦି କେହି ଓଡ଼ିଆ ଜାତି ପ୍ରତି କୁବାକ୍ୟ ପ୍ରୟୋଗ କରି ମୋତେ ସମ୍ବୋଧନ କରେ, ତାହା ହେଲେ ତଦ୍ୱାରା ମୋହର ବିରକ୍ତି ଜାତ ହେବ ଏବଂ ଆପଣମାନଙ୍କ ମଧ୍ୟରୁ ସମସ୍ତଙ୍କ ମନରେ ବିରକ୍ତି ଜାତ ହେବ। ପ୍ରଥମ ଦୃଷ୍ଟାନ୍ତରେ ବ୍ୟକ୍ତିଗତ ଜୀବନରେ ଆଘାତ ଲାଗିଲା। ଦ୍ୱିତୀୟ ଦୃଷ୍ଟାନ୍ତରେ ଜାତୀୟ ଜୀବନରେ ଆଘାତ ଲାଗିଲା। ଏଥିରୁ ଆପଣମାନେ ବୁଝିପାରିବେ ଯେ ପ୍ରତ୍ୟେକ ବ୍ୟକ୍ତିର ଦୁଇଗୋଟି ଜୀବନ ଅଛି ଏବଂ ଯେଉଁ ପରିମାଣରେ ସେ ଏହି ଦୁଇ ଜୀବନରେ ପରିଚାଳନା କରି ତଦନୁସାରେ ସେ ନିଜର ଉନ୍ନତି ପଥରେ କିମ୍ବା ଜାତିର ଉନ୍ନତି ପଥରେ ଅଗ୍ରସର ହେବ।’’

ମଧୁବାବୁଙ୍କ ବଙ୍ଗଳା ଯାତ୍ରା ହିଁ ତାଙ୍କ ବ୍ୟକ୍ତିଗତ ଜୀବନକୁ ଓ ଜାତୀୟ ଜୀବନକୁ ଚିହ୍ନିବାର ସୁଯୋଗ ଦେଇଛି। ସେ ଉଚ୍ଚଶିକ୍ଷା ଆୟତନ ଭିତରକୁ ଯାଇଛନ୍ତି ଏବଂ ଅନୁଭବ କରିଛନ୍ତି ବିଦ୍ୟା ହିଁ କେବଳ ବ୍ୟକ୍ତି ଓ ଜାତୀୟ ସମ୍ପଦ ଏବଂ କ୍ଷମତା। ତେଣୁ ସେ ବିଦ୍ୟା ଅନୁରାଗୀ ହୋଇଛନ୍ତି। ପୁଣି ତାଙ୍କର ଅନ୍ୟ ଏକ ବିଶେଷ ଅନୁଭବ ହୋଇଛି ଯେ, ବଙ୍ଗଳାରେ ପାଶ୍ଚାତ୍ୟ ଜ୍ଞାନ କୌଶଳରେ ଶିଳ୍ପାୟତନର ଉଦ୍ୟମ ଏବଂ ଏଥିରେ ସମ୍ପୃକ୍ତି ରହିଛି ରାଜା, ଜମିଦାର ଓ ଧନୀକ ଗୋଷ୍ଠୀଙ୍କର। ଏବଂ ସେ ଅନୁଭବ କରିଛନ୍ତି ଇଂରେଜ ଜାତିର ବିକାଶ ମୂଳରେ ରହିଛି ଶିଳ୍ପ ବିପ୍ଳବ। କାରଣ ଶିଳ୍ପ ହିଁ ବିଦ୍ୟାର ବିକାଶ କରେ, ଦାରିଦ୍ର୍ୟର ଦୂରୀକରଣ କରେ। ଦେଶରେ ଉପଲବ୍ଧ ଗଚ୍ଛିତ ଓ ନଷ୍ଟ ହୋଇ ଯାଉଥିବା କଞ୍ଚାମାଲ୍‌ର ବିନିଯୋଗ ମାଧ୍ୟମରେ ହିଁ ନୂଆ ନୂଆ ଶିଳ୍ପ ଗଠନ କରାଯାଇପାରେ। ବଙ୍ଗଳାରେ ମଧୁବାବୁ ଏଇ ଅନୁଭବକୁ ପୁଞ୍ଜି କରି ଓଡ଼ିଶା ଆସିଛନ୍ତି ୧୮୮୧ ମସିହାରେ, ଯୋଜନାବଦ୍ଧ ଭାବରେ।

