ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କର ଅଡ଼ୁଆ ବଢ଼ିଛି। ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଲଖ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)। ରିୟା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଅନେକ ଥର ଡ୍ରାଗ୍ସ କ୍ରୟ କରିବା ସହ ତାଙ୍କୁ ନିୟମିତ ଡ୍ରଗ୍ସ ଯୋଗାଇ ଆସୁଥିବା ଏନସିବି ଚାର୍ଜସିଟରେ ଉଲ୍ଲେଖ କରିଛି। ଏହି ମାମଲାରେ ୩୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ମୋଟ ୩୮ଟି ମାମଲା ଦାଏର କରାଯାଇଛି। ସମସ୍ତଙ୍କ ବିରୋଧରେ ସୁଶାନ୍ତ ସିଂଙ୍କୁ ନିଶାଗ୍ରସ୍ତ କରାଇବାର ଅଭିଯୋଗ ରହିଛି। ଏଥିରେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଅଛନ୍ତି।

ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ମୃତ୍ୟୁ ଏବଂ ଡ୍ରଗ୍ସ ମାମଲରେ ତାଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଡ଼ୁଆ ଥମିବାର ନାଁ ନେଉନି। ଏନସିବି ରାଡାର ଭିତରେ ରହିଛନ୍ତି ରିୟା। ଏନସିବି ଡ୍ରଗ୍ସ ମାମଲାରେ ଚାର୍ଜସିଟ ଦାଖଲ କରିଛି। ଏହି ଚାର୍ଜସିଟରେ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟ ୩୪ ଜଣ ଅଭିଯୁକ୍ତଙ୍କ ବିରୋଧରେ ହାଇସୋସାଇଟି ଏବଂ ବଲିଉଡକୁ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ରହଛି। ଅଭିଯୁକ୍ତଙ୍କ ବିରୋଧରେ ସୁଶାନ୍ତ ସିଂଙ୍କୁ ନିଶାଗ୍ରସ୍ତ କରାଇବା ଏବଂ ନିଶାସକ୍ତ କରିବାର ଅଭିଯୋଗ ରହିଛି।

ଏନସିବିର ଚାର୍ଜସିଟରେ ଉଲ୍ଲେଖ କରାଯାଇଛି, ‘ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ନିୟମିତ ଭାବେ ଡ୍ରାଗ୍ସ ଯୋଗାଉଥିଲେ। ସେମୁଅଲ ମିରାଣ୍ଡା, ସୋଭିକ ଚକ୍ରବର୍ତ୍ତୀ, ଦୀପେଶ ସାବନ୍ତ ଏବଂ ଅନ୍ୟମାନଙ୍କଠାରୁ ବହୁତ ଥର ରିୟା ଗଞ୍ଜେଇ କିଣିଛନ୍ତି। ଗଞ୍ଜେଇ ନେବା ପରେ ତାକୁ ସୁଶନ୍ତ ସିଂ ରାଜପୁତଙ୍କୁ ଦେଇଥାନ୍ତି ରିୟା। ୨୦୨୦ ମସିହା ମାର୍ଚ୍ଚ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ରିୟା ଗଞ୍ଜେଇ ପାଇଁ ଟଙ୍କା ଦେଇ କିଣିଛନ୍ତି’।

୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ତାଙ୍କ ଘରୁ ମୃତ ଅବସ୍ଥାରେ ପୋଲିସ୍ ଉଦ୍ଧାର କରିଥିଲା। ସୁଶାନ୍ତଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ। ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ପରିବାର, ବନ୍ଧୁବାନ୍ଧବ, ଫ୍ୟାନ୍ସ ଏବଂ ସାଥୀ କଳାକାର। ପରେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। ପୋଲିସ୍ ମାମଲାର ଯାଞ୍ଚ କରୁକରୁ ବଲିଉଡରେ ଚାଲିଥିବା ଡ୍ରାଗ୍ସ ଏବଂ ଗଞ୍ଜେଇ କାରବାର ସମ୍ପର୍କରେ ଜଣାପଡ଼ିଥିଲା।

Tags: #Bollywood #ActorAtress #Crime #Death #RiyaChakraborty #SushantSinghRajput #NCP #ChargeSheet

Comment