ଓଡ଼ିଶାଲାଇଭ୍ ବ୍ୟୁରୋ

ବାରମ୍ବାର ଆତତାୟୀଙ୍କ ଆକ୍ରୋସର ଶିକାର ହେଉଛନ୍ତି ଚର୍ଚ୍ଚିତ ରାଜନେତା। ବର୍ତ୍ତମାନ ପର୍ଯ୍ୟନ୍ତ ଆତତାୟୀଙ୍କ ହାତରେ ପ୍ରାଣ ହରାଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କଠାରୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପର୍ଯ୍ୟନ୍ତ।

ଶୁକ୍ରବାର ଦିନ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ କଡ଼ା ସୁରକ୍ଷା ବଳୟକୁ ଭେଦ କରି ସଭାରେ ଭାଷଣ ଦେଉଥିବାବେଳେ ଗୁଳି କରି ହତ୍ୟା କରାଗଲା। ଏହି ଘଟଣା ସାରା ବିଶ୍ଵକୁ ସ୍ତବ୍ଧ କରିଦେଲା। କେବଳ ସିଞ୍ଜୋ ଆବେ ନୁହନ୍ତି ପୂର୍ବରୁ ମଧ୍ୟ ଅନେକ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଚର୍ଚ୍ଚିତ ରାଜନେତା ଆତତାୟୀଙ୍କ ହାତରେ ପ୍ରାଣ ହରାଇଛନ୍ତି।

ଜାପାନ ଇତିହାସରେ ସିଞ୍ଜୋ ଆବେଙ୍କ ହତ୍ୟା ନୂଆ ଘଟଣା ନୁହେଁ। ତାଙ୍କ ପୂର୍ବରୁ ୧୯୩୨ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନୁକାଇ ସୁୟୋଶୀଙ୍କୁ ହତ୍ୟା କରାଯାଇଥିଲା। ନେଭିର ଜଣେ ଅଧିକାରୀ ଇନୁକାଇଙ୍କୁ ହତ୍ୟା କରିଥିଲେ।

ଆତତାୟୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବିଭିନ୍ନ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଚର୍ଚ୍ଚିତ ରାଜନେତା। ଏମାନଙ୍କ ମଧ୍ୟରେ ରହିଛନ୍ତି ଆବ୍ରାହମ ଲଇଙ୍କନଙ୍କଠାରୁ ସିଞ୍ଜୋ ଆବେଙ୍କ ପର୍ଯ୍ୟନ୍ତ। ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କଠାରୁ ଆରମ୍ଭ କରି ଜନ ଏଫ କେନେଡି ଏବଂ ମାର୍ଟିନ ଲୁଥର କିଙ୍ଗ ଆତତାୟୀଙ୍କ ଆକ୍ରମଣର ଶିକାର ହୋଇଛନ୍ତି।

କାହାକୁ କେମିତି ହତ୍ୟା କରାଯାଇଥିଲା?

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ

୧୮୬୫ ମସିହା ଏପ୍ରିଲ ୧୪ ତାରିଖ ସନ୍ଧ୍ୟାରେ ଆମେରିକାର ଷୋଡ଼ଶ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କୁ ହତ୍ୟା କରାଯାଇଥିଲା। ଆବ୍ରାହମ ଲିଙ୍କନ ଥିଏଟରରେ ନାଟକ ଦେଖୁଥିବା ସମୟରେ ତାଙ୍କୁ ପଛରୁ ଗୁଳି କରାଯାଇଥିଲା। ଏହି ଘଟଣାର ପରଦିନ ଆବ୍ରାହମ ଲିଙ୍କନଙ୍କର ମୃତ୍ୟୁ ହୋଇଥିଲା। ୧୦ ପରେ ହତ୍ୟାକାରୀ ଭାଇକ୍ସ ବୁଥ ଏକ ଏନକାଉଣ୍ଟରରେ ପ୍ରାଣ ହରାଇଲା।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜନ ଏଫ. କେନେଡି

