ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଇବା ତେଲ ମୂଲ୍ୟରେ ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ସାଧାରଣ ଗ୍ରାହକ। ବଜାରକୁ ଗଲେ ଦେଖିଚାହିଁ ତେଲ କିଣୁଥିଲେ। କିନ୍ତୁ ଏବେ ଗ୍ରାହକଙ୍କ ପାଇଁ ଖୁସି ଖବର ନେଇ ଆସିଛନ୍ତି ଖାଇବା ତେଲ କମ୍ପାନିଗୁଡ଼ିକ। ଗୋଟିଏ ପରେ ଗୋଟିଏ ତେଲ କମ୍ପାନି ଏବେ ଲିଟର ପିଛା ୧୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟରେ ହ୍ରାସ କରିଛନ୍ତି।

ଧାରା କମ୍ପାନି ନାଁରେ ବିକ୍ରି କରୁଥିବା ସହକାରୀ କମ୍ପାନି ମଦର ଡାଏରୀ ସୋରିଷ, ସୋୟାବିନ ଏବଂ ସନଫ୍ଲାଓ୍ଵାର ତେଲ ମୂଲ୍ୟରେ ହ୍ରାସ କରିଛି। ଅନ୍ୟ ବ୍ରାଣ୍ଡେଡ ତୈଳ କମ୍ପାନିମାନେ ମଧ୍ୟ ଖାଇବା ତେଲ ମୂଲ୍ୟ ହ୍ରାସ କରିବାକୁ ଯାଉଛନ୍ତି। ଖୁବ ଶୀଘ୍ର ହ୍ରାସ ମୂଲ୍ୟ ବିଶିଷ୍ଟ ଖାଇବା ତେଲ ବଜାରରେ ଉପଲବ୍ଧ ହେବ ବୋଲି ତେଲ କମ୍ପାନିଗୁଡ଼ିକ ସୂଚନା ଦେଇଛନ୍ତି।

ଶସ୍ତା ହେଲା ଧାରା

ମଦର ଡାଏରୀ ଏକ ବିଜ୍ଞପ୍ତି ଜାରି କରି କହିଛି, ଧାରା ବ୍ରାଣ୍ଡର ଖାଇବା ତେଲ ମୂଲ୍ୟରେ ହ୍ରାସ କରାଯାଇଛି। ପ୍ରାୟ ୧୫ ଟଙ୍କା ପର୍ଯ୍ୟନ୍ତ ଲିଟର ପ୍ରତି ଖାଇବା ତେଲ ମୂଲ୍ୟରେ ହ୍ରାସ ହୋଇଛି। ଅନ୍ତର୍ଜାତୀୟ ବଜାରକୁ ରପ୍ତାନୀ କମ୍ ହୋଇଛି ଏବଂ ଦେଶରେ ପର୍ଯ୍ୟାପ୍ତ ପରିମଣର ସନଫ୍ଲାଓ୍ଵାର ତେଲ ଉପଲବ୍ଧ ରହିଛି। ଏହି କାରଣରୁ କମ୍ପାନି ସୋରିଷ, ସୋୟାବିନ ଏବଂ ସନଫ୍ଲାଓ୍ଵାର ତେଲ ମୂଲ୍ୟରେ ହ୍ରାସ କରିବାକୁଯାଉଛି। ହ୍ରାସ ହୋଇଥିବା ତେଲ ପ୍ୟାକେଟ ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ପାମ ଅଏଲ ବି ଶସ୍ତା ହେଲା

ଇଣ୍ଡିଆନ ଭେଜେଟେବୁଲ ଅଏଲ ପ୍ରଡ୍ୟୁସର୍ସ ଆସୋସିଏସନର ଅଧ୍ୟକ୍ଷ ସୁଧାକର ରାଓ ଦେସାଇ କହିଛନ୍ତି ଯେ, ଖାଇବା ତେଲ ମୂଲ୍ୟରେ ହ୍ରାସ ହେବା ଖରବ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପରେ ସେମାନଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ବର୍ତ୍ତମାନ ପାମ ଅଏଲ ମୂଲ୍ୟରେ ଲିଟର ପିଛା ୭ରୁ ୮ ଟଙ୍କା ହ୍ରାସ ହୋଇଛି। ସନଫ୍ଲାଓ୍ଵାର ଏବଂ ସୋରିଷ ତେଳ ମୂଲ୍ୟରେ ୧୦ରୁ ୧୫ ଟଙ୍କା ଲିଟର ପିଛା ହ୍ରାସ କରାଯାଇଛି। ଏହା ସହିତ ସୋୟାବିନ ତେଲ ଲିଟର ପିଛା ୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଛି। ନୂଆ ମୂଲ୍ୟ ଯୁକ୍ତ ଖାଇବା ତେଲ ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ।

