ଓଡ଼ିଶାଲାଇଭ୍ ବ୍ୟୁରୋ

ଏଚଏଫଏମଡି ବା ‘ହାତ,ପାଦ ଓ ମୁହଁ’ ରୋଗର ପରିବର୍ତ୍ତିତ ସ୍ୱଭାବ ସମ୍ପର୍କରେ ଜାଣିବା ପାଇଁ  ଭୁବନେଶ୍ୱରସ୍ଥିତ ଏଆଇପିଏଚ ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା ରାଯାଉଛି

ଦେଶର ବିଭିନ୍ନ ସ୍ଥାନରେ ‘ହ୍ୟାଣ୍ଡ, ଫୁଟ୍ ଆଣ୍ଡ ମାଉଥ ଡିଜିଜ୍’ ବା ଏଚଏଫଏମଡି ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ବଢୁଥିବା ଦେଖିବାକୁ ମିଳୁଛି। କେବଳ ସେତିକି ନୁହେଁ ଏହି ଭୂତାଣୁ ସଂକ୍ରାମକ ରୋଗର ଲକ୍ଷଣରେ କେତେକ ପରିବର୍ତ୍ତନ ଆସିଥିବାରୁ ଏହାକୁ ନେଇ ଅଧିକ ଡାକ୍ତରୀ ଗବେଷଣା ଆବଶ୍ୟକ ବୋଲି ଭୁବନେଶ୍ଵରସ୍ଥିତ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଆଲାଏଡ୍ ହେଲଥ ସାଇନ୍ସେସର ଡିନ୍ ପ୍ରଫେସର ଡାକ୍ତର ଅର୍ଜିତ ମହାପାତ୍ର ଓଡ଼ିଶାଲାଇଭକୁ କହିଛନ୍ତି। ଏ ଦିଗରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଗବେଷଣା ଆରମ୍ଭ କରିଛି ବୋଲି ସେ ସୂଚନା ଦେଇଛନ୍ତି।

ଏଚଏଫଏମଡି ରୋଗ ସାଧାରଣତଃ ୫ ବର୍ଷ ବୟସର କମ୍ ପିଲାଙ୍କଠାରେ ଦେଖାଯାଇଥାଏ। ସେହିପରି ଜଣକୁ ଥରେ ଏହି ରୋଗ ହେଲେ ପୁଣି ଦେଖାଯାଇନଥାଏ। କିନ୍ତୁ ନିକଟରେ ଭୁବନେଶ୍ୱରର ଜଣେ ୧୨ ବର୍ଷ ବୟସର ପିଲାଠାରେ ଏହି ରୋଗ ଚିହ୍ନଟ କରାଯାଇଛି। ଏହି ଶିଶୁର ଦୁଇ ଦୁଇ ଥର ଏଚଏଫଏମଡି ସଂକ୍ରମଣ ହେବା ନେଇ ମଧ୍ୟ ରୋଗର ସ୍ୱଭାବ ସମ୍ପର୍କରେ ବିଶେଷଜ୍ଞଙ୍କ ମନରେ ପ୍ରଶ୍ନ ଉଠିଛି।

‘‘୨୦୧୪ ମସିହାରେ ମୋ ପୁଅକୁ ଯେତେବେଳେ ୪ ବର୍ଷ ବୟସ ହୋଇଥିଲା ସେତେବେଳେ ତା’ ପାଟି ଏବଂ ପାଦରେ ଲାଲ ଲାଲ ଫୋଟକା ଭଳିଆ ବାହାରିଥିଲା। ସେ କିଛି ଖାଇ ପାରିଲା ନାହିଁ। ଆମେ ତାକୁ ଡାକ୍ତର ଅର୍ଜିତ ମହାପାତ୍ରଙ୍କ ପାଖକୁ ନେଇଗଲୁ। ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ଯେ, ଏହା ହ୍ୟାଣ୍ଡ, ଫୁଟ, ମାଉଥ୍‌ ଡିଜିଜର ଲକ୍ଷଣ। ଉପଯୁକ୍ତ ଚିକିତ୍ସାରେ ରହିବାକୁ ଏହି ଫୋଟକା ଧୀରେ ଧୀରେ କମିଥିଲା। କିନ୍ତୁ ଏବେ ପୁଣିଥରେ ତା’ ହାତ, ପାଟି ଓ ପାଦରେ ଫୋଟକା ଭଳିଆ ବାହାରିବାରୁ ଆମେ ତାକୁ ପୁଣି ଡାକ୍ତରଙ୍କ ପାଖକୁ ନେଇକି ଗଲୁ। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଉପଯୁକ୍ତ ଚିକିତ୍ସାରେ ରହିବାରୁ ଏବେ ସେ ସୁସ୍ଥ ଅଛି’’, କହିଛନ୍ତି  ସଂପୃକ୍ତ ପିଲାର ମା’।