୧୯୬୩ ମସିହାରେ ଆମେରିକାର ୩୫ତମ ରାଷ୍ଟ୍ରପତି ଜନ ଏଫ କେନେଡିଙ୍କୁ ୧୯୬୩ ମସିହା ନଭେମ୍ବର ୨୨ ତାରିଖରେ ହତ୍ୟା କରାଯାଇଥିଲା। ଟେକ୍ସାସ ସହରର ଡଲାସଠାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ସମୟରେ ତାଙ୍କ ପତ୍ନୀ ତାଙ୍କ ସହିତ ଥିଲେ। ଏହି ହତ୍ୟା ମାମଲାରେ ଲି ହାର୍ଭି ଅସ୍ଵଲ୍ଡକୁ ଗିରଫ କରାଯାଇଥିଲା। ମାମଲାର ବିଚାର ଚାଲିଥିବାବେଳେ ଜ୍ୟାକ୍ ରୁବି ତାଙ୍କର ହତ୍ୟା କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କେନେଡିଙ୍କ ହତ୍ୟାର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ।

ଭାରତ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ

୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କର ଦୁଇ ଜଣ ବର୍ଡିଗାର୍ଡ ସତଓ୍ଵନ୍ତ ସିଂ ଏବଂ ବେଅନ୍ତ ସିଂ ଇନ୍ଦିରା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶ ବ୍ୟାପୀ ଶିଖ ବିରୋଧୀ ଦଙ୍ଗା ଉପୁଜିଥିଲା। ଜେଲରେ ବେଅନ୍ତ ସିଂର ମୃତ୍ୟୁ ହୋଇଥିବାବେଳେ ସତଓ୍ଵନ୍ତ ସିଂ ଏବଂ ତା’ର ସହଯୋଗୀ କେହର ସିଂକୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା। ୧୯୮୯ ମସିହା ଜାନୁଆରୀ ୬ ତାରିଖରେ ଉଭୟଙ୍କୁ ଫାଶୀ ଦିଆଯାଇଥିଲା।

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ

୧୯୯୧ ମସିହା ମେ’ ୨୧ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ତାମିଲନାଡ଼ୁର ଶ୍ରୀପେରବୁଦୂରଠାରେ ଏକ ରାଲିରେ ଯାଇଥିବା ସମୟରେ ତାଙ୍କୁ ପୂର୍ବ ଯୋଜନା ମୁତାବକ ହତ୍ୟା କରାଯାଇଥିଲା। ରାଜୀବ ଗାନ୍ଧୀଙ୍କୁ ସ୍ଵାଗତ କରିବା ସମୟରେ ତାଙ୍କ ବେକରେ ଟାଇମ ବମ୍ ଖଞ୍ଜା ଥିବା ଏକ ଫୁଲମାଳ ପକାଯାଇଥିଲା।

ବେକରେ ଫୁଲମାଳ ପକାଇବା କ୍ଷଣି ଆଖି ପିଛୁଳାକେ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ରାଜୀବ ଗାନ୍ଧୀଙ୍କ ଶରୀର। କେହି କିଛି ବୁଝିବା ପୂର୍ବରୁ ରାଜୀବ ଗାନ୍ଧୀଙ୍କର ନିଧନ ହୋଇସାରିଥିଲା। ଏହି ଖବର ପ୍ରଚାର ହେବା ପରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ। ଏହି ହତ୍ୟାକାଣ୍ଡରେ ଅନେକ ସାମିଲ ଥିଲେ। ବର୍ତ୍ତମାନ ୬ ଜଣ ଦୋଷୀ ଜେଲରେ ସଜା କାଟୁଛନ୍ତି।

