ବିଶ୍ଵଜିତ ସାହୁ

ବ୍ରଜ ସିଂ। ଓଡ଼ିଆ ସିନେ ଜଗତର ଜଣେ ଜଣାଶୁଣା ଚେହେରା। ନିଜ ଅଭିନୟରେ କେତେବେଳେ ସେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରାଇଛନ୍ତି ତ, ଆଉ କେତେବେଳେ କନ୍ଦାଇଛନ୍ତି। ମଞ୍ଚ, ସିନେମା ଏବଂ ମେଗା ଧାରାବାହିକ ଭଳି ମନୋରଞ୍ଜନର ତିନୋଟି ପ୍ଲାଟଫର୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି। ଅଭିନୟ ଦୁନିଆରେ ବ୍ରଜ ସିଂଙ୍କ ଦୀର୍ଘଦିନର ଅନୁଭୂତି ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଓଡ଼ିଶାଲାଇଭ୍ ସହ ସ୍ଵତନ୍ତ୍ର ସାକ୍ଷାତକାର।

ବ୍ରଜ ସିଂ ଜଣେ ଅଭିନେତା, ହାସ୍ୟ ଅଭିନେତା ନା ଜଣେ କଳାକାର?

ମୁଁ ନିଜକୁ କେବେ ଅଭିନେତା ଅବା ହାସ୍ୟ ଅଭିନେତା ଭାବିନି। ମୁଁ କଳାକାରଟିଏ। କାରଣ ମଞ୍ଚରୁ ମୋର ଜନ୍ମ। ମୁଁ ମଞ୍ଚକୁ ଭଲପାଉଥିବା ମଣିଷଟିଏ। ମଞ୍ଚରୁ ମୁଁ ମୋର ଅଭିନୟ ଯାତ୍ରା ଆରମ୍ଭ କରିଛି। ତା’ପରେ ଯାଇ ସିନେମା ଏବଂ ଟେଲିଭିଜନକୁ ଆସିଛି।ଆପଣଙ୍କ ପରିବାରରୁ କେହି ଅଭିନୟ ଦୁନିଆରେ ନଥିଲେ ତେବେ ଆପଣ କେମିତି ଏହି ଲାଇନକୁ ଆସିଲେ, କାହିଁକି ଅଭିନୟକୁ ବାଛିଲେ?

ମୋର ବାବା ଫରେଷ୍ଟ ଡିପାର୍ଟମେଣ୍ଟରେ ଚାକିରି କରୁଥିଲେ। ଅଭିନୟ ଦୁନିଆ ସହିତ ତାଙ୍କର ସିଧାସଳଖ କିଛି ସମ୍ପର୍କ ନଥିଲା। ହେଲେ କଟକ ଅନ୍ନପୂର୍ଣ୍ଣା ଥିଏଟରରେ ତାଙ୍କ ଡିପାର୍ଟମେଣ୍ଟ ଡ୍ରାମାରେ ସେ ମ୍ୟୁଜିକ ଦେଉଥିଲେ। ହଁ ମୋ ଜେଜେ (ତାଙ୍କୁ ମୁଁ ଦାଦା ବୋଲି ଡାକେ) ନାଟକର କାହାଣୀ ଲେଖାଲେଖି କରୁଥିଲେ।

