ଓଡ଼ିଶାଲାଇଭ୍ ବ୍ୟୁରୋ

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ଗାଲିରହିଥିବା ସବୁ କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଶେଷରେ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ। ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ କରିଛି।

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ଯଶୱନ୍ତ ସିହ୍ନା ଓ ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ଲଢ଼େଇ ହେବା ନିଶ୍ଚିତ ହୋଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗତ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଛନ୍ତି। ଏନଡିଏ ସଂସଦୀୟ ବୈଠକରେ ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ଲାଗିଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସର୍ବସମ୍ମତି କ୍ରମେ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି।

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ନିମନ୍ତେ ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଦ୍ରୌପଦୀ ମୁର୍ମୁଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷର ଦ୍ରୌପଦୀ ମୁର୍ମୁଙ୍କ ନାଁରେ ମୋହର ମାରିଲା ଏନଡିଏ। ଓଡ଼ିଶାର ଆଦିବାସୀ ନେତ୍ରୀ ହେଉଛନ୍ତି ଦ୍ରୌପଦୀ ମୁର୍ମୁ। ତାଙ୍କ ଘର ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାରେ। ୧୯୯୭ ମସିହାରେ ରାଇରଙ୍ଗପୁରର ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସରକାରରେ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି ସେ। ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ଭାବେ ସେ ଗୌରବ ହାସଲ କରିଛନ୍ତି। ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ତେବେ ସେ ଓଡ଼ିଶାରୁ ପ୍ରଥମ ରାଷ୍ଟ୍ରପତି ହେବାର ସୌଭାଗ୍ୟ ପ୍ରାପ୍ତ କରିବେ।

Tags: #Politics #Election #IndianaPolitics #OdishaPolitics #PresidentElection #DraupadiMurmu

Comment