ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ଦିନରେ ଇଣ୍ଡିଆନ ଆର୍ମିର ପ୍ରମୁଖ ଅଂଶ ହେବାକୁ ଯାଉଛନ୍ତି ‘ଅଗ୍ନିବୀର’। ଅଗ୍ନିବୀରଙ୍କୁ ମିଳିବାକୁ ଥିବା ସୁବିଧା ଏବଂ ସର୍ତ୍ତ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଅଗ୍ନିବୀରଙ୍କୁ ସେନା ଭଳି ସମସ୍ତ ସୁବିଧା ପ୍ରଦାନ କରାଯିବ, କିନ୍ତୁ ପରିଚୟ ଟିକିଏ ଭିନ୍ନ ରହିବ। ସେନା ଯବାନମାନଙ୍କ ୟୁନିଫର୍ମଠାରୁ ‘ଅଗ୍ନିବୀର’ଙ୍କ ୟୁନିଫର୍ମ ଅଲଗା ରହିବ ଏବଂ ସେଥିରେ ଭିନ୍ନ ବ୍ୟାଚ ଲାଗିବ।

‘ଅଗ୍ନିବୀର’ଙ୍କ ପାଇଁ ରହିଥିବା ସୁବିଧା ଏବଂ ନିୟମ ସମ୍ପର୍କୀତ ଏକ ତାଲିକା ଇଣ୍ଡିଆନ ଆର୍ମି ପକ୍ଷରୁ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ‘ଅଗ୍ନିବୀର’ଙ୍କୁ ଭାରତୀୟ ସେନାର ଯବାନମାନଙ୍କ ଭଳି ହାର୍ଡସିପ ଆଲାଉନ୍ସ ମିଳିବ, ଏହା ବ୍ୟତୀତ ‘ଅଗ୍ନିବୀର’ଙ୍କୁ ଯାତ୍ରା ଏବଂ ପୋଷାକ ଖର୍ଚ୍ଚ ମଧ୍ୟ ଦିଆଯିବ। ‘ଅଗ୍ନିବୀର’ ସେନା ଯବାନମାନଙ୍କ ସହ ଏକାଠି ଖାଇବେ ଏବଂ ଏକାଠି କାମ ମଧ୍ୟ କରିବେ।

‘ଅଗ୍ନିବୀର’ଙ୍କ ଦରମା

ଅଗ୍ନିବୀରଙ୍କୁ ୩୦ ହଜାର ଦରମା ସହିତ ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତି ପ୍ରଦାନ କରାଯିବ। କିନ୍ତୁ ସେମାନଙ୍କ ଦରମାରୁ ୩୦ ପ୍ରତିଶତ ସେବାନିଧି ଫଣ୍ଡରେ ଜମା କରାଯିବ। ଅର୍ଥାତ ‘ଅଗ୍ନିବୀର’ଙ୍କ ହାତକୁ ପ୍ରଥମ ବର୍ଷ ୨୧ ହଜାର ଟଙ୍କା ଯିବ। ଏହା ପୂରା ଗୋଟେ ବର୍ଷ ପାଇଁ ଲାଗୁ ହେବ। ଏହା ସହିତ ଅଗ୍ନିବୀରଙ୍କ ଦରମାରୁ ଯେତିକି ଟଙ୍କା କଟା ଯିବ ସରକାର ମଧ୍ୟ ସେତିକି ଟଙ୍କା ସେବାନିଧି ଫଣ୍ଡରେ ଜମା କରିବେ। ‘ଅଗ୍ନିବୀର’ଙ୍କ ଦରମାରୁ ୯ ହଜାର ଏବଂ ସରକାରଙ୍କ ତରଫରୁ ୯ ହଜାର ମୋଟ ୧୮ ହଜାର ଟଙ୍କା ସେବାନିଧି ଫଣ୍ଡରେ ଜମା ହେବ।

ଯଦି ଆର୍ମି ଯବାନଙ୍କ କଥା କୁହାଯାଏ। ଜଣେ ଯୁବକ ଆର୍ମିରେ ପ୍ରଥମେ ସିପାହୀ ଭାବେ ଯୋଗ ଦେଇଥାନ୍ତି। ଦଶମ ଉତ୍ତୀର୍ଣ୍ଣ ହୋଇଥିବା ସିପାହୀ ପ୍ରାୟ ୨୧,୭୦୦ ଟଙ୍କାରେ ନିଯୁକ୍ତ ହୋଇଥାନ୍ତି। ଏହା ବ୍ୟତୀତ ତାଙ୍କୁ ୫,୨୦୦ ଟଙ୍କା ମିଲିଟ୍ରି ସର୍ଭିସ ପେ’, ଯାତ୍ରା ଖର୍ଚ୍ଚ ପାଇଁ ପ୍ରାୟ ୧୮୦୦ ଟଙ୍କା ଏବଂ ୩୪ ପ୍ରତିଶତ ମହଙ୍ଗା ଭତ୍ତା ମଧ୍ୟ ମିଳିଥାଏ। ଅର୍ଥାତ ଜଣେ ସିପାହୀଙ୍କୁ ପ୍ରଥମ ମାସରେ ୩୯ ହଜାର ଟଙ୍କା ମିଳିଥାଏ।