ଓଡ଼ିଆମାନଙ୍କର ଦାରିଦ୍ର୍ୟର କାରଣକୁ ସେ ଅନୁଭବ କରିଛନ୍ତି। ବାଣିଜ୍ୟ ଓ ଶିଳ୍ପାନୁରାଗୀ ହୋଇଛନ୍ତି। ବାଣିଜ୍ୟର ପ୍ରଥମ ଉଦ୍ୟମ କଟକରେ କୋ-ଅପରେଟିଭ୍ ସମବାୟ ବିକ୍ରୟ କେନ୍ଦ୍ରର ପ୍ରତିଷ୍ଠା, ତାଙ୍କ ଘରେ ଏବଂ, ଓଡ଼ିଶାର ପାରମ୍ପରିକ ବୃତ୍ତିଜୀବୀମାନଙ୍କ ବିଦ୍ୟା ଓ ଉପଲବ୍ଧ କଞ୍ଚାମାଲକୁ ଆଧାର କରି କଟକରେ ଶିଙ୍ଗ ଓ ତାରକସୀ କାମ ଏବଂ ଜୋତା ତିଆରି କାରଖାନା ପ୍ରତିଷ୍ଠା। ଉତ୍କଳ ସମ୍ମିଳନୀ ମଣ୍ଡପରେ ସେ ଏଇ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ଓଡ଼ିଶାର ଦାରିଦ୍ର୍ୟ ଦୂରିକରଣ କଥା ହିଁ କହିଛନ୍ତି ଏବଂ ଖାଲି କହି ନାହାନ୍ତି ଏହାକୁ କାର୍ଯ୍ୟକାରୀ କରିବା ଲାଗି ଉଦ୍ରମ କରିଛନ୍ତି। ଶିଳ୍ପବିଦ୍ୟାର ବିକାଶ ପ୍ରକ୍ରିୟା ଅନୁଭବ କରିବା ଲାଗି ସେ ଦୁଇ ଦୁଇ ଥର ଇଂଲଣ୍ଡ ଯାଇଛନ୍ତି ଏବଂ ବିଦେଶ ଅନୁଭବ ଓ କୌଶଳକୁ ନିଜ ଭୂମିରେ  ପ୍ରୟୋଗ କରିଛନ୍ତି। କଟକର ଚୌଧୁରୀ ବଜାରରେ ପ୍ରତିଷ୍ଠିତ ଓଡ଼ିଆ ଆର୍ଟଓୟାର୍ ଏବଂ ଚାଉଳିଆଗଞ୍ଜରେ ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀ ତାଙ୍କ ଶିଳ୍ପ ମାନସିକତାର ରୂପରେଖ।

Madhubabu in the Odisha Legislative Council
ଓଡ଼ିଶା ଶାସନ ବ୍ୟବସ୍ଥାର ସଦସ୍ୟମାନଙ୍କ ଗହଣରେ ଉତ୍କଳଗୌରବ ମଧୁସୂଦନ ଦାସ

ଉତ୍କଳ ଟ୍ୟାନେରୀ ସୃଷ୍ଟି ହେଲା ୧୯୦୫ ମସିହାରେ। ଏହି ଜୋତା କାରଖାନାରେ ଖାଲି ଜୋତା ତିଆରି ହେଉନଥିଲା, ଏଥିରେ ମିଶି ରହିଥିଲା ଓଡ଼ିଆ ଜାତିର ସ୍ୱାଭିମାନ। ଏହା ହିଁ ଥିଲା ମଧୁବାବୁଙ୍କ ଶିଳ୍ପାୟନର ପ୍ରତିଶ୍ରୁତିବଦ୍ଧତା। ଉତ୍ପାଦନର ମାନ ପ୍ରତି ସେ ଥିଲେ ଅଧିକ ସଚେତନ। ଉତ୍ପାଦନର ମାନ (କ୍ୱାଲିଟି କଣ୍ଟ୍ରୋଲ) ଦିଗରେ ସେ କେତେ ସ୍ପର୍ଶକାତର ଥିଲେ ତାହାର ଉଦାହରଣ ହେଉଛି – ସାମାନ୍ୟ ତ୍ରୁଟି ଦେଖିଲେ ସେ ସବୁ ଜୋତା ନଷ୍ଟ ବା ପୋଡ଼ି ଦେଉଥିଲେ। ଜୋତା କାରଖାନା କରିବାର ଅଭିଳାଷ ତାଙ୍କର ଜାତ ହୋଇଥିଲା ବ୍ରିଟେନ୍ର ଜୋତା କାରଖାନାକୁ ଦେଖିବା ପରେ। ସେଠାରେ ସେ ଗୋଟିଏ ଜାତିର ବିକଶିତ ରୂପ ଦେଖିଥିଲେ ଶିଳ୍ପ ମାଧ୍ୟମରେ।

