ଓଡ଼ିଶାଲାଇଭ୍ ବ୍ୟୁରୋ

  • ପୋଷଣ ଓ ଅନ୍ତଃନଳୀଜନିତ ସଂକ୍ରମଣ ସମସ୍ୟା ଶିଶୁଙ୍କ ଅଭିବୃଦ୍ଧିରେ ପ୍ରମୁଖ ବାଧକ ସାଜିଛି

ସାନ ସାନ ପିଲାଙ୍କ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ପୋଷଣ ନିହାତି ଜରୁରୀ। ତେଣୁ ପୋଷଣର ଅଭାବ ଦେଖାଦେଲେ ଶିଶୁଙ୍କ କ୍ଷେତ୍ରରେ ‘ଷ୍ଟଣ୍ଟିଂ’ ବା ବୟସ ଅନୁପାତରେ ଉଚ୍ଚତା ବୃଦ୍ଧି ନହେବା ଭଳି ସମସ୍ୟା ଦେଖାଦିଏ। ସେହିଭଳି କୌଣସି ପ୍ରକାରର ଅନ୍ତଃନଳୀଜନିତ ସଂକ୍ରମଣ ମଧ୍ୟ ଶିଶୁର ପୋଷଣ-ସ୍ୱାସ୍ଥ୍ୟକୁ ଗୁରୁତର ଭାବେ ପ୍ରଭାବିତ କରିଥାଏ।

ତେଣୁ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି ବିଚାରକରି ଏହାର ସମାଧାନ ପାଇଁ ସବୁ ସ୍ତରରେ ପଦକ୍ଷେପ ନିଆଯିବା ଦରକାର। ଏଆଇପିଏଚ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ଷ୍ଟଣ୍ଟିଂ ଆଣ୍ଡ୍ ଗଟ୍ ଡିସଫଙ୍କସନ’ ଶୀର୍ଷକ ଅନ୍ତର୍ଜାତୀୟ କର୍ମଶାଳାରେ ଏ ବାବଦରେ ମତ ପ୍ରକାଶ ପାଇଛି।

ଆମେରିକାର ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟ ଏବଂ ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଓଡ଼ିଶା ଶାଖାର ସହଭାଗିତାରେ ଏହି ଅନ୍ତର୍ଜାତୀୟ କର୍ମଶାଳା ଆୟୋଜନ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ଆଇଏମଏ ହାଉସଠାରେ ଅନୁଷ୍ଠିତ ଏହି କର୍ମଶାଳାରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା ଶିଶୁରୋଗ ବିଶେଷଜ୍ଞ, ଗବେଷକ ଏବଂ ପୋଷଣ ଓ ଜନସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗଦେଇଥିଲେ। ଆମ ଦେଶ ତଥା ରାଜ୍ୟରେ ଶିଶୁମାନଙ୍କ କ୍ଷେତ୍ରରେ ଦେଖାଦେଉଥିବା ପୋଷଣ ଓ ଶାରୀରିକ ଅଭିବୃଦ୍ଧି ଆଦି ସମସ୍ୟା ଉପରେ ସେମାନେ ବିଭିନ୍ନ ଗବେଷଣାତ୍ମକ ତଥ୍ୟ ଓ ନିବନ୍ଧ ଉପସ୍ଥାପନ କରିଥିଲେ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-5)ର ରିପୋର୍ଟ ଅନୁଯାୟୀ ଭାରତରେ ‘ଚାଇଲ୍ଡହୁଡ୍‌ ଷ୍ଟଣ୍ଟିଂ’ ହାର ୩୫ ପ୍ରତିଶତ ଥିବା ବେଳେ ଓଡ଼ିଶାରେ ଏହା ୩୧ ପ୍ରତିଶତ ରହିଛି। ଷ୍ଟଣ୍ଟିଂ ବା ଶିଶୁର ବୟସ ଅନୁସାରେ ଉଚ୍ଚତାରେ ଅଭିବୃଦ୍ଧି ନହେବା ସମସ୍ୟା ଆମ ସମାଜ ଉପରେ ଏକ ଦୀର୍ଘକାଳୀନ ପ୍ରଭାବ ପକାଇଥାଏ। ତେଣୁ ଏହି ହାରକୁ ଯଥେଷ୍ଟ ପରିମାଣରେ କମାଇବା ଲାଗି ଏଥିପାଇଁ ଆବଶ୍ୟକ ଗବେଷଣା, ନୀତି ନିର୍ଦ୍ଧାରଣ ଓ ଏହାର କାର୍ଯ୍ୟକାରିତା ଉପରେ ପ୍ରାଥମିକତା ଦିଆଯିବା ଜରୁରୀ ବୋଲି ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା।