ଶସ୍ତା ହେବ ଫର୍ଚ୍ୟୁନ ଅଏଲ

ଧାରା କମ୍ପାନିର ଖାଇବା ତେଲ ମୂଲ୍ୟ କମିବା ପରେ ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟ ଖାଇବା ତେଲ ମୂଲ୍ୟ ହ୍ରାସ କରିଛନ୍ତି। ଖାଇବା ତେଲର ସବୁଠାରୁ ବଡ଼ କମ୍ପାନି ଆଦାନୀ ଓ୍ଵିଲମାରର ପରିଚାଳନା ନିର୍ଦ୍ଦେଶକ ଅଙ୍ଗୁସ ମଲିକ କହିଛନ୍ତି ଯେ, କମ୍ପାନି ନିଜର ଫର୍ଚ୍ୟୁନ ବ୍ରାଣ୍ଡ ଅନ୍ତର୍ଗତ ଆସୁଥିବା ସମସ୍ତ ଖାଇବା ତେଲର ମୂଲ୍ୟରେ ହ୍ରାସ କରିବାକୁ ଯାଉଛି। ବଜାରର ଟ୍ରେଣ୍ଡ ଅନୁସାରେ ଖୁବଶୀଘ୍ର ହ୍ରାସ ହୋଇଥିବା ଖାଇବା ତେଲର ପ୍ୟାକେଟ ବଜାରରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ଆହୁରି କମିବ ‘ଫ୍ରିଡମ ସନଫ୍ଲାଓ୍ଵାର’ ତେଲ ମୂଲ୍ୟ

ହ୍ରାଇଦ୍ରାବାଦ ସ୍ଥିତ କମ୍ପାନି ଜେମିନି ଏଡିବୁଲ ଆଣ୍ଡ ଫ୍ୟାଟସ ନିଜ ଖାଇବା ତେଲ ମୂଲ୍ୟରେ ହ୍ରାସ କରିଛି। ଗତ ସପ୍ତାହରେ ‘ଫ୍ରିଡମ ସନଫ୍ଲାଓ୍ଵାର ‘ତେଲରେ ଏକ ଲିଟର ପିଛା ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରି ୨୨୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କମ୍ପାନି ଫ୍ରିଡମ ସନଫ୍ଲାଓ୍ଵାର ତେଲ ଲିଟର ପିଛା ଆହୁରି ୨୦ ଟଙ୍କା ହ୍ରାସ କରିବାକୁ ଯାଉଛି।

ଗତ କିଛି ସପ୍ତାହ ହେଲା ରୁଷ ଏବଂ ଆର୍ଜେଣ୍ଟିନା ଭଳି ଦେଶକୁ ଭାରତରୁ ସନଫ୍ଲାଓ୍ଵାର ତେଲ ଯୋଗାଣରେ ବୃଦ୍ଧି ହୋଇଛି। ଖାଇବା ତେଲ ମୂଲ୍ୟରେ ହ୍ରାସ ହେବା ପରେ ଏହି ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହାକୁ ଦେଖି କମ୍ପାନିଗୁଡ଼ିକ ଖାଇବା ତେଲ ମୂଲ୍ୟରେ ହ୍ରାସ କରିବାକୁ ଚିନ୍ତା କରିଥିଲେ। ଅନ୍ୟ ପଟେ କେନ୍ଦ୍ର ସରକାର ଅଶୋଧିତ ସୂର୍ଯ୍ୟମୁଖୀ ତୈଳ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିଥିଲେ। ଦେଶରେ ସୂର୍ଯ୍ୟମୁଖୀ ମଞ୍ଜି ଆମଦାନୀ ଚଳିତ ବର୍ଷ ଉତ୍କୃଷ୍ଟ ହୋଇଥିବା ଜଣାପଡ଼ିଛି। ଏହି କାରଣରୁ ଖାଇବା ତେଲ ମୂଲ୍ୟରେ ହ୍ରାସ କରାଯାଇଥିବା କୁହାଯାଉଛି।

Tags: #Food #Oil #CookingOil #EdibleOil #Price

Comment