ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ରାଷ୍ଟ୍ରପତି କିଭଳି ନିର୍ବାଚିତ ହୋଇଥାନ୍ତି ତାହାକୁ ନେଇ କେତେକଙ୍କ ମନରେ ପ୍ରଶ୍ନ ରହିଥାଏ। ତେଣୁ ଓଡ଼ିଶାଲାଇଭ୍‌ର ଏହି ରିପୋର୍ଟରେ ଆସନ୍ତୁ ଜାଣିବା ଭାରତରେ ରାଷ୍ଟ୍ରପତି ନିର୍ବାଚନ କେମିତି ହୁଏ?

ଭାରତୀୟ ସମ୍ବିଧାନର ଧାରା-୫୨ ଅନୁଯାୟୀ ଭାରତର ଜଣେ ରାଷ୍ଟ୍ରପତି ରହିବେ। ଏଥିଲାଗି ପ୍ରତି ୫ ବର୍ଷରେ ରାଷ୍ଟ୍ରପତି ପଦବୀ ଲାଗି ନିର୍ବାଚନ ହୋଇଥାଏ। ହେଲେ ସେ ସିଧାସଳଖ ଭୋଟରମାନଙ୍କ ଦ୍ଵାରା ନିର୍ବାଚିତ ହୋଇନଥାନ୍ତି, ପରୋକ୍ଷ ଭୋଟରେ ନିର୍ବାଚିତ ହୋଇଥାନ୍ତି। ତେଣୁ ସମ୍ଵିଧାନର ଧାରା-୫୪ ଅନୁଯାୟୀ ଇଲେକ୍ଟୋରାଲ୍‌ କଲେଜର ସଦସ୍ୟଙ୍କ ଭୋଟରେ ୫ ବର୍ଷ ପାଇଁ ରାଷ୍ଟ୍ରପତି ନିର୍ବାଚିତ ହୋଇଥାନ୍ତି।ଇଲେକ୍ଟୋରାଲ୍ କଲେଜ କ’ଣ?

ଇଲେକ୍ଟୋରାଲ୍‌ କଲେଜ ଲୋକସଭା, ରାଜ୍ୟସଭା ଏବଂ ସମସ୍ତ ରାଜ୍ୟ ବିଧାନସଭାର ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ। ଏହାସହ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀ ବିଧାନସଭାର ନିର୍ବାଚିତ ସଦସ୍ୟମାନେ ମଧ୍ୟ ଇଲେକ୍ଟୋରାଲ୍‌ କଲେଜରେ ସାମିଲ ହୋଇ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିଥାନ୍ତି। ତେବେ କୌଣସି ଗୃହର ମନୋନୀତ ସଦସ୍ୟ ଯେପରି ଲୋକସଭାରୁ ଦୁଇଜଣ ଏବଂ ରାଜ୍ୟସଭାରୁ ୧୨ ଜଣ ମନୋନୀତ ସଦସ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବା ଲାଗି ଅଧିକାରଭୁକ୍ତ ନୁହଁନ୍ତି। ସେହିପରି ଭାରତର ୯ଟି ରାଜ୍ୟରେ ବିଧାନ ପରିଷଦ ରହିଛି। ଏହିସବୁ ରାଜ୍ୟର ବିଧାନ ପରିଷଦର ସଦସ୍ୟମାନେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇ ନଥାନ୍ତି।

ଚଳିତଥର ଇଲେକ୍ଟୋରାଲ୍ କଲେଜରେ ମୋଟ୍ ୪୮୦୯ ସଦସ୍ୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୭୭୬ ଜଣ ହେଲେ ଲୋକସଭା ଏବଂ ରାଜ୍ୟସଭା ସାଂସଦ ଓ ବାକି ୪୦୩୩ ଜଣ ହେଲେ ସମସ୍ତ ରାଜ୍ୟର ବିଧାନସଭାର ବିଧାୟକ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ଓ ପୁଡୁଚେରୀର ବିଧାୟକ।କେଉଁ ଭୋଟ୍‌ର ମୂଲ୍ୟ କେତେ?

ରାଷ୍ଟ୍ରପତି ନିର୍ବାଚନ ଲାଗି ସାଂସଦ ଏବଂ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ଭିନ୍ନ ଭିନ୍ନ ରହିଥାଏ। ବିଧାୟକମାନଙ୍କର ଭୋଟ୍‌ର ମୂଲ୍ୟ ୫ ଲକ୍ଷ ୪୩ ହଜାର ୭୩୧ ରହିଥିବା ବେଳେ ସାଂସଦମାନଙ୍କର ଭୋଟ୍‌ର ମୂଲ୍ୟ ରହିଛି ୫ ଲକ୍ଷ ୪୩ ହଜାର ୨୦୦। ଏସବୁ ମିଶି ସମୁଦାୟ ଭୋଟ୍‌ର ମୂଲ୍ୟ ହେଉଛି ୧୦ ଲକ୍ଷ ୮୬ ହଜାର ୪୩୧।

