ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। ଓଡ଼ିଶାରେ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬ ଜଣ ରହିଛନ୍ତି। ଆଗକୁ ରଥଯାତ୍ରା ଥିବାରୁ କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢ଼ିଛି। ଏଣେ କୋଭିଡକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ରଥଯାତ୍ରା ସମୟରେ ପୁରୀକୁ ଆସୁଥିବା ଭକ୍ତମାନଙ୍କ ପାଇଁ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ସେ କହିଛନ୍ତି।

କୋଭିଡ ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ରଥଯାତ୍ରାରେ ସାମିଲ ହେବାରୁ ବଞ୍ଚିତ ହୋଇଥିଲେ ଭକ୍ତ। ଚଳିତ ବର୍ଷ ରଥଯାତ୍ରାରେ ସାମିଲ ହେବାକୁ ଭକ୍ତଙ୍କୁ ଅନୁମତି ମିଳିଛି। ତେଣୁ ଘୋଷଯାତ୍ରା ସମୟରେ ପୁରୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ଏହା ସାଙ୍ଗକୁ ଏବେ ରାଜ୍ୟରେ କୋଭିଡ ସଂକ୍ରମଣ ପୁଣି ବଢ଼ିବା ଆରମ୍ଭ କରିଛି। ରଥଯାତ୍ରା ସମୟରେ ସଂକ୍ରମଣ ବୃଦ୍ଧି ହେବାର ସମ୍ଭାବନା ରହିଥିବାରୁ କୋଭିଡ ଲକ୍ଷଣ ଥିଲେ ପୁରୀକୁ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଲକ୍ଷଣ ଥିଲେ ତୁରନ୍ତ କୋଭିଡ ପରୀକ୍ଷା କରାଇବାକୁ କୁହାଯାଇଛି।

ରଥଯାତ୍ରା ସମୟରେ ପୁରୀରେ ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ ଏବଂ ବଡ଼ଦାଣ୍ଡରେ ସ୍ଵାସ୍ଥ୍ୟ କେନ୍ଦ୍ର ଖୋଲାଯିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ଯଥାସମ୍ଭବ ଭିଡ଼ଠାରୁ ଦୂରେଇ ରହିବା ସହ ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି।

Tags: #Covid19 #CoronaVirus #RathaYatra #CarFestival #WearingMask #Health #HealthDeptartment

Comment