ତେବେ ପିଲାଟି ବେଳୁ ମୁଁ ବହୁତ ସିନେମା ପ୍ରିୟ। ସେ ସମୟରେ ଏମିତି କୋଉ ସିନେମା ନଥିଲା, ଯାହା ମୁଁ ଦେଖି ନଥିବି। ସିନେମା ଦେଖିବା ନିଶା ମୋର ଏମିତି ଥିଲା ଯେ, ପଇସା ନଥିଲେ ମୁଁ ଘରୁ ପେପର ନେଇ ବିକ୍ରି କରି ସେହି ପଇସାରେ ସିନେମା ଦେଖୁଥିଲି। ଏହି ସିନେମା ନିଶା ହିଁ ମତେ ଅଭିନୟ ଆଡ଼କୁ ଟାଣି ଆଣିଥିଲା। କଟକର ତେଲେଙ୍ଗାବଜାରରେ ଆମ ଘର। ରଘୁନାଥଜୀୟୁ ମନ୍ଦିର ପାଖରେ। ଅଷ୍ଟମରେ ପଢ଼ିବା ବେଳୁ ସାହି ପିଲାଙ୍କ ସହ ମୁଁ ନାଟକ କରୁଥିଲି। ଏମିତି କି ପରୀକ୍ଷା ପୂର୍ବ ରାତିରେ ବି ନାଟକ କରିବାକୁ ଯାଇଛି। ଏମିତି ସାହିରେ ନାଟକ କରୁ କରୁ ଅନ୍ନପୂର୍ଣ୍ଣା ଥିଏଟର ବି-ଗ୍ରୁପର ଏକ ନାଟକରେ ଅଭିନୟ କରିବାକୁ ମତେ ସୁଯୋଗ ମିଳିଥିଲା। କ୍ରମେ ଥିଏଟରର ସବୁ ନାଟକରେ ମୋତେ ରୋଲଟେ ମିଳେ। ତା’ପରଠାରୁ ମୁଁ ଅନ୍ନପୂର୍ଣ୍ଣାରେ ସ୍ଵୀକୃତିପ୍ରାପ୍ତ କଳାକାର ହୋଇଗଲି।

ସତୁରୀ ଦଶକ ପରେ ନୂଆକରି ଟେଲିଭିଜିନ ଆସିଥାଏ। ଦୂରଦର୍ଶନ। ସେଥିରେ ଅଭିନୟ କରିବା ଲାଗି ମୁଁ ଅଡିସନ୍ ଦେଇଥିଲି। ହେଲେ ପ୍ରଥମେ ଅଡିସନ୍‌ରେ ମୁଁ ବିଫଳ ହୋଇଥିଲି। ମୋ ଅଭିନୟ ଜଜ୍‌ମାନଙ୍କୁ ପସନ୍ଦ ଆସିନଥିଲା। ଏହାପରେ ଦ୍ଵିତୀୟଥରରେ ଯାଇ ମୁଁ ସିଲେକ୍ଟ ହେଲି। ସେବେଠାରୁ ଆଜି ଯାଏଁ ମୋ ଅଭିନୟ ଜାରି ରହିଛି।ବ୍ରଜ ସିଂ ସମସ୍ତଙ୍କୁ ହସେଇ ହସେଇ ବେଦମ୍ କରିଦିଅନ୍ତି ଯଦି ପଚରାଯାଏ ବ୍ରଜ ସିଂଙ୍କ ଜୀବନରେ ସବୁଠୁ ବଡ଼ ଦୁଃଖ କେବେ ଏମିତି ସମୟ ଆସିଛି ଯେତେବେଳେ ଆପଣ ଅସହାୟ ହୋଇ ପଡ଼ିଥିବେ କାନ୍ଦିଥିବେ?

ସୁଖ-ଦୁଃଖ ଏ ଦୁଇଟି ସମସ୍ତଙ୍କ ଜୀବନରେ ଲାଗି ରହିଥାଏ। ମୋ ଜୀବନରେ ବି ଗୋଟିଏ ବଡ଼ ଦୁଃଖ ଅଛି, ଯାହା ମନେ ପଡ଼ିଲେ ଆଜି ବି ମୋ ଆଖି ଜକେଇ ଆସେ। ଘଟଣାଟି ହେଉଛି, ମୋ ସ୍ତ୍ରୀ ଗର୍ଭବତୀ ଥାନ୍ତି। ଯେହେତୁ ତାହା ଆମର ପ୍ରଥମ ପିଲା ଥିଲା ଡେଲିଭରି ପୂର୍ବରୁ ଡାକ୍ତର କହିଥିଲେ ସ୍ତ୍ରୀଙ୍କର ପେନ୍ ହେବ ମାନେ ଡେରି ନକରି ନେଇଆସିବ। ହେଲେ ସେତେବେଳେ ମୁଁ ଏକ ଧାରାବାହିକରେ କାମ କରୁଥାଏ। କଟକରେ ତାର ସୁଟିଂ ଚାଲିଥାଏ। ସେହି ସମୟରେ ମୋ ସ୍ତ୍ରୀଙ୍କର ପେନ୍ ହେଲା। ଯେହେତୁ ମୁଁ ଘରେ ନଥିଲି, ସେତେବେଳେ ଫୋନ୍ ବ୍ୟବହାର ବି ବିଶେଷ ଭାବେ ନଥିଲା। ତେଣୁ ସେ ନିଜେ ଯେଣୁତେଣୁ କରି ନର୍ସିଂହୋମ ଚାଲିଆସିଥିଲେ।

