ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗୀର ଜିଲ୍ଲାରେ ନିଆଁ ବର୍ଷା ହେଉଛି। ଆଜି ବଲାଙ୍ଗୀରରେ ତାପମାତ୍ରା ୪୫.୩ ଡିଗ୍ରୀ ରେକର୍ଡ କରାଯାଇଛି। ଟିଟିଲାଗଡ଼ରେ ତାପମାତ୍ରା ୪୫.୨ ଡିଗ୍ରୀ ରେକର୍ଡ ହୋଇଛି। ପଶ୍ଚିମ ଓଡ଼ିଶାରେ ଅସହ୍ୟ ତାତିରେ ଆଉଟପାଉଟ ହେଉଛନ୍ତି ଲୋକେ। ଆହୁରି ଦୁଇ ଦିନ ତାପମାତ୍ରାରେ ବୃଦ୍ଧି ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

ପଶ୍ଚିମ ଓଡ଼ିଶାରେ ସ୍ଵଭାବିକଠାରୁ ୪ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଗ୍ରୀଷ୍ମ ପ୍ରବାହ ନେଇ ବରଗଡ଼, ନୂଆପଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ ସମ୍ବଲପୁରକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ବଲାଙ୍ଗିରେ ୪୫.୩ ଡିଗ୍ରୀ ଏବଂ ଟିଟିଲାଗଡ଼ରେ ତାପମାତ୍ରା ୪୫.୨ ଡିଗ୍ରୀ ଛୁଇଁ ଥିବାବେଳେ ଅନ୍ୟ ୯ ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଛି।

ଏହା ସହିତ ରାଜ୍ୟର ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ରୋଗୀ, ବୟସ୍କ ଏବଂ ଶିଶୁଙ୍କୁ ଖରାକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଗ୍ରୀଷ୍ମ ପ୍ରବାହ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଉପକୂଳ ଓଡ଼ିଶାରେ ତାତି ଅଧିକ ନଥିଲେ ମଧ୍ୟ ଗୁଳୁଗୁଳି ଅସହ୍ୟ କରୁଛି ଲୋକଙ୍କୁ। ଉପକୂଳ ଓଡ଼ିଶାରେ ତାପମାତ୍ରା ୩୫ରୁ ୩୮ ଡିଗ୍ରୀ ମଧ୍ୟରେ ରହୁଥିବା ରେକର୍ଡ କରାଯାଇଛି। ଆସନ୍ତା ଜୁନ ୧୨ ତାରିଖରୁ ରାଜ୍ୟରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ବିଭାଗ।

Tags: #Weather #HeatWave #Bolangir #YellowWarning

Comment