ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

“ନାରୀ” – ଯାହା ବିନା ଏ ଦୁନିଆକୁ ପରିକଳ୍ପନା କରାଯାଇପାରେନା। କେତେବେଳେ ସେ ମା’ ତ ଆଉ କେତେବେଳେ ଅଳିଅଳୀ ଝିଅଟିଏ। ସେ ଭଉଣୀ ପୁଣି ପ୍ରେମିକା ଆଉ ପତ୍ନୀ। କିନ୍ତୁ ଏ ସମାଜରେ ସବୁବେଳେ ନାରୀ ପ୍ରତି ଥାଏ ଏକ ଭିନ୍ନ ଦୃଷ୍ଟିକୋଣ। ଫିଲ୍ମ ଜରିଆରେ ସେହି ଦୃଷ୍ଟିକୋଣରେ ପରବର୍ତ୍ତନ ଆଣିବାକୁ ଏକ ଭିନ୍ନ ସ୍ୱାଦର କାହାଣୀ ଏଥର ଭେଟି ଦେଉଛନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ କୁମାର ପରିଜା, ଯାହାର ନାଁ ହେଉଛି ‘ଦୃଷ୍ଟିକୋଣ’।

ଫିଲ୍ମଟି ମେ’ ୨୭ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ଓଡ଼ିଆ ସିନେମା ଜଗତରେ ଏକ ବିପ୍ଳବ ଆଣିବ ବୋଲି ଫିଲ୍ମର ପ୍ରଯୋଜକ ଅକ୍ଷୟ ପରିଜା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ସମାଜରେ ନାରୀମାନଙ୍କ ପ୍ରତି ଥିବା ଦୃଷ୍ଟିକୋଣକୁ ନେଇ ଫିଲ୍ମର କାହାଣୀ ଆଧାରିତ ହୋଇଛି। ନାରୀର ବେଶ ପରିପାଟି, ଶରୀର ଓ ଗଢ଼ଣକୁ ନେଇ ସେମାନେ ଅନେକ ସମୟରେ ସମାଲୋଚନାର ଶିକାର ହୁଅନ୍ତି। ଅନେକ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନର ଶିକାର ହୁଅନ୍ତି। ଫିଲ୍ମ ‘ଦୃଷ୍ଟିକୋଣ’ ଏହାରି ବିରୋଧରେ ଏକ ସ୍ୱର।

ଜଣେ ମହିଳା ସମାଜରେ ସାମ୍ନା କରୁଥିବା ଘଟଣାବଳୀକୁ ସୁନ୍ଦର ଭାବରେ ଏହି ଫିଲ୍ମରେ ଉପସ୍ଥାପନା କରାଯାଇଛି। ଫିଲ୍ମଟିରେ ନିର୍ଦ୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି। ସେହିପରି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏଲିନା ସାମନ୍ତରାୟ, ଲିଜା ନାୟକ, ହର ରଥ, ଅଙ୍କିତ ମହାନ୍ତି, ଚୌଧୁରୀ ବିକାଶ ଦାସ, ସରୋଜ ପରିଡ଼ା, ବିଶିଷ୍ଟ କବି ହରପ୍ରସାଦ ଦାସ।

ଫିଲ୍ମରେ ନବାଗତା ଅଭିନେତ୍ରୀ ଲିଜା ନାୟକଙ୍କ ଏଂଟ୍ରି ଦର୍ଶକଙ୍କୁ ଆକର୍ଷିତ କରିବ। ସେହିପରି ଅଭିନେତ୍ରୀ ଏଲିନା ସାମନ୍ତରାୟ ପ୍ରଥମ ଥର ଏଥିରେ ଜଣେ ପୋଲିସ ଅଧିକାରୀ ଚରିତ୍ରରେ ଆସିଛନ୍ତି। ଖାକି ବର୍ଦ୍ଦିରେ ଏଲିନାଙ୍କ ନିଆରା ଲୁକ୍‌ ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦ ଦେବ ବୋଲି ନିର୍ମାତାମାନେ ଆଶାବାଦୀ ଅଛନ୍ତି।

‘‘ଗତ ୨ ବର୍ଷ ହେବ ସିନେମା ଇଣ୍ଡଷ୍ଟ୍ରି କରୋନା ପାଇଁ ବେଶ୍‌ ପ୍ରଭାବିତ ହୋଇଛି। ଅନେକ ଲୋକ କାମ ହରାଇଛନ୍ତି। ତେଣୁ ସେମିତି କିଛି ଲୋକଙ୍କୁ କାମ ଦେବା ସହିତ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ କରିବାକୁ ଏ ସିନେମା କରିବା ପାଇଁ ଭାବିଲି। ‘ଦୃଷ୍ଟିକୋଣ’ ଫିଲ୍ମଟି ଓଡ଼ିଆ ସିନେମା ଜଗତରେ ଏକ ବିପ୍ଳବ ଆଣିବ ବୋଲି ମୋର ବିଶ୍ୱାସ’’, କହନ୍ତି ପ୍ରଖ୍ୟାତ ଫିଲ୍ମ ପ୍ରଯୋଜକ ଅକ୍ଷୟ କୁମାର ପରିଜା।

Comment