ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଜୁଲାଇ ୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳାଫଳ। ଏ ନେଇ ସୋମବାର ଦିନ ସୂଚନା ଦେଇଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆସନ୍ତା ୬ ତାରିଖ ଦିନ ୧ଟାରେ ଫଳାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଜୁଲାଇ ପ୍ରଥମ ସପ୍ତାହରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ ବୋଲି ଗତ ସପ୍ତାହରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ। ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମାଟ୍ରିକ ରେଜଲ୍ଟ ସମ୍ପର୍କରେ ଘୋଷଣା କରିଥିଲେ।

ମାଟ୍ରିକ୍ ପରୀକ୍ଷା ଫଳାଫଳ ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଥିବା ସେ କହିଛନ୍ତି। ପୂର୍ବରୁ ମାଟ୍ରିକ ପରୀକ୍ଷା ଫଳ ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ବୋଲି ଗତ ୪ ତାରିଖରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଥିଲେ।

ଚଳିତ ବର୍ଷ ରାଜ୍ୟର ୫ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ଗତ ଏପ୍ରିଲ ୨୯ ତାରିଖରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହୋଇଥିଲା। କୋଭିଡ କଟକଣା ପାଳନ କରି ପରୀକ୍ଷା ହଲରେ ବସି ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ରାଜ୍ୟର ମୋଟ ୩,୫୪୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା। ଦୁଇ ବର୍ଷ ପରେ ପରୀକ୍ଷା ହଲ୍‌ରେ ବସି ପରୀକ୍ଷା ଦେଇଥିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ।

ଗତ ମେ’ ମାସ ୨୧ ତାରିଖରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦଶମ ଶ୍ରେଣୀ ସହିତ ଏସଓଏସସି ଏବଂ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ କରାଯାଇଥିଲା। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା। ଏଥିପାଇଁ ନିୟୋଜିତ ହୋଇଥିଲେ ୪୮୧ ଜଣ ମୁଖ୍ୟ ପରୀକ୍ଷକ, ୯୦୦ ଜଣ ଉପ ପରୀକ୍ଷକ, ୮,୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କୃଟିନାଇଜର।

Tags: #Education #School #Exam #MatricResult #SchoolAndMassEducationMinister

Comment