ନୀଳାମ୍ବର ରଥ

ରାଈ। ରାଈମୋହନ। ଖଳନାୟକ ରାଈମୋହନ ପରିଡ଼ା। କ୍ଷମା କରିବେ, ରାଈମୋହନ ଖଳନାୟକ ନଥିଲେ, ଥିଲେ ନିଜ ଜୀବନ କାହାଣୀର ନାୟକ।

ସିନେମା ବା ଟେଲିଭିଜନ୍ ପରଦାରେ ଏବଂ ରଙ୍ଗମଞ୍ଚ ବା ଅପେରାରେ ସେ ହୁଏତ ଥିଲେ ଜଣେ ଜବରଦସ୍ତ ଖଳନାୟକ। ତାଙ୍କ ଡାଏଲଗରେ ପରଦା ହଲି ଯାଉଥିଲା। ଦର୍ଶକମାନେ ମଜ୍ଜି ଯାଉଥିଲେ। କିନ୍ତୁ ତାଙ୍କ ନିଜ ଜୀବନ କାହାଣୀରେ ଏତେ ଡ୍ରାମା ଥିଲା ତାକୁ ତାଙ୍କ ମୁହଁରୁ ନ ଶୁଣିଲେ ହୁଏତ ବିଶ୍ଵାସ କରିହେବ ନାହିଁ। ହଁ, ତାଙ୍କ ଜୀବନ ନାଟକର ନାୟକ ଥିଲେ ସେ। ଆଉ ଆଜି ଯେତେବେଳେ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି, ସେ ନିଜ କାହାଣୀର ପୁଣି ଖଳନାୟକ ପାଲଟିଯାଇଛନ୍ତି।

ଏଇ ପ୍ରାୟ ଗୋଟିଏ ମାସ ତଳେ ତାଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା ହୋଇଥିଲା। ଲଗାତାର ଦୁଇ, ତିନି ଥର କଥାବାର୍ତ୍ତା। ଓଡ଼ିଶାଲାଇଭ୍‌ ପାଇଁ ତାଙ୍କର ସାକ୍ଷାତକାର ରେକର୍ଡ ପରେ ଭିଡିଓର ସମ୍ପାଦନା ବେଳେ ତାଙ୍କ ଜୀବନର କେତେକ ନାଟକୀୟ ମୋଡ଼ ବିଷୟରେ ମୁଁ ପ୍ରଥମ ଥର ଜାଣିବାକୁ ପାଇଥିଲି। ଏହି ସାକ୍ଷାତକାରରେ ଆମୂଳଚୂଳ ତାଙ୍କର ଯେଉଁ ଉତ୍ସାହ ଥିଲା ତା’ ଦେଖିବା କଥା। ଜଣେ ମଣିଷର ସ୍ଵରରେ ସେତିକିବେଳେ ଉତ୍ସାହ ଆସେ ଯେତେବେଳେ ସେ ନିଜକୁ ପରିପୂର୍ଣ୍ଣ ଭାବେ ଉପସ୍ଥାପନ କରିପାରେ। କିନ୍ତୁ କାହିଁକି ହଠାତ୍ ଏ ନାଟକୀୟ ଯବନିକା ପଡ଼ିଲା ଭାବି ହେଉନାହିଁ।

ଏହି ସାକ୍ଷାତକାର ମତେ କେମିତି ଲାଗିଲା ବୋଲି ସେଦିନ ସେ ମୋଠାରୁ ଜାଣିବାକୁ ଚାହିଁଥିଲେ। ଏହି କଥାବାର୍ତ୍ତା ଆଳରେ ଆମେ କେତେ ଦଶନ୍ଧି ପଛକୁ ଫେରି ଯାଇଥିଲୁ। ତାଙ୍କ ଜୀବନର ପ୍ରଥମ ମିଡିଆ ସାକ୍ଷାତକାର କରିଥିଲେ ଏଇ ଲେଖକ। ରାଈମୋହନ ଯେତେବେଳେ ସଙ୍ଗୀତ ମହାବିଦ୍ୟାଳୟରେ ନାଟକ ବିଭାଗରେ ସ୍ନାତକର ଛାତ୍ର ଥିଲେ ମୁଁ ତାଙ୍କୁ ଭେଟି ତାଙ୍କ ଉପରେ ଏକ ଲେଖା ପ୍ରସ୍ତୁତ କରିଥିଲି। ଏହି ଲେଖାଟି ସେତେବେଳେ ଲୋକପ୍ରିୟ ଥିବା ମାସିକ ଚଳଚ୍ଚିତ୍ର ପତ୍ରିକା ‘ଚିତ୍ରକଥା’ରେ ପ୍ରକାଶିତ ହୋଇଥିଲା। ଏଇ କଥାକୁ ସେଦିନ ମନେ ପକାଇଥିଲେ ରାଈ।