ପୁଣି ଦେଖିଥିଲେ ଗୋଧି ଚମଡ଼ାରେ ତିଆରି ନରମ ଜୋତାର ୟୁରୋପରେ ଚାହିଦା। ତେଣୁ ମଧୁବାବୁ ଭାବିଲେ, ଓଡ଼ିଶାରେ ପ୍ରଚୁର ଗୋଧିଚମଡ଼ା ସହିତ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଚମଡ଼ା ମଧ୍ୟ ସହଜରେ ଉପଲବ୍ଧ ହୋଇପାରିବ। ତା’ଛଡ଼ା ଚାଉଳିଆଗଞ୍ଜ ଓ ନୂଆବଜାରରେ ବି ଚାଳିଶ ଏକର ଜମିକୁ ସେ ବିନିଯୋଗ କରିପାରିବେ। ବାସ୍। ଏବେ ଆରମ୍ଭ ହୋଇଗଲା ଦେଶୀ ଓ ବିଦେଶୀ (ବବୁରକୁଲି) ଶୈଳୀର ଜୋତା ତିଆରି। କାରଖାନାରେ କାମ କଲେ ପ୍ରାୟ ଦେଢ଼ଶହରୁ ଅଧିକ କର୍ମଚାରୀ। ଦୈନିକ ବ୍ୟୟ ଏଥିପାଇଁ ହେଉଥିଲା ପ୍ରାୟ ଦୁଇ ହଜାର ଟଙ୍କା। ‘ଉତ୍କଳ ଟ୍ୟାନେରୀ’ ହେଲା ଓଡ଼ିଶାର ପ୍ରଥମ ଜଏଣ୍ଟ ଷ୍ଟକ୍ କମ୍ପାନି। ଓଡ଼ିଆମାନେ ଦେଖିଲେ ଏକ ପ୍ରଗତିଶୀଳ ଓଡ଼ିଶାର ସ୍ୱପ୍ନ।

ମଧୁବାବୁ ଯେତେବେଳେ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ସ୍ୱପ୍ନପ୍ରବଣ ଥିଲେ, ସେତେବେଳେ ସମଗ୍ର ଦେଶରେ ମଧ୍ୟ ଦେଶୀୟ କମ୍ପାନିଙ୍କ ସଂଖ୍ୟା ଏତେ ଅଧିକ ନଥିଲା। ଭାରତବର୍ଷରେ ପୁଞ୍ଜି ବଜାର ମଧ୍ୟ ବେଶୀ ସକ୍ରିୟ ନଥଇଲା। ତେଣୁ ନୂଆ ନୂଆ କମ୍ପାନି ପ୍ରତି ପୁଞ୍ଜିନିବେଶକାରୀଙ୍କର ଏତେ ବେଶୀ ଆଗ୍ରହ ନଥିଲା। ତେଣୁ ମଧୁବାବୁଙ୍କୁ ଉତ୍କଳ ଟ୍ୟାନେରୀ ପାଇଁ ଗୁଡ଼ାଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିଲା। ଏଣେ କ୍ୱାଲିଟି ବଜାୟ ରଖିବା ଓ ସେପଟେ ଗୋଟିଏ ଜୋତା ଖରାପ ପଡ଼ଇଲେ, ସମ୍ପୂର୍ଣ୍ଣ ଲଟ୍‌କୁ ପୋଡ଼ିଦେବା ପୁଣି ପୁଞ୍ଜିବଜାରର ମାନ୍ଦାବସ୍ଥା ଏସବୁ ମଧୁବାବୁଙ୍କୁ ମହଙ୍ଗା ପଡ଼ିଲା। ଅବଶ୍ୟ ଆରମ୍ଭ ସମୟର କ୍ଷତିକୁ ସେ ଚଳାଇ ନେଇ ପାରିଥିଲେ। ମାତ୍ର ଜନ ସଚେତନତା, ଯୋଗାଯୋଗର ଅସୁବିଧା, ସର୍ବୋପରି ସହଯୋଗର ଅଭାବ ଓ ଅନଭିଜ୍ଞତା ମଧୁବାବୁଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା।