ଏଚଏଫଏମଡି ସାଧାରଣତଃ ୫ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କଠାରେ ଦେଖାଦେଇଥାଏ। ସେହିପରି ଜଣକୁ ଥରେ ଏହି ରୋଗ ହେଲେ ସାଧାରଣତଃ ଦ୍ୱିତୀୟ ଥର ହୋଇ ନଥାଏ। କିନ୍ତୁ ଏହି ରୋଗର ଭୂତାଣୁ ତା’ର ସ୍ୱଭାବ ବଦଳାଇଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ଶିଶୁଟି ୧୨ ବର୍ଷର ଏବଂ ତାକୁ ଦୁଇ ଦୁଇ ଥର ଏଚଏଫଏମଡି ହୋଇଛି। ତେଣୁ ଏହି ରୋଗର ପରିବର୍ତ୍ତିତ ସ୍ୱଭାବ ସମ୍ପର୍କରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି।

ହାତ, ପାଦ ଓ ମୁହଁ ରୋଗ କକ୍ସାକିଭାଇରସ ଏ-୧୬ ନାମକ ଭୂତାଣୁ ଦ୍ୱାରା ଶିଶୁକୁ ସଂକ୍ରମିତ କରିଥାଏ। ଏହି ରୋଗ ହେଲେ ହାତ, ପାଦ, ପାଟି ଓ ପିଚା ଆଦିରେ ନାଲି ନାଲି ଫୋଟକା ଭଳି ଫଳିଯିବା ସହିତ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ସାମାନ୍ୟ ଜ୍ୱର ହୋଇଥାଏ। ପାଟି ଓ ଗଳାରେ ଫଳିଯାଇ କଷ୍ଟ ହେବା ଫଳରେ ଶିଶୁ ଖାଇପାରେ ନାହିଁ।

ଏଚଏଫଏମଡି ଏକ ଅତି ସଂକ୍ରାମକ ରୋଗ। ଏହା ସଂକ୍ରମିତ ଶିଶୁ ସିଂଘାଣି, ଛେପ, ଖଙ୍କାର, ଫୋଟକାରୁ ବାହାରୁଥିବା ପାଣି ଏବଂ ମଳ ମାଧ୍ୟମରେ ଅନ୍ୟ ପିଲାଙ୍କୁ ସଂକ୍ରମିତ ହୋଇଥାଏ। କିଛିଦିନ ତଳେ ଏହି ରୋଗ ପ୍ରଥମେ କେରଳରେ ଚିହ୍ନଟ କରାଯାଇଥିଲା। ପରେ ଏହା କର୍ଣ୍ଣାଟକ ଓ ତାମିଲନାଡୁରେ ଦେଖିବାକୁ ମିଳିଥିଲା।

ଏବେ ଏହି ରୋଗ ଓଡ଼ିଶାରେ ଦେଖିବାକୁ ମିଳିଛି। ଭୁବନେଶ୍ୱର ଛଡ଼ା ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ରୋଗର ସମ୍ଭାବନା ଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବା ଜରୁରୀ ବୋଲି ଡାକ୍ତର ମହାପାତ୍ର କହିଛନ୍ତି। ତେଣୁ କୌଣସି ପିଲାଙ୍କଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳିଲେ ଅଭିଭାବକମାନେ ତୁରନ୍ତ ପିଲାକୁ ଶିଶୁ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ସହ ଆକ୍ରାନ୍ତଙ୍କୁ ଘରେ ଆଇସୋଲେସନରେ ରଖିବା ଦରକାର ବୋଲି ସେ କହିଛନ୍ତି। 

“ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଏକ ପ୍ରମୁଖ ଅନୁଷ୍ଠାନ ପରିଚିତ। ଏଠାରେ ବିଭିନ୍ନ ଜନସ୍ୱାସ୍ଥ୍ୟ ବିଷୟକୁ ନେଇ ବ୍ୟାପକ ଗବେଷଣା କରାଯାଉଛି। ଏବେ ଏଚଏଫଏମଡି ରୋଗର ପରିବର୍ତ୍ତିତ ଲକ୍ଷଣ, କାରଣ ଏବଂ ଚିକିତ୍ସା ସମ୍ପର୍କରେ ଆମେ ବିଶେଷ ଗବେଷଣା କରୁଛୁ। ଆମେ ଏ କ୍ଷେତ୍ରରେ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ଥିବା ଅତ୍ୟାଧୁନିକ ବିଏସଏଲ-୩ ଲାବୋରେଟୋରିକୁ ବ୍ୟବହାର କରୁଛୁ। ଏହି ଗବେଷଣାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ଅଛନ୍ତି। ଆଶା କରୁଛୁ ଏହି ଗବେଷଣା ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ ସହାୟକ ହେବ’’, ସୂଚନା ଦେଇ କହିଛନ୍ତି ଡାକ୍ତର ଅର୍ଜିତ ମହାପାତ୍ର।

ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଗବେଷଣାକୁ ଆଗେଇ ନେବା ପାଇଁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରସ୍ଥିତ ଅତ୍ୟାଧୁନିକ ଶିଶୁ ରୋଗ ଚିକିତ୍ସାକେନ୍ଦ୍ର ଜଗନ୍ନାଥ ହସ୍ପିଟାଲକୁ ‘ଟ୍ରାନ୍ସଲେସନାଲ ରିସର୍ଚ୍ଚ ସେଣ୍ଟର’ ଭାବେ ଅନୁବନ୍ଧିତ କରିଛି। ଡାକ୍ତର ଅର୍ଜିତ ମହାପାତ୍ରଙ୍କ ଅଧୀନରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ବିଷୟରେ ଗବେଷଣା କରୁଛନ୍ତି।

କରୋନା ମହାମାରୀ ସମୟରୁ ଏଆଇପିଏଚ୍ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଭୂତାଣୁ ବିଜ୍ଞାନ ଉପରେ ଶିକ୍ଷାଦାନ ଦିଆଯାଉଛି। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଭୂତାଣୁଜନିତ ରୋଗ ଓ ପ୍ରତିଷେଧକ ଟିକା ଆଦି ସମ୍ପର୍କରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅଧ୍ୟାପକ, ଅଧ୍ୟାପିକାଙ୍କ ତତ୍ତ୍ୱାବଧାନରେ ଗବେଷଣା କରିବାର ସୁଯୋଗ ମିଳୁଛି। ବିଶ୍ୱବିଦ୍ୟାଳୟ ପରିସରରେ ବିଏସଏଲ-୩ (ବାଇଓସେଫ୍ଟି ଲେଭଲ ଥ୍ରୀ) ଲ୍ୟାବ ଥିବାରୁ ଏଠାରେ ଭୂତାଣୁ ସଂକ୍ରମିତ ରକ୍ତ, କଫ, ମଳ, ମୂତ୍ର ଓ ଜୀବକୋଷ ଆଦିର ପରୀକ୍ଷଣ ଓ ବିଶ୍ଲେଷଣ କରାଯାଉଛି।

ଜନସ୍ୱାସ୍ଥ୍ୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଦେଶର ଏକ ପ୍ରମୁଖ ଉଚ୍ଚଶିକ୍ଷା ଅନୁଷ୍ଠାନ। ଏଠାରେ ବିଭିନ୍ନ ଜନସ୍ୱାସ୍ଥ୍ୟ ବିଷୟରେ ସ୍ନାତକ, ସ୍ନାତକୋତ୍ତର ଡିଗ୍ରୀ, ଡକ୍ଟରାଲ ଓ ପୋଷ୍ଟ ଡକ୍ଟରାଲ ଡିଗ୍ରୀ ପ୍ରଦାନ କରାଯାଉଛି। ଏହି ବିଶ୍ୱବିଦ୍ୟାଳୟରେ ପବ୍ଲିକ ହେଲଥ, ହେଲଥ ମ୍ୟାନେଜମେଣ୍ଟ, ବାୟୋଲୋଜିକାଲ ସାଇନ୍ସେସ ଏବଂ ଆଲାଏଡ୍ ହେଲଥ ସାଇନ୍ସେସ୍ ଭଳି ୪ଟି ବିଭାଗ ଅଧୀନରେ ବିଭିନ୍ନ ପାଠ୍ୟକ୍ରମ ରହିଛି।

Tags: #HFMD #AIPH #Health #Diesease #Experiments #AIPHUniversity

Comment