ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଓଡ଼ିଆ ପୁଅଙ୍କୁ ବୀରତା, ସାହସିକତା ଏବଂ ଆତ୍ମ ବଳିଦାନ ପାଇଁ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରାଯାଇଛି। ଦିଲ୍ଲୀ ରାଷ୍ଟ୍ରପତି ଭବନଠାରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମରଣୋତ୍ତର ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି ଓଡ଼ିଶା ପୋଲିସର ଦୁଇ କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁଙ୍କୁ। ସହିଦ ଦୁଇ ବୀର ଯବନଙ୍କର ବାପା ମା’ ଏହି ସମ୍ମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ଗ୍ରହଣ କରିଛନ୍ତି। ଦେବାଶିଷ ସେଠୀଙ୍କ ମା’ ଛାୟା ସେଠୀ ଏବଂ ପିତା ସନାତନ ସେଠୀ ଏହି ସମ୍ମାନ ଗ୍ରହଣ କରିଥିବାବେଳେ ସୁଧୀର ଟୁଡୁଙ୍କ ମା’ ଜଉନା ଟୁଡୁ ଏହି ସମ୍ମାନ ଗ୍ରହଣ କରିଥିଲେ।

୨୦୨୦ ସେପ୍ଟେମ୍ବର ୯ ତାରିଖରେ କଳାହାଣ୍ଡି ଜିଲ୍ଲାର କେ.ରାମପୁରର ସିକ୍ରି ଗାଁ ନିକଟରୁ ଦୁଇଜଣଙ୍କୁ ମାଓବାଦୀ ଅପହରଣ କରିନେଇଥିଲେ। ଏହି ସୂଚନା ପରେ ଏସଓଜିର ୧୭ ଜଣିଆ ଟିମ୍ ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ମାଓବାଦୀମାନେ ଏସଓଜି ଯବାନମାନଙ୍କୁ ଚାରିପଟୁ ଘେରିଯାଇଥିଲେ। ଉଭୟ ପକ୍ଷର ଗୁଳି ବିନିମୟ ବେଳେ ଦେବାଶିଷ ସେଠୀଙ୍କ ଦେହରେ ୩ଟି ଗୁଳି ବାଜିଥିଲା।

ସେହିଭଳି ସୁଧୀର ଟୁଡୁ ସାହସ ପ୍ରଦର୍ଶନ କରି ମାଓବାଦୀଙ୍କ କ୍ୟାମ୍ପ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ଏହି ସମୟରେ ସେ ମଧ୍ୟ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ। ଏହି ଦୁଇ ବୀର ଯବାନଙ୍କ ପାଇଁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହି ଗୁଳି ବିନିମୟ ସମୟରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।  

୨୦୨୧ ଅଗଷ୍ଟ ୧୪ ତାରିଖରେ ଦେବାଶିଷ ସେଠୀ ଏବଂ ସୁଧୀର ଟୁଡୁଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଇ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିବା ନିମନ୍ତେ ଘୋଷଣା କରାଯାଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୬ ଜଣଙ୍କୁ ମରଣୋତ୍ତର ସହ ମୋଟ ୧୩ ଜଣଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Tags: #SahidJawan #Marrtyred #OdiaSahidJawam #ShauryaChakraSamman

Comment