ତଥାପି ମଧୁବାବୁଙ୍କ ବ୍ୟକ୍ତିତ୍ୱ ଓ ପ୍ରତିଷ୍ଠା ଯୋଗୁଁ ‘ଉତ୍କଳ ଟ୍ୟାନେରୀ’ର ଯଶ ବଢ଼ିବାକୁ ଲାଗିଲା। ୧୯୦୯ରେ ଭାରତୀୟ ସୈନ୍ୟବାହିନୀ ପାଇଁ ଉତ୍କଳ ଟ୍ୟାନେରୀରୁ ଜୋତା କିଣାଗଲା। ଏହା ସେ ସମୟରେ ଓଡ଼ିଶା ପାଇଁ କମ୍ ଗୌରବର କଥା ନୁହେଁ। ସବୁଠୁ ବଡ଼ କଥା ହେଲା ‘ବାଟା’ କମ୍ପାନିର ବହୁ ପୂର୍ବରୁ ଉତ୍କଳ ଟ୍ୟାନେରୀ ଜନ୍ମ। ତେବେ ୧୯୦୫ରୁ ଆରମ୍ଭ ହୋଇ ଏହା ୧୯୨୧ ପର୍ଯ୍ୟନ୍ତ ବହୁ ବାଧାବିଘ୍ନ ଅତିକ୍ରମ କରି ଚାଲିଲା। ମାତ୍ର ଆଉ ଆଗକୁ ଆଗେଇବା ସମ୍ଭବ ହୋଇପାରିଲା ନାହିଁ।ବଜାରର ଚାହିଦା ଦୃଷ୍ଟିରୁ ଟ୍ୟାନେରୀର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ଥିଲା। ମାତ୍ର ଆର୍ଥିକ କ୍ଷତି ଯୋଗୁଁ ଆଉ ଆଗକୁ ଯିବାକୁ ଦେଲା ନାହିଁ। କାରଣ ଉତ୍ପାଦନର ମାନ ସହ ମଧୁବାବୁ ଓଡ଼ିଶାର ମାନକୁ ଯୋଡ଼ି ଦେଇଥିଲେ। ପୁଣି ଉନ୍ନତ ମାନ (କ୍ୱାଲିଟି) ରହିବ ଏକ କମ୍ ଦାମ୍ ରହିବ ଏହା କିପରି ସମ୍ଭବ? ମାନ ନିର୍ଦ୍ଧାରଣ ସହିତ ବଜାରର ଦର ନିୟନ୍ତ୍ରଣର ଯେ ଆବଶ୍ୟକତା ରହିଛି ଏଥିପ୍ରତି ଧ୍ୟାନ ଦିଆଗଲା ନାହିଁ। ଏବଂ, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ ତାହା ଥିଲା, ମଧୁବାବୁଙ୍କ ପଛରେ କୌଣସି ନୂଆପିଢ଼ିର ଉତ୍ସାହୀ ଉଦ୍ୟକ୍ତା ନଥିଲେ ଏବଂ ନିଜେ ମଧୁବାବୁ ମଧ୍ୟ ଜାତୀୟ ଆନ୍ଦୋଳନ, ବିହାର- ଓଡ଼ିଶାର ମନ୍ତ୍ରିତ୍ୱ ତଥା ଉତ୍କଳ ଟ୍ୟାନେରୀର ଦାୟିତ୍ୱ ଭିତରେ ଏସବୁ ପ୍ରତି ଅଧିକ ସମୟ ଦେଇପାରୁ ନଥିଲେ। ସବୁତକ ଅର୍ଜିତ ଅର୍ଥ ମଧୁବାବୁ ଉତ୍କଳ ଟ୍ୟାନେରୀ ପାଇଁ ବିନିଯୋଗ କରିଦେବା ପରେ ମଧ୍ୟ ତାଙ୍କୁ ସେତେବେଳେ ଏକ ଲକ୍ଷ, ତେୟାଅଶୀ ହଜାର ଟଙ୍କା ଋଣ କରିବାକୁ ପଡ଼ିଥିଲା। ତଥାପି ଟ୍ୟାନେରୀ ଆର୍ଥିକ ଅବସ୍ଥାକୁ ସେ ସୁଧାରି ପାରିନଥିଲେ।

