ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ପବିତ୍ର ଘୋଷଯାତ୍ରାର ଅନ୍ତିମ ପର୍ବ ହେଉଛି ନୀଳାଦ୍ରି ବିଜେ। ପରମ୍ପରା ଅନୁଯାୟୀ ରଥ ଉପରେ ସୁନାବେଶ, ଅଧରପଣା ଭୋଗର ପରଦିନ ଶ୍ରୀବିଗ୍ରହମାନେ ଗୋଟି ପହଣ୍ଡିରେ ବିଜେ କରି ରତ୍ନ ସିଂହାସନରେ ଅଧିଷ୍ଠିତ ହେବେ। ଏହାକୁ ଶ୍ରୀଜୀଉମାନଙ୍କ ବଡ଼ ଦେଉଳ ପ୍ରବେଶ ବା ନୀଳାଦ୍ରି ବିଜେ ବୋଲି କୁହାଯାଏ।

ନୀଳାଦ୍ରି ବିଜେ ଦିନ ରଥ ଉପରେ ଠାକୁରମାନଙ୍କ ସନ୍ଧ୍ୟା ଧୂପ ନୀତି ସରିବା ପରେ ପ୍ରତି ରଥରେ ଚାରମାଳ ବନ୍ଧାଯାଇଥାଏ। ଏହାପରେ ସିଂହାସନ ମାଜଣା କରାଯାଇ ପହଣ୍ଡି ଆରମ୍ଭ ହୋଇଥାଏ।

ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଧାଡ଼ି ପହଣ୍ଡିରେ ରଥକୁ ଅଣାଯାଉଥିବା ବେଳେ ନୀଳାଦ୍ରି ବିଜେରେ ଗୋଟି ପହଣ୍ଡି ହୋଇ ଶ୍ରୀବିଗ୍ରହମାନେ ରତ୍ନ ସିଂହାସନକୁ ଫେରିଥାନ୍ତି।

ନୀଳାଦ୍ରି ବିଜେ ଅବସରରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଥାଏ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲଷ୍ମୀ। ତେଣୁ କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ମହାଲଷ୍ମୀ ବାଧା ଦେଇଥାନ୍ତି।

ମହାଲଷ୍ମୀଙ୍କ ମାନଭଞ୍ଜନ ଲାଗି ମହାପ୍ରଭୁ ରସଗୋଲା ଆଣିଥାନ୍ତି। ଏହି ରସଗୋଲା ଭୋଗ ହେବା ପରେ ମହାପ୍ରଭୁଙ୍କ ରତ୍ନ ସିଂହାସନ ବିଜେ ପାଇଁ ସିଂହଦ୍ଵାର ଖୋଲିଥାଏ। ନୀଳାଦ୍ରି ବିଜେ ସହ ରଥଯାତ୍ରା ସମ୍ପୂର୍ଣ୍ଣ ହୋଇଥାଏ।
Tags: #RathYatra #RathYatra2022 #NiladriBije #Rasagola #LordJagannath #ରଥଯାତ୍ରା #ନୀଳାଦ୍ରିବିଜେ #ରସଗୋଲା #ମହାପ୍ରଭୁଶ୍ରୀଜଗନ୍ନାଥ

LEAVE A REPLY

Please enter your comment!
Please enter your name here