ଏହି କ୍ଷେତ୍ରରେ ଦେଖିବାକୁ ଗଲେ ‘ଅଗ୍ନିବୀର’ଙ୍କୁ ଦ୍ଵିତୀୟ ବର୍ଷର ଗ୍ରସ ସାଲାରି ୩୩ ହଜାର, ତୃତୀୟ ବର୍ଷରେ ୩୬,୫୦୦ ଏବଂ ଚତୁର୍ଥ ବର୍ଷରେ ୪୦ ହଜାର ଟଙ୍କା ଦରମା ମିଳିବ। ଏଥିରୁ ୩୦ ପ୍ରତିଶତ କଟାଯିବା ପରେ ବାକି ଅର୍ଥ ‘ଅଗ୍ନିବୀର’ଙ୍କ ହାତକୁ ଆସିବ।

ପେନସନ ଏବଂ ଅବସର ସୁବିଧା

ସେନା ଯବାନମାନଙ୍କୁ ୧୫ ବର୍ଷର ଚାକିରିରୁ ଅବସର ନେବା ପରେ ପେନସନ ଏବଂ ଗ୍ରାଚ୍ୟୁଟିର ସୁବିଧା ମିଳୁଛି। କିନ୍ତୁ ‘ଅଗ୍ନିବୀର’ଙ୍କୁ ୪ ବର୍ଷର ଚାକିରି ଅବଧି ପରେ ପେନସନ ଏବଂ ଗ୍ରାଚ୍ୟୁଟି ସୁବିଧା ସହ ଅନେକ ସୁବିଧା ସୁଯୋଗ ପ୍ରଦାନ କରାଯିବାକୁ ଯୋଜନା ରହିଛି। ‘ଅଗ୍ନିବୀର’ଙ୍କ ୪ ବର୍ଷର ଚାକିରି କାଳ ମଧ୍ୟରେ କଟୁଥିବା ଅର୍ଥ ମୋଟା ଆକାରରେ ମିଳିବ। ସେବା ଶେଷ ହେବା ସମୟରେ ସେବାନିଧି ଫଣ୍ଡରେ ମୋଟ ୧୦.୦୪ ଲକ୍ଷ ହୋଇଥିବ। କିନ୍ତୁ ସୁଧ ରାଶି ମିଶି ମୋଟ ୧୧.୭୧ ଲକ୍ଷ ଟଙ୍କା ମିଳିବ। ଏହି ଟଙ୍କା ଉପରେ କୌଣସି କର ଦେବାକୁ ପଡ଼ିବ ନାହିଁ।

କମ୍ ଛୁଟି ମିଳିବ

‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତ ହୋଇଥିବା ‘ଅଗ୍ନିବୀର’ଙ୍କୁ ବର୍ଷକୁ ମାତ୍ର ୩୦ଟି ଛୁଟି ମିଳିବ ବୋଲି ସରକାର ଘୋଷଣା କରିଛନ୍ତି। ଆବଶ୍ୟକ ପଡ଼ିଲେ ମେଡିକାଲ ଲିଭ୍ ମିଳିପାରିବ। କିନ୍ତୁ ଭାରତୀୟ ସେନାରେ ନିଯୁକ୍ତ ଯବାନମାନଙ୍କ ପାଇଁ ବାର୍ଷିକ ୯୦ ଦିନର ଛୁଟି ସୁବିଧା ରହିଛି।

ଅଲଗା ବ୍ୟାଚ ହେବ

‘ଅଗ୍ନିବୀର’ଙ୍କୁ ଭିନ୍ନ ପରିଚୟ ମିଳିବ। ‘ଅଗ୍ନିବୀର’ ନିଜ ଚାକିରି କାଳ ମଧ୍ୟରେ ନିଜ ୟୁନିଫର୍ମରେ ଏକ ସ୍ଵତନ୍ତ୍ର ପ୍ରତୀକ ଚିହ୍ନ ଧାରଣ କରିବେ। ଏଥିରେ ବିସ୍ତୃତ ନିର୍ଦ୍ଦେଶ ଅଲଗା ଜାରି କରାଯିବ। ଅର୍ଥାତ୍ ଆର୍ମି ଯବାନ, ନେଭି ସେଲର ଏବଂ ଏୟାର ଫୋର୍ସର ଏୟାରମ୍ୟାନମାନଙ୍କଠାରୁ ‘ଅଗ୍ନିବୀର’ଙ୍କ ବ୍ୟାଚ୍ ଭିନ୍ନ ରହିବ।

Tags: #AgnipathScheme #Agniveer #Emplyment #Career

Comment