ଓଡ଼ିଶାଲାଇଭ୍ ବ୍ୟୁରୋ

ସିଲେବ୍ରିଟି କପୁଲ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତିଙ୍କ ପାରିବାରିକ କଳି ଏବେ ହାଟରେ ପଡ଼ି ବାଟରେ ଗଡ଼ିଲାଣି। ସୋସିଆଲ ମିଡିଆରେ ପରସ୍ପର ପରସ୍ପର ଉପରେ ଦୋଷ ଲଦିବା ସହ ଅନୁଭବଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ବର୍ଷା।

କେତେବେଳେ ରାଜନୀତିକୁ ନେଇ ତ କେତେବେଳେ ପାରିବାରିକ କଳହକୁ ନେଇ ବିବାଦରେ ପଡ଼ିଛନ୍ତି ଅଭିନେତାରୁ ନେତା ସାଜିଥିବା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋନାର ଶିକାର ହେଉଥିବା ଅନୁଭବ ମହାନ୍ତି ପୁଣି ବିବାଦରେ ଛନ୍ଦି ହୋଇପଡ଼ିଛନ୍ତି।

ଦୀର୍ଘ ଦିନ ହେଲା ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ ଜୀବନରେ ଝଡ଼ ଉଠିଛି। ଉଭୟଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଏବେ କୋର୍ଟରେ ବିଚାରାଧୀନ ରହିଛି। ଏହି ବିବାଦର ସମାଧାନ ନହେଉଣୁ ଦିନକୁ ଦିନ ନୂଆ ବିବାଦ ଉପୁଜିବାରେ ଲାଗିଛି ବର୍ଷା ଏବଂ ଅନୁଭବଙ୍କ ମଧ୍ୟରେ। ସୋସିଆଲ ମିଡିଆରେ ପରସ୍ପର ପରସ୍ପରକୁ ଦୋଷ ଲଦୁଥିବା ଦେଖିବାକୁ ମିଳୁଛି।

ଜଟିଳ ହେଉଛି ବିବାଦ

ଜଟିଳ ହେବାରେ ଲାଗିଛି ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା। ମେ’ ୨୦ ତାରିଖରେ ଅନୁଭବ ମହାନ୍ତି ଗୋଟିଏ ଭିଡିଓ ପୋଷ୍ଟ କରି ପତ୍ନୀ ବର୍ଷାଙ୍କ ନାଁ ନନେଇ ଜୀବନ ସାଥୀ ବାଛିବାରେ ଭୁଲ କରିଥିବା କହିଥିଲେ। ଏହା ପରେ ବର୍ଷା ଅନୁଭବଙ୍କୁ କଡ଼ା ସମାଲୋଚନା କରିଥିଲେ। ପୁଣି ଆଉ ଗୋଟିଏ ଭିଡିଓ ଜାରି କରି ବର୍ଷାଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ଅନୁଭବ। ଏହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ବିରୋଧରେ କଟକ ପୁରୀଘାଟ ଥାନାରେ ଏତଲା ଦେଇଥିଲେ।

ଗତ ମଙ୍ଗଳବାର ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ତୃତୀୟ ଭିଡିଓ ପୋଷ୍ଟ କରିବା ସହ ବର୍ଷାଙ୍କୁ ଟାର୍ଗେଟ କରିଛନ୍ତି। ସତ ପଦାକୁ ଆଣିବା ଲାଗି ଦରକାର ପଡ଼ିଲେ ସୁପ୍ରିମକୋର୍ଟ ଯିବେ ବୋଲି ଏହି ଭିଡିଓରେ କହିଛନ୍ତି ଅନୁଭବ।

କୋର୍ଟରେ ପାରିବାରିକ ବିବାଦର ଶୁଣାଣି

ଅନ୍ୟପଟେ ମେ’ ୨୪ ତାରିଖରେ କଟକ ଏସଡିଜେଏମ୍ କୋର୍ଟରେ ବର୍ଷାଙ୍କ ତରଫରୁ ଦାୟର ପାରିବାରିକ ହିଂସା ମାମଲା ଏବଂ ଅନୁଭବଙ୍କ ପକ୍ଷରୁ ଦାୟର ଦୁଇଟି ପିଟିସନର ଶୁଣାଣି ହୋଇଛି। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣି ରାୟ ସଂରକ୍ଷିତ ରଖିଛନ୍ତି। କଟକ ଏସଡିଜେଏମ୍ କୋର୍ଟରେ ଉଭୟ ପକ୍ଷ ସେମାନଙ୍କ ଯୁକ୍ତି ରଖିଛନ୍ତି। ବର୍ଷା ମୂଳ ଆବେଦନରେ ବିକଳ୍ପ ରହଣୀ ବ୍ୟବସ୍ଥା ଚାହିଁଥିଲେ। ଆମେ ସେଥିପାଇଁ ପ୍ରସ୍ତୁତ ବୋଲି ଏହାର ଜବାବରେ କହିଥିଲେ ଅନୁଭବ। ନିଜ ପୈତୃକ ଘର ବ୍ୟତୀତ ଅନ୍ୟ ସ୍ଥାନରେ ବର୍ଷାଙ୍କ ରହିବା ବ୍ୟବସ୍ଥା କରିବାକୁ ଅନୁମତି ଦେବା ପାଇଁ କୋର୍ଟଙ୍କୁ ଅନୁରୋଧ କରିଛନ୍ତି ଅନୁଭବ।