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାନ

୧୯୫୧ ମସିହା ଅକ୍ଟୋବର ୧୬ ତାରିଖରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଲିଆକତ ଅଲ୍ଲୀ ଖାନଙ୍କୁ ହତ୍ୟା କରାଯାଇଥିଲା। ତାଙ୍କୁ ଗୁଳିମାରି ହତ୍ୟା କରିଥିଲେ ଆତତାୟୀ। ରାଓ୍ଵଲପିଣ୍ଡରେ ଏକ ଜନସଭା କରୁଥିବା ସମୟରେ ଲିଆକତ ଅଲ୍ଲୀଙ୍କ ଛାତିକୁ ଗୁଳି ବିଦ୍ଧ କରିଥିଲା ଆତତାୟୀ। ଘଟଣାସ୍ଥଳରେ ହିଁ ପୋଲିସ୍ ଲିଆକତ ଅଲ୍ଲୀଙ୍କ ହତ୍ୟାକାରୀକୁ ଗୁଳି ହତ୍ୟା କରିଦେଥିଲା। 

ଇଜ୍ରାଇଲ ପ୍ରଧାନମନ୍ତ୍ରୀ ୟିତହକ ରବିନ

ଇଜ୍ରାଇଲର ପ୍ରଧାନମନ୍ତ୍ରୀ ଥିବା ୟିତହକ ରବିନଙ୍କୁ ୧୯୯୫ ମସିହା ନଭେମ୍ବର ୪ ତାରିଖରେ ହତ୍ୟା କରାଯାଇଥିଲା। କିଙ୍ଗସ ଅଫ କ୍ସୋୟାରରୁ ରାଲି କରି ଫେରିବା ସମୟରେ ତାଙ୍କ ଉପରକୁ ତିନି ରାଉଣ୍ଡ ଗୁଳି କରିଥିଲା ୟିଗାଲ ଅମିର। ଦୁଇଟି ଗୁଳି ରବୀନଙ୍କ ଦେହରେ ବାଜିଥିଲା। ଘଟଣାସ୍ଥଳରେ ହିଁ ଟଳିପଡ଼ିଥିଲେ ସେ। ସାଙ୍ଗେ ସାଙ୍ଗେ ହତ୍ୟାକାରୀ ୟିଗାଲ ଅମିରକୁ ଗିରଫ କରାଯାଇଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ଅମିରକୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଥିଲା।

ପାକିସ୍ତାର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ

ପାକିସ୍ତାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କୁ ୨୦୦୭ ମସିହା ଡିସେମ୍ବର ୨୭ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ବେନଜିର ଭୁଟ୍ଟୋ ରାଓଲପିଣ୍ଡିରୁ ଏକ ସଭାରେ ଯୋଗ ଦେଇ ଫେରୁଥିଲେ। ସନ୍ଧ୍ୟା ସମୟରେ ଫେରୁଥିବାବେଳେ ଜଣେ ଆତତାୟୀ ନିକଟକୁ ଆସି ପାଖରୁ ଗୁଳି କରିଥିଲା। ଘଟଣାସ୍ଥଳରେ ହିଁ ପ୍ରାଣ ତ୍ୟାଗ କରିଥିଲେ ବେନଜିର ଭୁଟ୍ଟୋ। କେହି କିଛି ଭାବିବା ପୂର୍ବରୁ ଆତତାୟୀ ନିଜକୁ ମଧ୍ୟ ଗୁଳି କରି ଶେଷ କରିଦେଇଥିଲା।

ଲୋକପ୍ରିୟ ତଥା ଚର୍ଚ୍ଚିତ ରାଜନେତାଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୁଳି କରି ହତ୍ୟା କରାଯିବା ସମ୍ପୃକ୍ତ ଦେଶଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଏବେ ସିଞ୍ଜୋ ଆବେଙ୍କୁ ହତ୍ୟା କରାଯିବା ପରେ ରାଜନେତାମାନେ ଅସୁରକ୍ଷିତ ହୋଇପଡ଼ିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Tags: #Politics #Politician #Murder #GunShoot #BombBlast

Comment