ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ କ୍ରିକେଟର ତଥା ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମ କୋର୍ଟ। ୧୯୮୮ ମସିହାରେ ସିଦ୍ଧୁଙ୍କ ଆକ୍ରମଣରେ ଗୁରୁନାମ ସିଂ ନାମବ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ପୂର୍ବରୁ ସିଦ୍ଧୁ ଏହି ମାମଲାରୁ ମୁକୁଳି ସାରିଥିଲେ। କିନ୍ତୁ ପ୍ରାଣ ହରାଥିବା ଗୁରୁନାମ ସିଂଙ୍କ ପରିବାର ପକ୍ଷରୁ ଉପର କୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରାଯାଇଥିଲା। ଏହି ମାମଲାର ଗୁରୁବାର ଶୁଣାଣି କରିଛନ୍ତି ସୁପ୍ରିମ କୋର୍ଟ।

୧୯୮୮ ମସିହା ଡିସେମ୍ବର ୨୭ ତାରିଖ ସନ୍ଧ୍ୟାରେ ନବଜୋତ ସିଂ ସିଦ୍ଧୁ ନିଜ ବନ୍ଧୁ ରୁପିନ୍ଦର ସିଂ ସିଦ୍ଧୁଙ୍କ ସହ ପଟିଆଲା ଶେରାବାଲେ ଗେଟ ମାର୍କେଟରେ ପହଞ୍ଚିଥିଲେ। ସେଠାରେ କାର ପାର୍କିଂ ସମୟରେ ଗୁରୁନାମଙ୍କ ସହ ବଚସା ହୋଇଥିଲା। କଥା ଏତେ ବିଗିଡ଼ି ଗଲାଯେ ହାତାହାତି ପର୍ଯ୍ୟନ୍ତ କଥାଗଲା। ସିଦ୍ଧୁଙ୍କ ମାଡ଼ରେ ଗୁରୁନାମ ଗୁରୁତର ଆହତ ହୋଇଥିଲେ। ଆହତ ଗୁରୁନାମ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁନାମଙ୍କର ମୃତ୍ୟୁ ହୋଇଥିଲା।

ପରିବାର ଲୋକ ସିଦ୍ଧୁଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଥିଲେ। ହୃଦଘାତରେ ଗୁରୁନାମଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ଆସିବା ପରେ ମାମଲା ରଫାଦଫା ହୋଇଥିଲା। କିନ୍ତୁ ପରେ ମୃତକଙ୍କ ପରିବାର ଉପର କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଆଜି ଏହି ମାମଲର ବିଚାର କରି ସୁପ୍ରିମ କୋର୍ଟ ସିଦ୍ଧୁଙ୍କୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ପରେ ସିଦ୍ଧୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ କୋର୍ଟଙ୍କ ରାୟକୁ ସମ୍ମାନ ଜଣାଉଛି। ତେବେ ଖୁବ ଶୀଘ୍ର ପଞ୍ଜାବ ପୋଲିସ ନବଜୋତ ସିଂ ସିଦ୍ଧୁଙ୍କୁ ଗିରଫ କରିବ ବୋଲି ସୂଚନା ମିଳିଛି।

Tags: #SupremeCourt #Hearing #NabjyotSinghSiddhu #Jail

Comment