ଶେଷରେ ୧୯୨୭ ମସିହାରେ ମଧୁବାବୁଙ୍କ ସ୍ୱପ୍ନର ‘ଉତ୍କଳ ଟ୍ୟାନେରୀ’ ନିଲାମ ହୋଇଯାଇଥିଲା। ଏହାର ସର୍ବଶ୍ରେଷ୍ଠ କାରଣ ଥିଲା- ଜାତୀୟତାର ଦୀକ୍ଷାରେ ଅଭିମନ୍ତ୍ରିତ ଉତ୍କଳ ଟ୍ୟାନେରୀ ବ୍ୟାବସାୟିକ ସଫଲତା ଦିଗରେ ବିଶେଷ ଧ୍ୟାନ ଦେଇନଥିଲା। ଉତ୍କଳ ଟ୍ୟାନେରୀର ଅନ୍ତ ସିନା ଘଟିଲା, ମାତ୍ର ଦୀର୍ଘ ବାଇଶି ବର୍ଷର ଉତ୍କଳର ଏକ ଶିଳ୍ପ ଇତିହାସ, ଓଡ଼ିଶାରେ ଶିଳ୍ପାୟନ କ୍ଷେତ୍ରରେ ଏକ ଭିତ୍ତିଭୂମି ନିଶ୍ଚୟ ଏକଥା ଆମକୁ ସ୍ୱୀକାର କରିବାକୁ ପଡ଼ିବ।Madhu Babu

ଉତ୍କଳ ଟ୍ୟାନେରୀ ଯେତେବେଳେ ଭୟଙ୍କର କ୍ଷତିର ସମ୍ମୁଖୀନ ହେଉଥିଲା ଓ ମଧୁବାବୁ ଯେତେବେଳେ ଉତ୍କଟ ଆର୍ଥିକ ବୋଝରେ ଚିନ୍ତାଗ୍ରସ୍ତ ଥିଲେ ଠିକ୍ ସେହି ସମୟରେ ମଧ୍ୟ ସେ ଏକ ଜାତିର କି ବିଶେଷ ଗୁଣ ରହିବା ଆବଶ୍ୟକ – ସେଥିପ୍ରତି ଗୁରୁତ୍ୱ ଦେଉଥିଲେ। ଏବଂ ୧୯୧୩ର ଉତ୍କଳ ସମ୍ମିଳନୀରେ ସେ ଏକ ଚମତ୍କାର ଆହ୍ୱାନ ଦେଇଥିଲେ-

