ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟାକୁ ନେଇ ଚାରି ଆଡ଼େ ଭୟ ଲାଗି ରହିଥିବାବେଳେ ଏହାରି ମଧ୍ୟରେ ସମୁଦ୍ର ମଝିରେ ସୁନେଲି ରଂଗର ରଥଟିଏ ଭାସି ଆସିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବାତ୍ୟା ‘ଅସାନି’କୁ ନେଇ ଚାରିଆଡେ ଆଲର୍ଟ ଜାରି କରାଯାଇଥିଲା। ଏହି ସମୟରେ ଏକ ସୁନେଲି ରଂଗର ରଥଟିଏ ଭାସି ଭାସି ଆନ୍ଧ୍ରପ୍ରଦେଶର ଶ୍ରୀକାକୂଲମ ଜିଲ୍ଲାର ସୁନ୍ନାପଲ୍ଲୀ ସମୁଦ୍ର କୂଳ ଆଡ଼କୁ ଆସୁଥିଲା। ସ୍ଥାନୀୟ ଲୋକ ଏହି ରଥଟିକୁ ଦେଖି ଦଉଡ଼ି ସହାୟତାରେ ଟାଣି ଟାଣି କୂଳକୁ ଆଣିଥିଲେ।

କିନ୍ତୁ ଏହି ରହସ୍ୟମୟ ସୁନାର ପ୍ରଲେପ ଦିଆଯାଇଥିବା ରଥଟି କେଉଁଠାରୁ ଆସିଲା ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି। ଏହି ରଥଟି ସମ୍ପର୍କରେ ଜାଣିବା ପାଇଁ ଶ୍ରୀକାକୁଲମ ପ୍ରଶାସନ ଅନୁଧ୍ୟାନ ଆରମ୍ଭ କରିଛି। ରଥଟି ଆଣ୍ଡାମାନ ସମୁଦ୍ର ନିକଟ ଦେଶ ମିଆଁମାର, ଥାଇଲ୍ୟାଣ୍ଡ, ମାଲେସିଆ କିମ୍ବା ଇଣ୍ଡୋନେସିଆରୁ ଭାରତକୁ ଆସିଥିବା ଅନୁମାନ କରାଯାଉଛି। ଅନ୍ୟ କୌଣସି ଦେଶରୁ ଏହି ରଥଟି ଆସିଥାଇ ପାରେ ବୋଲି ମଧ୍ୟ କୁହାଯାଉଛି। 

ଅନ୍ୟ ପଟେ କିଛି ବିଶେଷଜ୍ଞ କହିଛନ୍ତି ଏହି ସୁନେଲି ରଙ୍ଗର ରଥଟି ବର୍ମାରୁ ଆସିଥାଇ ପାରେ। କାରଣ ବର୍ମାରେ ଏହି ରଥ ଆକୃତିର ଅନେକ ମନ୍ଦିର ରହିଛି। ଓଡ଼ିଶାରେ ବୋଇତ ବନ୍ଦାଣ ଭଳି ପରମ୍ପରା ମଧ୍ୟ ବର୍ମାରେ ଦେଖିବାକୁ ମିଳେ। ଆଗକୁ ବୁଦ୍ଧଙ୍କ ପର୍ବ ଥିବାରୁ ସେଠାରେ ପୂଜା ପର୍ବ ପାଳନ ପାଇଁ ଏହି ରଥ ନିର୍ମାଣ କରାଯାଇଥାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି।

ତେବେ ବିଶେଷଜ୍ଞମାନଙ୍କୁ ଏହି ରଥର ଯାଞ୍ଚ ପାଇଁ ଶ୍ରୀକାକୁଲମ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଏହି ରଥର ଯାଞ୍ଚ ପରେ ଜଣାପଡ଼ିବ ଏହା କେଉଁଠାରୁ ଆସିଛି। ପ୍ରଶାସନ ପକ୍ଷରୁ ଏହି ସୁନେଲି ରଥଟିକୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ରଥଟିକୁ ଦେଖିବାକୁ ଜିଲ୍ଲାବାସୀଙ୍କ ଭିଡ ଦେଖିବାକୁ ମିଳୁଛି।

Tags: #Cyclone #AndhraPradesh #MysteriousGoldenChariot #Andrapradesh #Srikakulam #SunnapallySea

Comment