ଛାତ୍ର ଜୀବନରୁ ବିଭିନ୍ନ ଗଣମାଧ୍ୟମରେ ଲେଖାଲେଖି କରିବା, ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା, ଏପରିକି ବିଭିନ୍ନ ବିଷୟରେ ରିପୋର୍ଟିଂ ଏବଂ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ନେବା ମୋର ନିଶା ଥିଲା। ଏହା ସମ୍ଭବ ଥିଲା ଏକ ଦୀର୍ଘ ସାମ୍ବାଦିକ ଜୀବନ ପାଇଁ ମୂଳଦୁଆ। ସେଦିନ ଫୋନ୍‌ରେ କଥାବାର୍ତ୍ତା ବେଳେ ରାଈମୋହନ ମୋ କ୍ୟାରିୟର୍ ଓ ପାରିବାରିକ ଜୀବନ ବିଷୟରେ ବିଭିନ୍ନ କଥା ଜାଣିବାକୁ ଚାହିଁଲେ ଓ ପୁରୁଣା କଥା ମନେ ପକାଇଲେ। ତାଙ୍କ ସହ ଯଦିଓ ଅନେକ ବର୍ଷ ପରେ ମୋର ସିଧାସଳଖ କଥାବାର୍ତ୍ତା ହେଉଥିଲା କିନ୍ତୁ ମନେ ହେଲା ଯେମିତି ଆମେ ଦୁଇ ଜଣ ପରସ୍ପରକୁ ଖୁବ୍ ନିକଟରୁ ଜାଣୁ ଓ ପରସ୍ପରର ଖବର ରଖୁ। କହିବାର ଅର୍ଥ ହେଉଛି ପରଦାର ଖଳନାୟକ ଯେ ଜଣେ ଏତେ ମଧୁରଭାଷୀ ଓ ବନ୍ଧୁବତ୍ସଳ ହୋଇପାରେ ରାଈମୋହନ ତା’ର ଏକ ଉଦାହରଣ।

ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲରେ ରାଈମୋହନଙ୍କ ସାକ୍ଷାତକାର ରହିଛି। ଏହା ସମ୍ଭବତଃ ତାଙ୍କର ଶେଷ ଦୀର୍ଘ ସାକ୍ଷାତକାର। ପ୍ରାୟ ଘଣ୍ଟିକିଆ ସାକ୍ଷାତକାରରେ ସେ ତାଙ୍କର ଛାତ୍ର ଜୀବନ, ଅଭିନେତା ଜୀବନର ଆରମ୍ଭ, ପ୍ରେମ ଓ ବିବାହ ଏବଂ ଜୀବନର ବିଭିନ୍ନ ସଂଘର୍ଷ ତଥା ମୋଡ଼ ସମ୍ପର୍କରେ ଅତି ସୁନ୍ଦର ଭାବେ ଖୋଲି କହିଛନ୍ତି।

ଗାଁରେ ଡ୍ରାମା କଲାବେଳେ କେମିତି ତାଙ୍କ ବାପା ଲୁଚି ଲୁଚି ଆସି ପୁଅର ନାଟକ ଦେଖୁଥିଲେ ସେ ଅଧ୍ୟାୟଟି ବେଶ୍ ଆବେଗମୟ। ଯଦି ତାଙ୍କ ବାପା ସେଦିନ ରାଈଙ୍କୁ ମଞ୍ଚରେ ଦେଖିନଥାନ୍ତେ ହୁଏତ ରାଈମୋହନ ଭୁବନେଶ୍ଵର ଆସି ସଙ୍ଗୀତ ମହାବିଦ୍ୟାଳୟରେ ଆସି ପାଠ ପଢ଼ିବା ଓ ପରବର୍ତ୍ତୀ ଜୀବନରେ ଜଣେ ପେସାଦାର ଅଭିନେତା ହେବା ସମ୍ଭବ ହୋଇପାରିଥାନ୍ତା କି ନାହିଁ!

ଡ୍ରାମା କଲେଜରେ ପାଠ ପଢ଼ିଲା ବେଳେ ତାଙ୍କର ଅନେକ ଆର୍ଥିକ ସମସ୍ୟା ରହିଥିଲା। ଏହି କଥାକୁ ସେ ଅତି ସ୍ଵାଭାବିକ ଭାବେ ବର୍ଣ୍ଣନା କରିଛନ୍ତି। ଗୋଟେ ବର୍ଷା ଦିନରେ ସେ କେମିତି ଜଣେ ଗ୍ରାହକଙ୍କୁ ରିକ୍ସା ଚଲାଇ ନେଇ ଯାଇଥିଲେ ସେ କାହାଣୀ ଯେତିକି ରୋଚକ ମନେହେବ ସେତିକି ଆବେଗିକ ମଧ୍ୟ। ଜଣେ କଳାକାରର ନିଶା ଆଗରେ ଅର୍ଥ ବା କୌଣସି ପ୍ରକାରର ଅଭାବ ଯେ ପ୍ରତିବନ୍ଧକ ହୋଇପାରେ ନାହିଁ ଓଲିଓଡ ଅଭିନେତା ରାଈମୋହନଙ୍କ ଜୀବନ ଏଇ କଥା ହିଁ କହେ।