ସ୍ୱାମୀ-ସ୍ତ୍ରୀ ବିବାଦରେ ପରିବାର ସଦସ୍ୟଙ୍କୁ ହଇରାଣ କରାଯାଇପାରିବ ନାହିଁ ବୋଲି ଅନୁଭବ କହିବା ସହ ସୁପ୍ରିମକୋର୍ଟଙ୍କ ରାୟର ଉଦାହରଣ ଦେଇଥିଲେ। ବର୍ଷାଙ୍କ ଓକିଲ ପକ୍ଷ ରଖି କହିଥିଲେ ବର୍ଷା ଏବେ ଏକୁଟିଆ ରହୁଥିବାରୁ ସେ ବାହାରେ ରହିବା ଅସୁରକ୍ଷିତ। ସେ ଏକାକୀ ଅନ୍ୟ ଘରେ ରହିପାରିବେ ନାହିଁ। ତାଙ୍କୁ ସୁରକ୍ଷା ମଧ୍ୟ ଦରକାର। କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଶୁଣାଣିବେଳେ ଅନୁଭବ କୋର୍ଟରେ ଉପସ୍ଥିତ ଥିଲେ କିନ୍ତୁ ବର୍ଷାଙ୍କୁ ଦେଖିବାକୁ ମିଳିନଥିଲା।

ଅନୁଭବଙ୍କ ତୃତୀୟ ଭିଡିଓ

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଅଡ଼ୁଆରେ ପଡ଼ିଥିବା ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷାଙ୍କ ଉପରେ ବର୍ଷିଛନ୍ତି। ଦରକାର ପଡ଼ିଲେ ସେ ସୁପ୍ରିମକୋର୍ଟ ଯିବେ ଏବଂ ବର୍ଷାଙ୍କ ସବୁ ସତ ପଦାକୁ ଆଣିବେ ବୋଲି ଭିଡିଓରେ ଚେତାବନୀ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଫରେନ୍ସିକ, ଲାଏ ଡିଟେକ୍ସନ ଏବଂ ମେଡିକାଲ ଟେଷ୍ଟ ପାଇଁ ବର୍ଷାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ। 

ଏହାପୂର୍ବରୁ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ପୋଷ୍ଟ କରିଥିଲେ ଅନୁଭବ ମହାନ୍ତି। ଏଭଳି କରି ଅନୁଭବ ତାଙ୍କ ଚରିତ୍ର ସଂହାର କରିବା ସହ ମାନସିକ ନିର୍ଯାତନା ଦେଉଥିବା ଦର୍ଶାଇ ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଏତଲା ଦେଇଥିଲେ।

ଜୀବନ ସାଥୀକୁ ନେଇ ଅନୁତାପ କଲେ ଅନୁଭବ

ଜୀବନ ସାର୍ଥୀ ବାଛିବାରେ ମୁଁ ଭୁଲ କରିଦେଲି। ଗତ ୨୦ ତାରିଖରେ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲା କରି ଏମିତି କିଛି କହିଥିଲେ। ବର୍ଷା-ଅନୁଭବଙ୍କ ବୈବାହିକ ଜୀବନରେ ଝଡ଼ ଉଠିବା ପରେ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ଇତି ମଧ୍ୟରେ ଦୀର୍ଘଦିନ ପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରି ମନର ବ୍ୟଥାକୁ ବଖାଣିଥିଲେ।

ଅନୁଭବ କହିଥିଲେ, “୧୪ ବର୍ଷ ହେଲା ମୁଁ ଅନେକ ସମସ୍ୟା ଭୋଗୁଛି। ମୁଁ ମୋ ଜୀବନରେ ସମସ୍ତଙ୍କୁ ସମ୍ମାନ ଦିଏ। ଏମିତିକି ନାରୀଙ୍କ ପ୍ରତି ମୋର ସମ୍ନାନ ମଧ୍ୟ ରହିଛି। କିନ୍ତୁ ମୁଁ ମୋ ଜୀବନରେ ବହୁତ ବଡ଼ ଭୁଲ ନିଷ୍ପତ୍ତି ନେଇଛି। ଯାହାର ପରିଣାମ ମୋତେ ଆଜି ଭୋଗିବାକୁ ପଡ଼ୁଛି। ଭଲ ପାଇ ସିନା ବିବାହ କଲି, କିନ୍ତୁ ଭଲ ଜୀବନସାଥୀଟିଏ ପାଇଲି ନାହିଁ। ଜୀବନସାଥୀ ବାଛିବାରେ ମୋର ବହୁତ ବଡ଼ ଭୁଲ ହୋଇଗଲା”।

