ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁକୁ ୪ ଦିନ ବିତିବା ପରେ ମଙ୍ଗଳବାର ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ଶ୍ୱାସରୁଦ୍ଧ ଯୋଗୁଁ ରୁଚିକାଙ୍କ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ରୁଚିକା ବେକରେ ଫାଶି ଦେବା ପରେ ତାଙ୍କର ଶ୍ୱାସରୁଦ୍ଧ ହୋଇଥିବା ରିପୋର୍ଟରେ ଦର୍ଶାଯାଇଥିବା ଜଣାପଡ଼ିଛି। ଏ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି।BJB Auto. Collegeଆଜି ରୁଚିକାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଅଧିକ ପରୀକ୍ଷା ପାଇଁ ଭିସେରା ନମୁନା ଲ୍ୟାବକୁ ପଠାଯାଇଛି। ସେହିପରି ରୁଚିକାଙ୍କୁ ରାଗିଂ କରିଥିବା ୩ ଜଣ ଛାତ୍ରୀଙ୍କ ଠିକଣା ଏ ଯାବତ୍ ପୋଲିସ ହାତରେ ଲାଗିନଥିବା ଡିସିପି ପ୍ରତୀକ ସିଂ କହିଛନ୍ତି।

ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ରୁଚିକାଙ୍କ ପରିବାର ଲୋକେ। ଶ୍ୱାସରୁଦ୍ଧ ଯୋଗୁଁ ଝିଅର ମୃତ୍ୟୁ ହୋଇଥିବା ଘଟଣାକୁ ପରିବାର ଲୋକେ ଅସ୍ୱୀକାର କରିବା ସହ ତାଙ୍କୁ ମାରି ଦିଆଯାଇଥିବା ରୁଚିକାଙ୍କ ବାପା ଅଭିଯୋଗ କରିଛନ୍ତି। ସେହିପରି ଏବେ ବି ରୁଚିକାଙ୍କ ମା’ ନ୍ୟାୟ ଦାବିରେ ବିଜେବି କଲେଜ ଗେଟ୍ ସାମ୍ନାରେ ଧାରଣାରେ ବସିଛନ୍ତି।ବିଜେବି କଲେଜରେ ଯୁକ୍ତ ତିନି ଇତିହାସ ସମ୍ମାନରେ ଛାତ୍ରୀ ଥିଲେ ରୁଚିକା ମହାନ୍ତି। ତାଙ୍କ ଘର କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳରେ ହୋଇଥିବା ବେଳେ ସେ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ। ଗତ ଶନିବାର ବିଜେବି କଲେଜର କାରୁବାକି ଛାତ୍ରୀ ନିବାସର ୨୨୧ ନମ୍ଵର ରୁମରୁ ରୁଚିକାଙ୍କ ମୃତ ଦେହ ମିଳିଥିଲା। ସିନିୟରଙ୍କ ରାଗିଂରେ ଅତିଷ୍ଠ ହୋଇ ସେ ଆତ୍ମହତ୍ୟା କରିଥିଲେ।

Tags: #RuchikaMohanty #BJBCollege #Suicide #Ragging #Odisha #ବିଜେବିକଲେଜ #ରୁଚିକାମହାନ୍ତି

Comment