ଓଡ଼ିଶାଲାଇଭ୍ ବ୍ୟୁରୋ

ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଷ୍ଟାର ପ୍ଲେୟର ଅମ୍ବାତି ରାଇଡୁ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ୨୦୨୨ ସିଜିନ ତାଙ୍କର ଶେଷ ଆଇପିଏଲ ହେବ ବୋଲି ସେ କହିଛନ୍ତି। ଏହି ସିଜିନରେ ବର୍ତ୍ତମାନ ଚେନ୍ନାଇ ଟିମର ଦୁଇଟି ମ୍ୟାଚ୍ ବାକି ରହିଛି।
୩୬ ବର୍ଷିୟ ଅମ୍ବାତି ରାଇଡୁ ବର୍ତ୍ତମାନ ସୁଦ୍ଧା ଆଇପିଏଲ୍ରେ ମୋଟ ୧୮୭ଟି ମ୍ୟାଚ୍ ଖେଳି ୩,୨୯୦ ରନ ସ୍କୋର କରିଛନ୍ତି। ଅମ୍ବାତି ନିଜର ଆଇପିଏଲ୍ କ୍ୟାରିଅରରେ ଶତକ ହାସଲ କରିବା ସହ ବର୍ତ୍ତମାନ ପର୍ଯ୍ୟନ୍ତ ଆଇପିଏଲରେ ୨୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଚାଲିଥିବା ଆଇପିଏଲ ମ୍ୟାଚରେ ବର୍ତ୍ତମାନ ପର୍ଯ୍ୟନ୍ତ ଅମ୍ବାତି ରାଇଡୁ ୧୨ଟି ମ୍ୟାଚ ଖେଳି ୨୭୧ ରନ ସ୍କୋର କରିଛନ୍ତି।
ଶନିବାର ଅମ୍ବାତି ଟୁଇଟ କରି ଆଇପିଏଲରୁ ସନ୍ନ୍ୟାସ ନେବା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ଟୁଇଟ କରି ଆଇପିଏଲର ଚଳିତ ସିଜିନ ପରେ ଆଉ ଆଇପିଏଲ ମ୍ୟାଚ ଖେଳିବେ ନାହିଁ ବୋଲି କହିଛନ୍ତି। ବର୍ତ୍ତମାନର ଆଇପିଏଲ ଯାତ୍ରା ଭଲ ରହିଛି। ଦୀର୍ଘ ୧୩ ବର୍ଷ ପର୍ଯ୍ୟନ୍ତ ଦୁଇଟି ବଡ଼ ଟିମ୍ରେ ସାମିଲ ହେବାକୁ ସୁଯୋଗ ମିଳିଥିବା ସେ କହିଛନ୍ତି। ମୁମ୍ବାଇ ଇଣ୍ଡିଆନ ଏବଂ ଚେନ୍ନାଇ ସୁପର କିଙ୍ଗସ ସହ ସାମିଲ ହେବାର ଯାତ୍ରା ସ୍ମରଣୀୟ ବୋଲି କହିବା ସହ ଦୁଇ ଟିମକୁ ସେ ଧନ୍ୟବାଦ ଦେଇଛନ୍ତି।
୨୦୧୯ରେ କ୍ରିକେଟରୁ ଅବସର ନେଇ ପୁଣି ଫେରିଥିଲେ
ଅମ୍ବାତି ରାଇଡୁଙ୍କୁ ୨୦୧୯ ଓ୍ଵାନଡେ ଓ୍ଵାର୍ଲ୍ଡ କପ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିନଥିଲା। ତାଙ୍କ ନାଁ ଓ୍ଵାର୍ଲ୍ଡ କପ ପାଇଁ ଷ୍ଟାଣ୍ଡବାଏରେ ରହିଥିଲା। ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଅମ୍ବାତି ୨୦୧୯ ଜୁଲାଇ ମାସରେ କ୍ରିକେଟର ତିନୋଟି ଫର୍ମାଟରୁ ସନ୍ୟାସ ନେବାକୁ ଘୋଷଣା କରିଥିଲେ।
ଏହି ଘୋଷଣାର ଦୁଇ ମାସ ପରେ ହିଁ ସେ ନିଜ ଅବସର ଘୋଷଣା ରଦ୍ଦ କରି ହାଇଦ୍ରାବାଦ କ୍ରିକେଟ ଆସୋସିଏସନକୁ ପୁନର୍ବାର କ୍ରିକେଟ ଖେଳିବାକୁ ଇମେଲ ଜରିଆରେ ଆବେଦନ କରିଥିଲେ।
ଟିମ୍ ଇଣ୍ଡିଆ ପାଇଁ ୫୫ଟି ଓ୍ଵାନଡେ ମ୍ୟାଚ ଖେଳିଛନ୍ତି ଅମ୍ବାତି
ଅମ୍ବାତି ରାଇଡୁ ଭାରତ ପାଇଁ ୫୫ଟି ଓ୍ଵାନଡେ ମ୍ୟାଚ ଖେଳି ୧,୬୯୪ ରନ ସ୍କୋର କରିଛନ୍ତି। ସେ ୩ଟି ଶତକ ଏବଂ ୧୦ଟି ଅର୍ଦ୍ଧ ଶତକ ହାସଲ କରିଥିଲେ।
ଅମ୍ବାତି ୬ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି। ଏଥିରେ ସେ ୪୨ ରନ ସ୍କୋର କରିଥିଲେ। ଏହା ବ୍ୟତୀତ ସେ ୯୭ଟି ଫାଷ୍ଟକ୍ଲାସ ମ୍ୟାଚରେ ୬,୧୫୧ ରନ ସ୍କୋର କରିଥିଲେ।
Tags: #Sports #Cricket #IPL #Match #AmbatiRayudu


