ପତ୍ନୀ ବର୍ଷାଙ୍କ ନାଁ ନନେଇ ଏହିଭଳି କିଛି କହିବା ସହ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଆଉ ସହିବେ ନାହିଁ ବୋଲି କହିଥିଲେ। ଏହାର ପରିମାଣ ସେମାନେ ନିଶ୍ଚୟ ଭୋଗିବେ ବୋଲି ସ୍ପଷ୍ଟ ଭାବେ ଭିଡଓରେ କହିଥିଲେ ଅନୁଭବ।

ବର୍ଷାଙ୍କ ଏତଲା ପରେ ପ୍ରତିକ୍ରିୟା ରଖିଲେ କଟକ ଡିସିପି

ଅନୁଭବ ଭିଡିଓ ଭାଇରାଲ କରି ସମ୍ମାନ କ୍ଷୁର୍ଣ୍ଣ କରୁଥିବା ବର୍ଷା ଅଭିଯୋଗ କରିବା ସହ କଟକ ପୁରୀଘାଟ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ବର୍ଷାଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଥିଲେ କଟକ ଡିସିପି ପିନାକ ମିଶ୍ର। ସେ କହିଥିଲେ ବର୍ଷା ପୂର୍ବରୁ ଏକାଧିକ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପରେ କିଏ ସତ କହୁଛି କିଏ ମିଛ କହୁଛି ଜଣାପଡ଼ିବା ପରେ ପଦକ୍ଷେପ ନିଆଯିବ ବୋଲି ଡିସିପି କହିଛନ୍ତି।

ଜାଣିଶୁଣି ମୋତେ ବଦନାମ କରୁଛନ୍ତି ଅନୁଭବ: ବର୍ଷା

ଅନୁଭବଙ୍କ ଭିଡିଓ ପୋଷ୍ଟ ହେବା ପରେ ବର୍ଷା ଏତଲାରେ ଦର୍ଶାଇଛନ୍ତି ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି। ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି। ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି। ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାର ଛଡ଼ାଇ ନେଉଛନ୍ତି। ଏହା ସହ ଅନୁଭବଙ୍କ ସହ ତାଙ୍କର ମନୋମାଳିନ୍ୟ ପଛରେ ଦିଲ୍ଲୀରେ ରହୁଥିବା ଅନୁଭବଙ୍କ ବାନ୍ଧବୀ ଦାୟୀ ବୋଲି ବର୍ଷା ଲିଖିତ ଅଭିଯୋଗ କରିଛନ୍ତି। 

ସେ ଆହୁରି ଉଲ୍ଲେଖ କରିଛନ୍ତି, ୨୦୨୦ ମସିହାରେ ଛାଡ଼ପତ୍ର ଦେବାକୁ ସ୍ଵାମୀ ଅନୁଭବ ତାଙ୍କୁ ବାଧ୍ୟ କରିଥିଲେ। ରାଜି ନହେବାରୁ ସମାଜରେ ବାଟ ଚଲାଇ ଦେବେନି ବୋଲି ସେ ଧମକ ଦେଇଥିଲେ। ସେବେଠାରୁ ସେ ପ୍ରତିଶୋଧପରାୟଣ ହୋଇଯାଇଛନ୍ତି।  ମୋତେ ଗ୍ରହଣ କରିବାକୁ ସେ ଅନେକ ସର୍ତ୍ତ ରଖିଥିଲେ। ତାଙ୍କର ସର୍ତ୍ତ ଥିଲା ମୁଁ କୌଣସି ସିନେମା କରିବି ନାହିଁ, ରାଜନୀତି କିମ୍ବା  ସମାଜସେବା କରିବି ନାହିଁ ଏପରିକି ମୋ ମା’ଙ୍କ ଘରକୁ ଯିବାକୁ ବାରଣ କରୁଥିଲେ। ତାଙ୍କ କଥା ନମାନିବାର ଏବେ ଅନୁଭବ ହିଂସ୍ର ହୋଇପଡ଼ିଛନ୍ତି ବୋଲି ବର୍ଷା ଅଭିଯୋଗରେ ଦର୍ଶାଇଛନ୍ତି।

ଦିନକୁ ଦିନ ଭିନ୍ନ ଭିନ୍ନ ମୋଡ଼ ନେବାକୁ ଲାଗିଛି ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ। ଷ୍ଟାର କପୁଲଙ୍କ ଏହି ବିବାଦକୁ ନେଇ ନେଇ ଏବେ ଚାରଆଡ଼େ ଚର୍ଚ୍ଚା। ଏହି ବିବାଦର ଅନ୍ତ କେବେ ହେବ ତା’ ଉପରେ ସମସ୍ତଙ୍କ ନଜର।

Tags: #BarshaPriyadarshini #AnubhabMohanty #MarriageControversy #CelebrityCouple

Comment