ଓଡ଼ିଶାଲାଇଭ୍ ବ୍ୟୁରୋ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି। ଶୁକ୍ରବାର ରାତିରୁ ବର୍ଷା ଜାରି ରହିଛି। ଆଗକୁ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ପ୍ରବଳ ବର୍ଷା ନେଇ ରାଜ୍ୟର ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ୧୪ଟି ଜିଲ୍ଲା ହେଉଛି ଗଞ୍ଜାମ, ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ସୋନପୁର। ସେହିପରି ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକ ହେଲା ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଏବଂ ସମ୍ବଲପୁର।

ଲଘୁଚାପ ପ୍ରଭାବରେ କଟକ ଏବଂ ଭୁବନେଶ୍ୱରରେ ମଧ୍ୟ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଲୋକେ ଘରୁ ବାହାରିବା ମୁସକିଲ ହୋଇଯାଇଛି। ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହେଉଥିବା ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ସାମୟିକ ଭାବେ ତଳୁଆ ଅଞ୍ଚଳଗଡ଼ିକରେ ପାଣି ଜମିବାର ସମ୍ଭାବନା ରହିପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜୁଲାଇ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ଵାଭାବିକଠାରୁ ୫୫ ପ୍ରତିଶତ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ଆକଳନ କରିଛି। ପ୍ରାୟ ୨୫ଟି ଜିଲ୍ଲାରେ ଆବଶ୍ୟକତାଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।

ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶରେ ପ୍ରବାହିତ ଗୋଦାବରୀ ନଦୀ ଫୁଲୁଥିବାରୁ ଏହା ପ୍ରଭାବରେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ଜଳମଗ୍ନ ହୋଇଛି। ପୁରୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ୩୨୬ ନଂ ଜାତୀୟ ରାଜପଥ ଜଳମଗ୍ନ ହୋଇରହିଛି।

Tags: #Rainfall #HeavyRainfall #YellowWarning #OrangeWarnig #Odisha #Weather

Comment