‘‘ଏକ ସମୟରେ କେତେକ ଜାପାନୀ ବିଲାତ ଯାଇଥିଲେ। ସେ ସମୟରେ ଜାପାନ ଦେଶର ଲୋକମାନେ ଚୀନ ଦେଶର ଲୋକମାନଙ୍କ ପରି ଚୁଟି ରଖୁଥିଲେ। ବିଲାତର ଲୋକମାନେ ସେମାନଙ୍କୁ ଚୀନ ଦେଶର ଲୋକେ ମନେ କରିବାରୁ ସେମାନେ ଅନ୍ୟ ଜାତି ବୋଲି ପରିଚିତ ହେବେ ଲଜ୍ଜାର ବିଷୟ ଜ୍ଞାନ କରି ସମସ୍ତ ଜାତି ଚୁଟି କାଟି ପକାଇଲେ। ଡାହାଳ କୁକୁର ଛୁଆ ମହାବଳ-ବାଘକୁ ଦେଖି ପଳାଇବାକୁ ଚେଷ୍ଟା ନ କରି ଆକ୍ରମଣ କରିବାକୁ ଦୌଡ଼ିବ। ଏହାର କାରଣ କ’ଣ? ତାହାର ଜାତୀୟ ଜୀବନ ସେ ରକ୍ଷା କରିବାକୁ ଚାହେଁ- ‘‘ବାଘ ପଛେ ମତେ ମାରୁ, କିନ୍ତୁ ମୁଁ ମୋହର ଜାତିଗୁଣ ରକ୍ଷା ପାଇଁ ପ୍ରାଣ ଦେବି।’’ ତେବେ ଉତ୍କଳ ସମ୍ମିଳନୀ ଜାତିର ସଭା। ଏଠାରେ ଜାତି ଉପସ୍ଥିତ। ପଶୁପକ୍ଷୀମାନଙ୍କର ମଧ୍ୟ ଜାତୀୟ ଗୁଣ ଅଛି। କାରଣ ସେମାନଙ୍କର ଜାତୀୟ ଜୀବନ ଅଛି। ବର୍ତ୍ତମାନ ମୁଁ ଏହି ମହାସଭାରେ ଆପଣମାନଙ୍କଠାରୁ ଜାଣିବାକୁ ଚାହେଁ, ଆମ୍ଭ ଜାତିର କି ଗୁଣ ଅଛି? ଯେଉଁ ଗୁଣ ବିଶେଷ ରୂପେ ଉତ୍କଳୀୟମାନଙ୍କର ଅଟେ। ଯଦି ଏ ପ୍ରକାର କୌଣସି ଗୁଣ ନ ଥାଏ, ତାହେଲେ ବୁଝିବାକୁ ହେବ, ଆମ୍ଭମାନଙ୍କ ମଧ୍ୟରେ ଜାତୀୟ ଜୀବନ କେବେ ସଞ୍ଚାର ହୋଇନାହିଁ।’’MADHU BABU

ମଧୁବାବୁ ଅବଶ୍ୟ ସାମନ୍ତବାଦୀ ଥିଲେ। ମାତ୍ର ୟୁରୋପର ସାମନ୍ତବାଦୀ ମାନସିକତାରେ ଆଦୌ ପ୍ରଭାବିତ ହୋଇନାହାନ୍ତି। ସେ ମଣିଷଙ୍କୁ ଭଲ ପାଉଥିଲେ। ସାଧାରଣ ମଣିଷ ପାଇଁ, ଜାତି ପାଇଁ ତାଙ୍କର ସବୁତକ ଉପାର୍ଜନ ଖର୍ଚ୍ଚ କରୁଥିଲେ। ତେଣୁ ସେ ୟୁରୋପର ସମାନ୍ତବାଦୀ ନ ଥିଲେ। ଦାନଶୀଳ ତାଙ୍କର ମନ। ଜାତି ପାଇଁ ସମର୍ପିତ ତାଙ୍କର ଆତ୍ମା। ଓଡ଼ିଶାର ପ୍ରଗତି କ୍ଷେତ୍ରରେ ସ୍ୱାର୍ଥପରତା ହିଁ ଏକ ପ୍ରଧାନ ପ୍ରତିବନ୍ଧକ ସେ ଅନୁଭବ କରିଥିଲେ। ତେଣୁ ବୋଧେ ଲେଖିଥିଲେ – ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁଡେଁ ବନ୍ଧାଥିଲେ… ଜାତି ନନ୍ଦିଘୋଷ ଚାଲିବ କି ଭାଇ ସ୍ୱାର୍ଥକୁ ସାରଥୀ କଲେ।’’ ସେ ଥିଲେ ବିଚକ୍ଷଣ ବୁଦ୍ଧିସମ୍ପନ୍ନ। ତାହାର ଉଦାହରଣ ତ ସେ ଅନେକ ଜାଗାରେ ଦେଇଛନ୍ତି। ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିରର ପରିଚାଳନା ଦାୟିତ୍ୱ ବ୍ରିଟିଶ୍ ସରକାର ହାତରୁ ଛଡ଼ାଇ ନେବା ତାଙ୍କ ବିଚକ୍ଷଣତାର ଏକ ବିଶେଷ ଉଦାହରଣ।