‘‘ଏହି ଦିନିକିଆ ଅନ୍ତର୍ଜାତୀୟ କର୍ମଶାଳାରେ ବିଭିନ୍ନ ବର୍ଗ ଓ ବିଷୟର ବିଶେଷଜ୍ଞମାନେ ଭାଗ ନେଇଥିଲେ। ଏହି କର୍ମଶାଳାରୁ ଯାହା ନିଷ୍କର୍ସ ବା ପ୍ରସ୍ତାବ ଆସିଛି ତାକୁ ନେଇ ଏକ ଶ୍ୱେତପତ୍ର ପ୍ରକାଶ କରାଯିବ। ତା’ଛଡ଼ା ଏହି କର୍ମଶାଳା ଆୟୋଜନ ଫଳରେ ଛାତ୍ରଛାତ୍ରୀମାନେ ବିଶେଷ ଭାବେ ଉପକୃତ ହୋଇଛନ୍ତି। ସେମାନେ ବିଶେଷଜ୍ଞମାନଙ୍କ ସଂସ୍ପର୍ଶରେ ଆସିବା ସହ ସେମାନଙ୍କଠାରୁ ‘ଷ୍ଟଣ୍ଟିଂ ଆଣ୍ଡ୍ ଗଟ୍ ଡିସଫଙ୍କସନ’ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଜ୍ଞାନ ଆହରଣ କରିବାର ସୁଯୋଗ ପାଇପାରିଛନ୍ତି’’, କହିଛନ୍ତି ଏଆଇପିଏଚ୍ ବିଶ୍ୱବିଦ୍ୟାଳୟ ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ସଭାପତି ତଥା ଆମେରିକାସ୍ଥିତ ଜର୍ଜଟାଉନ ବିଶ୍ୱବିଦ୍ୟାଳୟର ଶିଶୁରୋଗ ବିଭାଗର ପ୍ରଫେସର ତଥା ଇଣ୍ଟରନାସନାଲ ମାଇକ୍ରୋବାୟୋମର ନିର୍ଦ୍ଦେଶକ ଡାକ୍ତର ପିନାକୀ ପାଣିଗ୍ରାହୀ।

ଏହି ଅନ୍ତର୍ଜାତୀୟ କର୍ମଶାଳାରେ ଭାଗ ନେଇଥିବା ବକ୍ତା, ଆଲୋଚକମାନଙ୍କୁ ଏଆଇପିଏଚ ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଶ୍ରୀ ପ୍ରଫେସର ଡାକ୍ତର ଆଦିତ୍ୟ ପ୍ରସାଦ ଦାଶ ସ୍ୱାଗତ କରିଥିଲେ। ଅନ୍ୟତମ ଆୟୋଜକ ତଥା ଏଆଇପିଏଚ ବିଶ୍ୱବିଦ୍ୟାଳୟର ସ୍କୁଲ୍ ଅଫ୍ ଆଲାଏଡ୍ ହେଲଥ ସାଇନ୍ସେସର ଡିନ୍‌ ଡାକ୍ତର ଅର୍ଜିତ ମହାପାତ୍ର କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଦେଇଥିଲେ।

ଏହି କର୍ମଶାଳାରେ ଆମେରିକାର ଜର୍ଜଟାଉନ୍‌ ବିଶ୍ୱବିଦ୍ୟାଳୟର ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ଷ୍ଟିଭେନ୍‌ ସିଙ୍ଗର୍‌, ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ବି ରବୀନ୍ଦ୍ରନ, ଦ କୋଆଲିସନ୍‌ ଫର ଫୁଡ୍‌ ଆଣ୍ଡ୍‌ ନ୍ୟୁଟ୍ରିସନ ସିକ୍ୟୁରିଟିର ମୁଖ୍ୟ ପରାମର୍ଶଦାତା ବସନ୍ତ କୁମାର କର, ଚେନ୍ନାଇସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ରିସର୍ଚ୍ଚ ଅଧୀନରେ ଥିବା ଇଣ୍ଟରନାସନାଲ ସେଣ୍ଟର ଫର୍‌ ଏକ୍ସିଲେନ୍ସ ଇନ୍‌ ରିସର୍ଚ୍ଚର ସାଇଣ୍ଟିଫିକ୍‌ ଡିରେକ୍ଟର ଡକ୍ଟର ଏସ୍‌ ସୁବାସ ବାବୁ ବକ୍ତା ଓ ଆଲୋଚକ ଭାବେ ଯୋଗ ଦେଇଥିଲେ।

ସେହିପରି ଭେଲୋରସ୍ଥିତ ଖ୍ରୀଷ୍ଟିୟାନ ମେଡିକାଲ କଲେଜର ଗ୍ୟାଷ୍ଟ୍ରୋଇନଟେଷ୍ଟିନାଲ୍‌ ସାଇନ୍ସେସ ଅଧୀନରେ ଥିବା ମାଇକ୍ରୋବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ସିତାରା ସ୍ୱର୍ଣ୍ଣ ରାଓ ଆଜମପୁର, ପୁଡୁଚେରୀସ୍ଥିତ ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ର ମାଇକ୍ରୋବାୟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ନନ୍ଦିତା ବାନାଜୀ, ଇଣ୍ଡିଆନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ଓଡ଼ିଶା ଶାଖାର ସଭାପତି ଡାକ୍ତର ଶୈଳଜାନନ୍ଦନ ପରିଡ଼ା ଏବଂ ସାଧାରଣ ସମ୍ପାଦକ ଡାକ୍ତର ସେବାରଞ୍ଜନ ବିଶ୍ୱାଳ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ।

ଏହି କର୍ମଶାଳା ଅବସରରେ ଏଆଇପିଏଚ ବିଶ୍ଵବିଦ୍ୟାଳୟର ପବ୍ଲିକ ହେଲଥ, ବାୟୋଲୋଜିକାଲ ସାଇନ୍ସେସ ଏବଂ ଆଲାଏଡ୍ ହେଲଥ ସାଇନ୍ସେସ ବିଭାଗରେ ଶ୍ରେଷ୍ଠ ଉପସ୍ଥାନ, ନେତୃତ୍ୱ ଏବଂ ରିସର୍ଚ୍ଚ ପୋଷ୍ଟର ପ୍ରସ୍ତୁତି ଆଦି ବିଷୟରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।

Tags: #Education #Health #AIPHUniversity #InternationalWorkshop #Stunting

Comment