ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହେଉଛି ଶକ୍ତି ପୂଜାର ପ୍ରାଚୀନ ପୀଠ। ଝଙ୍କଡ଼ ପୀଠ ତନ୍ମଧ୍ୟରୁ ଅନ୍ୟତମ। ଏବେ ମା’ ଝଙ୍କଡ଼ ଶାରଳାଙ୍କ ପୀଠ ନୂଆ ରୂପ ନେବାକୁ ଯାଉଛି। ଏଥିପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହେବା ସହ ରାଜ୍ୟ ସରକାରଙ୍କର ଅନୁମୋଦନ ମିଳିଛି। ମା’ ସାରଳାଙ୍କ ପୀଠର ନବକଳେବର ପାଇଁ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାର ଖର୍ଚ୍ଚ କରିବେ ୪୨ କୋଟି ଟଙ୍କା।

ଝଙ୍କଡ଼ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫-ଟି ସଚିବ ଭି କେ ପାଣ୍ଡିଆନ ନିକଟରେ ମା’ ସାରଳାଙ୍କ ପୀଠ ପରିଦର୍ଶନ କରି ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ମା’ଙ୍କ ପୀଠର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲା। ଏହା ସହ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ତଦନୁଯାୟୀ ୫-ଟି ଉପକ୍ରମରେ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବା ପାଇଁ ଏହାକୁ ଇଣ୍ଟିଗ୍ରେଟେଡ ଡେଭେଲପମେଣ୍ଟ ଅପ୍ ହେରିଟେଜ ଆଣ୍ଡ ମନୁମେଣ୍ଟସ ଆଣ୍ଡ ଟୁରିଷ୍ଟ ଡେଷ୍ଟିନେସନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି।

ଭୁବନେଶ୍ଵରଠାରେ ଅନୁଷ୍ଠିତ ଏକ ବୈଠକରେ ଏହି ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ତ୍ତ ବିଭାଗର ମାଷ୍ଟର ପ୍ଲାନ ଉପସ୍ଥାପନ କରାଯାଇଥିଲା। ମା’ଙ୍କ ପୀଠର ନବକଳେବର ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିବା ସହ ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ବର୍ଷକ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ନବୀକରଣ ଅନ୍ତର୍ଗତ ମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିରଗୁଡ଼ିକର ବିକାଶ କରାଯିବ। ଏହା ସହିତ ପୁଷ୍କରଣୀର ବିକାଶ, ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ଵାର ନିର୍ମାଣ ସହ ଐତିହ୍ୟ ପାଚେରୀ ନିର୍ମାଣ କରଯିବ। ଏତଦ୍‌ ବ୍ୟତୀତ ମନ୍ଦିରର ରୋଷଘର, ଆନନ୍ଦ ବଜାର, ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ।

ଯାତ୍ରୀ ତଥା ସେବାୟତମାନଙ୍କ ସୁବିଧା ନିମନ୍ତେ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୋଲିସ କଣ୍ଟ୍ରୋଲ ରୁମ୍‌, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ। ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ। ଏହା ସହ ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ।

ମନ୍ଦିର ପାଖରେ ବିଭିନ୍ନ ଦୋକାନ ଖୋଲିଥିବା ବ୍ୟବସାୟୀମାନଙ୍କୁ ଶୃଙ୍ଖଳିତ ଭାବରେ ଥଇଥାନ କରାଯିବ। ବର୍ତ୍ତମାନର ସପିଂ କମ୍ପ୍ଲେକ୍ସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ସେଠାରେ ଗାଡ଼ି ମଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ।

ମା’ଙ୍କ କୃପାରୁ ଆଦି କବି ସାରଳା ଦାସ ସିଦ୍ଧି ଲାଭ କରି ଓଡ଼ିଆ ଭାଷାରେ ମହାଭାରତ ରଚନା କରିଥିଲେ। ଓଡ଼ିଆ ସାହିତ୍ୟରେ ନୂଆ ଯୁଗର ଆରମ୍ଭ କରିଥିଲେ। ଆଦିକବିଙ୍କ ସ୍ମୃତିରେ ନଣ୍ଡା ଦେଉଳ ବରଗଛ ନିକଟରେ ସାରଳା ଦାସଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତୀ ନିର୍ମାଣ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ଦ୍ଵିତୀୟ ପର୍ଯ୍ୟାୟରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ଚଉଡ଼ା କରାଯିବ।

ଏହି କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି କେ ପାଣ୍ଡିଆନ ସଂଯୋଜନା କରିଥିଲେ। ଆଲୋଚନାରେ ଭାଗ ନେଇଥିବା ସେବାୟତମାନେ ସରକାରଙ୍କ ଏହି ପଦକ୍ଷେପର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଦେଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ, ଜଗତସିଂହପୁର ଜିଲ୍ଲାପାଳ ଓ ସେବାୟତମାନେ ଯୋଗ  ଦେଇଥିଲେ।

Tags: #JhankadPitha #MaaSaralaTemple #Renovation #TransFermatin #5T

Comment