ଓଡ଼ିଶାଲାଇଭ୍‌ ଏଣ୍ଟରଟନମେଣ୍ଟ ବ୍ୟୁରୋ

ଏଠି କମେଡିର ଛୁଙ୍କ ନାହିଁ, ଅଛି ବାସ୍ତବବାଦୀ ଡାଇଲଗ୍‌। ଏଠି ଚକାଚକ୍‌ ପୋଷାକ କି ଗାଡ଼ି ନାହିଁ, କେବଳ ଅଛି ଅଭିନୟ। ଏମିତି ଏକ ନିଆରା ଅବତାରରେ ଖୁବଶୀଘ୍ର ଆପଣଙ୍କ ନିକଟକୁ ଆସୁଛନ୍ତି ଓଲିଉଡର ଚକଲେଟ୍‌ ହିରୋ କୁହାଯାଉଥିବା ବାବୁସାନ। ଫିଲ୍ମଟିକୁ ନେଇ ଦୀର୍ଘଦିନରୁ ଚର୍ଚ୍ଚା ଲାଗି ରହିଛି। ଟ୍ରେଲର ଦେଖି ସମସ୍ତେ ରିଲିଜକୁ ଅପେକ୍ଷା କରିଛନ୍ତି। ଓଡ଼ିଆ ଦର୍ଶକଙ୍କ ଉତ୍କଣ୍ଠାକୁ ଦେଖିଲେ ଲାଗୁଛି ବାବୁସାନଙ୍କ ‘ଦମନ’ ପୁଣିଥିରେ ଲୋକଙ୍କୁ ସିନେମା ହଲ୍‌ ଆଡ଼କୁ ଟାଣିବ।

ଓଡ଼ିଆ ସିନେମା ଜଗତର ଜଣେ ପ୍ରତିଭାବାନ ଅଭିନେତା ହେଲେ ବାବୁସାନ। ପୂର୍ବରୁ ଦର୍ଶକ ତାଙ୍କୁ ବିଭିନ୍ନ ଫିଲ୍ମରେ ଦେଖି ଆସିଛନ୍ତି। କେତେବେଳେ କମେଡି ତ ଆଉ କେତେବେଳେ ରୋମାନ୍ସ ସିନ୍‌ଦେଇ ସେ ଆଜିଯାଏଁ ଦର୍ଶକଙ୍କୁ ମନୋରଞ୍ଜନ ଯୋଗାଇ ଆସିଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ତାଙ୍କୁ ‘ଦମନ’ରେ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିଛି। ଯେଉଁଥିରେ ବାବୁସାନ ଜଣେ ଡାକ୍ତର ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମର କାହାଣୀ, ଡାଇଲଗ୍‌, ଗୀତ ସବୁକିଛି ବେଶ ବାସ୍ତବଧର୍ମୀ ଲାଗୁଛି।

୨୦୧୭ ମସିହାରେ ଡାକ୍ତର ଓମକାର ହୋତା ମାଲକାନଗିରି ଜଣେ ରୋଗୀଙ୍କୁ କାନ୍ଧରେ ବୋହି ଡାକ୍ତରଖାନାକୁ ଆଣିଥିଲେ। ତାଙ୍କର ସେଇ ଫଟୋ ସେତେବେଳେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ‘ଦମନ୍‌’ ଫିଲ୍ମଟି ଡାକ୍ତର ହୋତାଙ୍କ ବାୟୋପିକ ବୋଲି କୁହାଯାଉଛି।

ଏଥିରେ ଓଡ଼ିଶାର ବିଛିନ୍ନାଞ୍ଚଳ କୁହାଯାଉଥିବା ମାଲକାନଗିରି ଜିଲ୍ଲାରେ ମ୍ୟାଲେରିଆ ରୋଗକୁ ନେଇ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ଵାସ ଏବଂ ଜଣେ ଡାକ୍ତରଙ୍କ ପ୍ରୟାସ ଦ୍ଵାରା କିପରି ଏହି ଅନ୍ଧବିଶ୍ଵାସ ହଟି ପାରୁଛି, ସେହି କାହାଣୀକୁ ଦର୍ଶଯାଇଛି।  ସୁନାବେଡ଼ା, ଦେଓମାଳି, ପୁଟସିଲ ଭଳି କେତେକ ଅଞ୍ଚଳରେ ଫିଲ୍ମଟି ସୁଟିଂ ହୋଇଥିବାରୁ ଏହା ଆହୁରି ରୋମାଞ୍ଚକର ହୋଇପାରିଛି।

ବର୍ତ୍ତମାନ ଓଡ଼ିଆରେ ପ୍ରେମ ଆଉ ରୋମାନ୍ସକୁ ନେଇ ଅଧିକାଂଶ ଫିଲ୍ମ ହେଉଛିା ଅନାବଶ୍ୟକ ଫାଇଟ୍‌ ସିନ୍‌ ସାଙ୍ଗକୁ ଷ୍ଟୋରିକୁ ଖାପ ଖାଉନଥିବା ଗୀତ। ଏତିକିରେ ଫିଲ୍ମ ସରିଯାଉଛିା ତେଣୁ ଏମିତି ଫିଲ୍ମ ପ୍ରତି ଓଡ଼ିଆ ଦର୍ଶକ ମୁହଁ ମୋଡ଼ି ଦେଉଛନ୍ତି। ଏମିତି ସ୍ଥିତିରେ ଏହି ‘ଦମନ’ ଓଲିଉଡରେ ବିପ୍ଳବ ଆଣିବ ବୋଲି ଆଶା ସଞ୍ଚାର କରିଛିା

‘‘ଅନେକ ଦିନ ପରେ ଦମନ ଭଳି ଗୋଟିଏ ଫିଲ୍ମ କରି ମତେ ଆତ୍ମ ସନ୍ତୋଷ ମିଳିଛି। ଏକ ନିଚ୍ଛକ ସତ୍ୟ କାହାଣୀ ଉପରେ ଫିଲ୍ମଟି ଆଧାରିତ ହୋଇଛି। ଫିଲ୍ମ ଦଶହରା ବଜାରରେ ରିଲିଜ। ମୋର ପୂରା ବିଶ୍ୱାସ ଯେ, ଓଡ଼ିଆ ସିନେମା କ୍ଷେତ୍ରରେ ଦମନ ପରିବର୍ତ୍ତନ ଆଣିବ’’ କହନ୍ତି ଅଭିନେତା ବାବୁସାନ।

ଫିଲ୍ମଟିରେ ଅଭିନେତା ଦିପାନ୍ଵିତ ଦାସମହାପାତ୍ର ବାବୁସାନଙ୍କ ସହ କଳାକାର ଭାବେ ଏଥିରେ ନଜର ଆସିବେ। ଜେପି ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟିରେ ଦିପେନ୍ଦ୍ର ସାମଲ ପ୍ରଯୋଜକ ଦାୟିତ୍ଵରେ ରହିଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ଯୁବ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା। ଫିଲ୍ମଟ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛିା

Comment