ଓଡ଼ିଶାଲାଇଭ୍ ବ୍ୟୁରୋ

ବେଙ୍ଗାଳୁରୁଠାରେ ବଡ଼ ଠାକୁରଙ୍କର ବାହୁଡ଼ା ଯାତ୍ରା ଏବଂ ସୁନାବେଶ ଅନୁଷ୍ଠିତ ହୋଇଯାଇଛି। ଚତୁର୍ଦ୍ଧା ମୂର୍ତ୍ତି ୯ ଦିନ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ରହିବା ପରେ ଆଗ୍ରା ସ୍ଥିତ ମୁଖ୍ୟ ଜଗନ୍ନାଥ ମନ୍ଦିର ଅଭିମୁଖେ ଫେରିଥିଲେ। ମନ୍ଦିର ସମ୍ମୁଖରେ ରଥାରୁଢ଼ ଠାକୁରମାନଙ୍କର ସୁନାବେଶ ଦେଖିବାକୁ ହଜାର ହଜାର ଦର୍ଶକଙ୍କର ଭିଡ଼ ଜମିଥିଲା।

ଦୁଇ ବର୍ଷ ହେଲା ରଥ ଯାତ୍ରାରୁ ବଞ୍ଚିତ ହୋଇଥିବାରୁ ଚଳିତ ବର୍ଷ ଉତ୍ସବରେ ବହୁ ଓଡ଼ିଆ ଏବଂ ଅଣଓଡ଼ିଆ ଭକ୍ତ ସାମିଲ ହୋଇଥିଲେ। ଚଳିତ ବର୍ଷ ଦିଅଁମାନଙ୍କର ସୁନାବେଶର ଅପରୂପ ଦର୍ଶନ କରିବାକୁ ମନ୍ଦିର ସମ୍ମୁଖରେ ଭକ୍ତଙ୍କର ପ୍ରବଳ ଭିଡ଼ ଜମିଥିଲା।

ବାହୁଡ଼ା ଯାତ୍ରା ଆରମ୍ଭ ପୂର୍ବରୁ ରାମ ମନ୍ଦିରଠାରେ ବିରାଜମାନ ଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କ ସମ୍ମୁଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଅପରାହ୍ଣରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ବାଦ୍ୟ ଏବଂ କୀର୍ତ୍ତନର ତାଳେ ତାଳେ ଧାଡ଼ି  ପହଣ୍ଡି କରାଯାଇ ରଥ ଉପରେ ଠାକୁରଙ୍କୁ ବିରାଜିତ କରାଯାଇଥିଲା। ପରେ ଜଗନ୍ନାଥ ମନ୍ଦିରର ଟ୍ରଷ୍ଟି ପ୍ରଫେସର ସୀତିତିକଣ୍ଠ ଷଡ଼ଙ୍ଗୀ ଛେରାପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଦିନ ୩ଟା ବେଳେ ବାହୁଡ଼ା ଯାତ୍ରା ନିମନ୍ତେ ରଥ ଟଣା ପର୍ବ ଆରମ୍ଭ ହୋଇଥିଲା। ବାହୁଡ଼ା ଉତ୍ସବରେ ସାମିଲ ହୋଇଥିଲେ ପ୍ରାୟ ୧୦ ହଜାର ଭକ୍ତି।

ହରିବୋଲ, ହୁଳହୁଳି, ଜୟ ଜଗନ୍ନାଥ ଧ୍ୱନି ଏବଂ ଶଙ୍ଖ, ଘଣ୍ଟ, ଘଣ୍ଟି, ମର୍ଦଳ, ଝାଞ୍ଜ ଓ ମୃଦଙ୍ଗର ଧ୍ୱନିରେ କମ୍ପି ଉଠିଥିଲା ପରିବେଶ। ରାମ ମନ୍ଦିର ନିକଟରୁ ରଥକୁ ଭକ୍ତମାନେ ଆଣି ୬୦୦ମିଟର  ଦୂରବର୍ତ୍ତୀ ମୁଖ୍ୟ ଶ୍ରୀ ଜଗନ୍ନାଥ ମନ୍ଦିର ସାମ୍ନାକୁ ଅଣାଯାଇଥିଲା। ରଥାରୁଢ଼ ଚତୁର୍ଦ୍ଧା ମୂର୍ତ୍ତି ମନ୍ଦିର ସମ୍ମୁଖରେ ବିରାଜ ମାନ ହୋଇଥିଲେ। ଆଜି ମହାପ୍ରଭୁଙ୍କର ନିଳାଦ୍ରୀ ବିଜେ। ନିଜ ନିଜ ଆସ୍ଥାନକୁ ଯିବେ ଜଗତର ନାଥ ଶ୍ରୀ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନ। 

ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ଟ୍ରଷ୍ଟି କାମାକ୍ଷୀ ପ୍ରସାଦ ପଣ୍ଡା, ଟ୍ରଷ୍ଟ ବୋର୍ଡର ସଦସ୍ୟ ନିହାର ସାମନ୍ତରା, ଡକ୍ଟର ପ୍ରତାପ ପାଣି, ଜଷ୍ଟିସ ଜଗନ୍ନାଥ ପ୍ରସାଦ ଉଦଗାତା, ହର ପ୍ରସାଦ ମହାପାତ୍ର, ମନୋଜ ପାତ୍ର, ପୁଣ୍ୟ ଶ୍ଳୋକ ଖୁଣ୍ଟିଆ, ଚକ୍ରଧର ସ୍ୱାଇଁ, ଏନ ଆର ବି ପଟ୍ଟନାୟକ, ମନୋଜ ମହାପାତ୍ର ଏବଂ ପ୍ରକାଶ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Tags: #RathYatra #SunaBesa #Bangalore #BahudaYatra

Comment