madhubabuମାତ୍ର ସ୍ୱାର୍ଥପରତାକୁ ସେ କେତେ ଭାବରେ ଘୃଣା କରୁଥିଲେ ତାଙ୍କ ଉତ୍କଳ ସମ୍ମିଳନୀର ଏକ ଭାଷଣରୁ ସ୍ପଷ୍ଟ ଜଣାପଡ଼େ -‘‘ମନୁଷ୍ୟ ଭୂମିଷ୍ଠ ହେବା ସମୟରେ କେବଳ ମାଂସପିଣ୍ଡ ପ୍ରାୟ ଜୀବନ ଆରମ୍ଭ କରେ। ଶିଶୁକାଳରେ ସ୍ୱାର୍ଥପରତା ପ୍ରବଳ ଥିବାର ଦେଖାଯାଏ। ଶିଶୁ ଆପଣାର ସୁଖ ବ୍ୟତିରକେ ଆଉ କିଛି କାମନା କରେ ନାହିଁ। ପରର ଦ୍ରବ୍ୟକୁ ଆପଣାର ମନେ କରେ ଏବଂ ତାହା ନ ପାଇଲେ କ୍ରୋଧରେ ରୋଦନ କରେ। କ୍ରମେ ବାଲ୍ୟକାଳ ଉପସ୍ଥିତ ହେଲେ କ୍ରୀଡ଼ାଭୂମିରେ କିମ୍ବା ବିଦ୍ୟାଳୟରେ ଖେଳିବା ଓ ପଢ଼ିବା ସଙ୍ଗୀମାନଙ୍କର ସୁଖ କିୟତ୍ ପରିମାଣରେ କାମନା କରେ ଏବଂ ଯେଉଁ ପରିମାଣରେ ପରର ସୁଖ କାମନା କରେ ସେହି ପରିମାଣରେ ତାହାର ସ୍ୱାର୍ଥପରତାର ହ୍ରାସ ହୁଏ। ବିବାହ କଲେ ଏବଂ ସନ୍ତାନ ଜନ୍ମ ହେଲେ ପରର ମଙ୍ଗଳ ଚିନ୍ତା, ପରର ସୁଖ ଚିନ୍ତା କ୍ରମେ ବୃଦ୍ଧି ପାଏ। ନିତ୍ୟ କଷ୍ଟ ସ୍ୱୀକାର କରି, ଛିନ୍ନବସ୍ତ୍ର ପରିଧାନ କରି, ଆବଶ୍ୟକ ହେଲେ ଅନାହାରରେ ଥାଇ ସ୍ତ୍ରୀ ଓ ସନ୍ତାନସନ୍ତତିମାନଙ୍କୁ ସୁଖରେ ରଖିବାର ଚେଷ୍ଟା କରେ। ଏଥିରୁ ଦେଖାଯାଏ, ସ୍ୱାର୍ଥପରତାର ହ୍ରାସ, ପରୋପକାରିତାର ବୃଦ୍ଧି ହେଉଛି ମନୁଷ୍ୟ ଜୀବନର ଈଶ୍ୱରକୃତ ନିୟମ। ଅଧିକାଂଶ ଲୋକଙ୍କ ଜୀବନରେ ପରିବାରର ମଙ୍ଗଳଚେଷ୍ଟା ଉନ୍ନତିର ଶେଷସୀମା ପରିଦୃଷ୍ଟ ହୁଏ। ମାତ୍ର ଯେଉଁମାନେ ମନୁଷ୍ୟ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝି ଅଛନ୍ତି, ସେମାନଙ୍କ ପାଇଁ ନିଜ ପରିବାରର ସୁଖସାଧନ ଜୀବନର ଶେଷ ସୀମା ନୁହେଁ। ଏ ପ୍ରକାର ମଣିଷମାନେ ସମାଜର ମଙ୍ଗଳ, ଜାତିର ମଙ୍ଗଳ ଏବଂ କେହି କେହି ପୃଥିବୀର ସମସ୍ତ ଜାତିର ମଙ୍ଗଳ ସାଧନରେ ଆପଣାର ଜୀବନ ଉତ୍ସର୍ଗ କରନ୍ତି।’’