ତେବେ ପ୍ରତ୍ୟେକ ସାଂସଦମାନଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୭୦୮। ମାତ୍ର ଏଥର ଜମ୍ମୁ ଓ କଶ୍ମୀରରୁ କେହି ସାଂସଦ ନିର୍ବାଚିତ ହୋଇନଥିବାରୁ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ପ୍ରତ୍ୟେକ ସାଂସଦଙ୍କ ଭୋଟ୍‌ର ମୂଲ୍ୟ ରହିଛି ୭୦୦। ଅନ୍ୟପଟେ ବିଧାୟକମାନଙ୍କ ଭୋଟ୍‌ର ମୂଲ୍ୟ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିଥାଏ। ରାଜ୍ୟର ମୋଟ୍ ଜନସଂଖ୍ୟାକୁ ଆଧାର କରି ସେହି ରାଜ୍ୟର ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ନିର୍ଦ୍ଧାରଣ କରାଯାଏ।ଏହି ଦୃଷ୍ଟିରୁ ଦେଖିଲେ ଉତ୍ତରପ୍ରଦେଶର ଜନସଂଖ୍ୟା ଦେଶରେ ସର୍ବାଧିକ। ତେଣୁ ଉତ୍ତରପ୍ରଦେଶର ପ୍ରତିଟି ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୨୦୮। ମୋଟ୍ ୪୦୩ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୮୩୮୨୪। ସେହିପରି ସିକିମରେ ଦେଶର ସର୍ବନିମ୍ନ ଜନସଂଖ୍ୟା ଥିବାରୁ ଏଠାକାର ପ୍ରତିଟି ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୭। ଅର୍ଥାତ୍ ସିକିମରେ ସମସ୍ତ ୩୨ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଲା ୨୨୪।

ଯଦି ଆମ ରାଜ୍ୟ ଓଡ଼ିଶା କଥା ଦେଖାଯାଏ ତେବେ ଓଡ଼ଶାର ପ୍ରତିଟି ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଲା – ୧୪୯। ତେଣୁ ଓଡ଼ିଶାର ସମସ୍ତ ୧୪୭ ବିଧାୟକଙ୍କ ଭୋଟ୍‌ର ମୂଲ୍ୟ ହେଉଛି ୨୧୯୦୩।କେମିତି ହୋଇଥାଏ ଭୋଟ୍‌ ଗ୍ରହଣ?

ଭାରତରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ସିକ୍ରେଟ ବାଲାଟ୍‌ ପେପରରେ ଭୋଟ୍‌ ଗ୍ରହଣ ହୋଇଥାଏ। ସାଂସଦମାନେ ଦିଲ୍ଲୀରେ ଭୋଟ୍ ଦେଉଥିବା ବେଳେ ବିଧାୟକମାନଙ୍କ ପାଇଁ ସେହି ରାଜ୍ୟର ବିଧାନସଭାରେ ଭୋଟ୍‌ଗ୍ରହଣ ପାଇଁ ବ୍ୟବସ୍ଥା ହୋଇଥାଏ। ଏକ ସ୍ୱତନ୍ତ୍ର ଇଙ୍କବାଲା କଲମରେ ସାଂସଦ ଓ ବିଧାୟକମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ପାଖରେ ୧, ୨, ୩ ଲେଖିଥାନ୍ତି। ଯେଉଁ ପ୍ରାର୍ଥୀଙ୍କ ନାମ ପାଖରେ କମ ସଂଖ୍ୟକ ୧ ରହିଥାଏ ସେମାନଙ୍କୁ କମ୍ ଭୋଟ୍ ମିଳିଛି ବୋଲି ଗଣନା କରାଯାଏ। ସେହିପରି ଯେଉଁ ପ୍ରାର୍ଥୀଙ୍କ ନାମ ପାଖରେ ଅଧିକ ସଂଖ୍ୟକ ୧ ରହିଥାଏ ସେହି ପ୍ରାର୍ଥୀ ଜିତିବାର ହକ୍‌ଦାର ହୋଇଥାନ୍ତି।

ଆସନ୍ତା ଜୁଲାଇ ୧୮ ତାରିଖରେ ଦେଶର ପଞ୍ଚଦଶତମ ରାଷ୍ଟ୍ରପତି ପଦବୀ ଲାଗି ନିର୍ବାଚନ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏନ୍‌ଡିଏ ମେଣ୍ଟ ପକ୍ଷରୁ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ରେସ୍‌ରେ ରହିଥିବା ବେଳେ ବିରୋଧୀ ମେଣ୍ଟ ୟୁପିଏରୁ ପ୍ରାର୍ଥୀ ରହିଛନ୍ତି ଯଶଓ୍ଵନ୍ତ ସିହ୍ନା।

Tags: #PresidentofIndia #PresidentElectioninIndia #ProcessofPresidentElection #ElectoralCollege #ରାଷ୍ଟ୍ରପତିନିର୍ବାଚନ #ଭାରତ

Comment