ରାଈମୋହନଙ୍କ ଚେହେରା ଥିଲା ଦୀର୍ଘ ଓ ବଳିଷ୍ଠ। ସ୍ଵର ବେଶ୍ ଭାରି। ଚେହେରାର ରଙ୍ଗ ବେଶ୍ ଉଜ୍ଜ୍ଵଳ। ଶରୀର ଓ ମନରେ ସବୁବେଳେ ଭରପୂର ଉତ୍ସାହ। ତେଣୁ ସେ ନେଗେଟିଭ୍ ରୋଲ୍ କରନ୍ତୁ ବା ପଜିଟିଭ୍ କରନ୍ତୁ ସବୁ ପ୍ରକାର ଚରିତ୍ରରେ ଭଲ ଅଭିନୟ କରିପାରୁଥିଲେ। ମୁଁ ତାଙ୍କୁ ମୁଖ୍ୟତଃ ଜଣେ ଖଳନାୟକ ଭାବେ ଦେଖିଆସିଛି। କିନ୍ତୁ ସେଦିନ ଓଡ଼ିଶାଲାଇଭ୍ ସାକ୍ଷାତକାରରେ ସେ ଗୋଟିଏ ଟିଭି ସିରିୟଲରେ ବାପା ରୋଲ୍ କରୁଥିବା ବିଷୟ କହୁଥିଲେ। ସେ ସିରିୟଲ୍ ମୁଁ ଦେଖିନାହିଁ। କିନ୍ତୁ ରାଈମୋହନ ତାଙ୍କ ଝିଅ ସେହି ଟେଲି ସିରିୟଲର ଅଭିନୟକୁ ନେଇ କ’ଣ ପ୍ରତିକ୍ରିୟା ରଖିଥିଲେ ସେ ବିଷୟ ଶୁଣି ଖୁସି ଲାଗିଥିଲା।

ଜଣେ ଅଭିନେତା ସାଧାରଣ ଲୋକ ନଜରରେ ଯାହା ଦିଶେ ତା’ର ଚରିତ୍ର କେବଳ ସେ ଗୋଟିଏ ଦିଗ ଭିତରେ ସୀମିତ ହୋଇ ରହିନଥାଏ। ଓଲିଉଡର ଏହି ବଳିଷ୍ଠ ଅଭିନେତା ରାଈମୋହନ ତେଣୁ ବିଭିନ୍ନ ଭୂମିକାକୁ ସୁନ୍ଦର ଭାବେ ଫୁଟାଇ ପାରୁଥିଲେ। ହେଲେ ନିଜ ଜୀବନ ଭୂମିକାରେ କେଉଁଠି କିଛି ଗୋଟାଏ ତ୍ରୁଟି ବିଚ୍ୟୁତି ରହିଗଲା କି ଯାହାକୁ ସେ ମୁକାବିଲା କରିପାରିଲେ ନାହିଁ!

ସେଦିନ ଟେଲିଫୋନ୍ କଥାବାର୍ତ୍ତା ବେଳେ ସେ ପଚାରିଥିଲେ ଏ ଭିଡିଓ ସାକ୍ଷାତକାର କ’ଣ ଚାଲିବ? ମୁଁ କହିଥିଲି, ନିଶ୍ଚିତ। ଦେଖନ୍ତୁ ବର୍ଷକରେ ୫ ଲକ୍ଷ ଭିଉଜ୍ ଛୁଇଁବ। ଆଜି ତାଙ୍କ ପାଇଁ ଏ ସ୍ମୃତିଲେଖ ପ୍ରସ୍ତୁତ କଲାବେଳେ ମୁଁ ଦେଖୁଛି ସେହି ସଂଖ୍ୟା ପ୍ରାୟ ୨ ମାସ ଭିତରେ ଏକ ଲକ୍ଷ ଛ’ଷଠି ହଜାର ଛୁଇଁଛି। ତେବେ ଏକଥା ସତ ଯେ, ଅଭିନେତା ରାଈମୋହନଙ୍କ ଭିଡିଓ କେତେ ଲକ୍ଷ ଭିଉ ଛୁଇଁପାରିବ ତାହା ବାସ୍ତବିକ ତାଙ୍କ ଲୋକପ୍ରିୟତା ଓ ମଣିଷପଣିଆର ପରିଚୟ ନୁହେଁ। କାରଣ କୌଣସି ମଣିଷକୁ ଠିକ୍ ଭାବେ ବୁଝିବାକୁ ହେଲେ ଏସବୁ ନମ୍ବରକୁ ପଛରେ ପକାଇ ତାକୁ ଅତି ପାଖରୁ ଦେଖିବାକୁ ହେବ।

ଅନେକ ବର୍ଷ ଧରି ଅଭିନେତା ରାଈମୋହନଙ୍କୁ ମୁଁ ଅତିପାଖରୁ ଦେଖିନାହିଁ। କିନ୍ତୁ କାନ ପାଖରେ ଯେମିତି ତାଙ୍କର ସ୍ଵର ଟାଇଁ ଟାଇଁ ବାଜିଯାଉଛି!

ବିଦାୟ ବନ୍ଧୁ!

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଓଡ଼ିଶାଲାଇଭ୍‌ର ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ)

Tags: #RaimohanParida #DeathStory #ActorRaimohanParida #Nilambar Rath

Comment