ମଧୁବାବୁ ଥିଲେ ଏହିଭଳି ଆଚରଣ ଏବଂ ଉଚ୍ଚାରଣ ମାନସିକତାର ମଣିଷଟିଏ। ଯିଏ ସାରା ଜୀବନ ଗୋଟିଏ ଜାତିର ବିକାଶ ପାଇଁ ସ୍ୱପ୍ନ ଦେଖୁଥିଲେ। ସ୍ୱାର୍ଥପରତାକୁ ଘୃଣା କରୁଥିଲେ। ଏବଂ, ଗ୍ରାମାଞ୍ଚଳରେ ସୂତାକଟା ଓ ଲୁଗାବୁଣା ଶିଳ୍ପର ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ଓଡ଼ିଆ ଜାତିର ସ୍ୱାଧୀନତା, ସ୍ୱାଭିମାନ, ସ୍ୱତନ୍ତ୍ରତା ଓ ଆତ୍ମନିର୍ଭରଶୀଳତାର ସୁରକ୍ଷା ପାଇଁ ଉତ୍ସର୍ଗ କରିଦେଉଥିଲେ ଜୀବନର ତମାମ୍ ଶକ୍ତି, ସାମର୍ଥ୍ୟ, ଅର୍ଥ ଓ ଅନୁଭବ। ସେ କେବଳ ଜଣେ ସ୍ୱାଧୀନତା ସଂଗ୍ରାମୀ, ଆଇନଜୀବୀ ବା ସମାଜ ସୁଧାରକ ନ ଥିଲେ, ଥିଲେ ଭାଷା- ସାହିତ୍ୟର ସାଧକ ଓ ଉପାସକ। ତାଙ୍କ ରଚନାରେ ଜାତୀୟତାବୋଧ, ଆଧ୍ୟାତ୍ମିକତା ଏବଂ ତତ୍କାଳୀନ ସାମାଜିକ ଓ ରାଜନୀତିକ ଅବସ୍ଥାର ସ୍ୱର ସୁସ୍ପଷ୍ଟ।ମଧୁବାବୁ ଥିଲେ ଜଣେ ସ୍ୱପ୍ନ-ଦ୍ରଷ୍ଟା। ଡ୍ରିମର। କେତେ କେତେ ସ୍ୱପ୍ନ ଦେଖିଛନ୍ତି ସେ ଓଡ଼ିଆ ଜାତିକୁ ସ୍ୱତନ୍ତ୍ର କରି ଦେଖେଇବା ପାଇଁ ତା’ର ହିସାବ ନାହିଁ। ତାଙ୍କ ସ୍ୱପ୍ନ କେତେ ଦୂର ସଫଳ ହୋଇଛି ତାହା ତ ବିଶ୍ଳେଷଣ ସାପେକ୍ଷ, ମାତ୍ର ଓଡ଼ିଆ ମାଟିରେ ବିକାଶ ଭିତ୍ତିଭୂମିରେ ଯେ ସେ ମଞ୍ଜି ବୁଣି ଦେଇଛନ୍ତି ଏହା ଅବଶ୍ୟ ସ୍ୱୀକାର୍ଯ୍ୟ। ତାଙ୍କର ବହୁ ସ୍ୱପ୍ନ ଭିତରେ ସବୁଠୁ ବଡ଼ ସ୍ୱପ୍ନ ଥିଲା ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ। ତାଙ୍କ ସ୍ୱପ୍ନ ସଫଳ ତ ହୋଇଛି, ୧୯୩୬ ମସିହା ଏପ୍ରିଲ ମାସ ଏକ ତାରିଖ ଦିନ, ମାତ୍ର ସ୍ୱପ୍ନର ସଫଳ ରୂପାୟନ ଦେଖିବାକୁ ସେ ଆଉ ନଥିଲେ। ଏହାର ଠିକ୍ ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୩୪ ମସିହା ଫେବୃଆରୀ ୪ ତାରିଖ ଦିନ ଏହି ଚିରନ୍ତନ ସ୍ୱପ୍ନଦର୍ଶୀଙ୍କର ସକଳ ସ୍ୱପ୍ନର ଅନ୍ତ ହେଲା ସତ, ମାତ୍ର ତାଙ୍କ ସ୍ୱପ୍ନର ଓଡ଼ିଶାକୁ ପୂର୍ଣ୍ଣାଙ୍ଗ ଭାବେ ଅନୁଭବ କରିବାକୁ ଆଉ କେତେବାଟ ବାକି, ତାହା ହିଁ ତାଙ୍କର ଅପେକ୍ଷା।

Tags: #MadhuBabu #UtkalGouravMadhusudanDas #MadhusudanDas #MadhuBarrister #UtkalTannery #ଉତ୍କଳଗୌରବମଧୁସୂଦନଦାସ #ମଧୁବାବୁ #ଉତ୍କଳଟ୍ୟାନେରୀ

LEAVE A REPLY

Please enter your comment!
Please enter your name here