ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଅକ୍ଷୟ ତୃତୀୟା। ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟାରେ ପାଳନ କରାଯାଏ ଏହି ଦିନଟିକୁ। ଆଜିର ଦିନରେ ଚାଷୀକୂଳ ଅଖିମୁଠି ଅନୁକୂଳ କରି ବର୍ଷର ପ୍ରଥମ ଚାଷ କାମ ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟାକୁ କୃଷକଙ୍କ ପର୍ବ ବୋଲି ମଧ୍ୟ କୁହାଯାଏ।

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଚାଷୀମାନଙ୍କ ଅଖିମୁଠି ଅନୁକୂଳ ଶୁଭଙ୍କର ହେଉବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଚାଷୀ ଭାଇଭଉଣୀମାନଙ୍କ ସୁଖ ଓ ସମୃଦ୍ଧମୟ ଜୀବନ କାମନା କରିଛନ୍ତି।

ଅକ୍ଷୟ ତୃତୀୟା ଚାଷୀଙ୍କ ପାଇଁ ଗୋଟିଏ ବଡ଼ ପର୍ବ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଚାଷୀ ହଳ ସହ ପୂଜା ସାମଗ୍ରୀ ନେଇ ଚାଷ କ୍ଷେତକୁ ଯାଇଥାନ୍ତି। ସେଠାରେ ପୂଜାର୍ଚ୍ଚନା କରିବା ପରେ ହଳ କରି ଅଖିମୁଠି ଅନୁକୂଳ କରିଥାନ୍ତି।

ଅନ୍ୟପକ୍ଷରେ ଅକ୍ଷୟ ତୃତୀୟା ଅବସରରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯାଏ। ଏହି ଦିନ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ପାରମ୍ପରିକ ବିଲରେ ବିହନ ବୁଣି ମା’ ଲକ୍ଷ୍ନୀଙ୍କୁ ପୂଜାର୍ଚ୍ଚନା କରାଯାଏ।

ଅକ୍ଷୟ ତୃତୀୟା ଅବସରରେ ରାଜ୍ୟସ୍ତରୀୟ କୃଷି ଦିବସ ପାଳନ କରାଯାଉଛି। ଆଜି କୃଷିମନ୍ତ୍ରୀ ଅରୁଣ ସାହୁ ଜମିରେ ହଳ କରି ଅଖିମୁଠି ଅନୁକୂଳ କରିଛନ୍ତି।

Tags: #Akhayatritiya #OdishaCelebrateAkhayatritiya #CMOdisha #NaveenPatnaik

Comment