ସୁଟିଂ ସାରି ମୁଁ ଘରକୁ ଫେରୁଥାଏ। ହେଲେ କାହିଁକି କେଜାଣି ଇଚ୍ଛା ହେଲା, ମୁଁ ବକ୍ସିବଜାରର ସେ ନର୍ସିଂହୋମକୁ ଗଲି। ସେଠାରେ ଆମର ଘରୋଇ ଡାକ୍ତର ଅମୀୟ ମିଶ୍ର ନର୍ସିଂହୋମ ପିଣ୍ଡାରେ ବ୍ୟସ୍ତ ବିବ୍ରତ ହୋଇ ଏପଟସେପଟ ହେଉଥାନ୍ତି। ମତେ ଦେଖି କହିଲେ, ପିଲାଟା ଭଲ ଅବସ୍ଥାରେ ନାହିଁ। କ’ଣ ହେବ କିଛି କହି ହେବନି। ତେବେ ଡେଲିଭରି ପରେ ଜଣାପଡ଼ିଲା ପୁଅଟି ହୋଇଛି। କିନ୍ତୁ ସେ ମାନସିକ ବିକଳାଙ୍ଗ। ପୁଅଟି ମାତ୍ର ୫ ବର୍ଷ ୩ ମାସ ବଞ୍ଚିଥିଲା। ମୋର ସବୁଠୁ ବଡ଼ ଅବସୋସ ଥିଲା କି, ମୁଁ କେବେ ତାକୁ ମନଭରି ଗେଲ କରିପାରିଲିନି। ତା ପାଖରେ କେବେ ରହିପାରିଲିନି। ଏ ୫ ବର୍ଷ ୩ ମାସ ମୋ ସ୍ତ୍ରୀ ତାକୁ କୋଳରେ ଧରି ବଡ଼ କରିଥିଲେ। ହେଲେ ବାପା ହିସାବରେ ମୁଁ ତା ପାଇଁ କିଛି କରିପାରି ନଥିଲି, ଯାହା ଏବେ ମନେ ପଡ଼ିଲେ ମତେ କଷ୍ଟ ଦିଏ।ଥରେ ଆପଣ କହିଥିଲେ ଯାହାକୁ ପ୍ରେମ କରିବ, ତାକୁ କେବେ ବାହା ହେବନି ନହେଲେ ପ୍ରେମ ସରିଯିବ ତେବେ ଆପଣଙ୍କ ମତରେ ପ୍ରେମର ପରିଭାଷା ?

ଏମିତି କହିବାର କାରଣ ହେଉଛି ପ୍ରେମ କରିବା ବେଳେ ଉଭୟ ପ୍ରେମିକ ଏବଂ ପ୍ରେମିକା ଦୁହିଁଙ୍କ ପାଇଁ ଅନେକ ସ୍ଵପ୍ନ ଦେଖିଥାଆନ୍ତି। ଦୂରରେ ରହି ପରସ୍ପରକୁ ପ୍ରେମ କରିଥାନ୍ତି। ହେଲେ ଯେଉଁଦିନ ସେମାନେ ବାହା ହୁଅନ୍ତି, ସେଇଠି ପ୍ରେମଟି ସରିଯାଏ ବୋଲି ମୁଁ ଭାବେ। ପ୍ରେମ ସମୟରେ କିଏ କାହାକୁ ଆକାଶରୁ ଜହ୍ନ ଆଣିଦେବ ବୋଲି କଥା ଦେଇଥାଏ। ହେଲେ ବାହାଘର ପରେ ଯେତେବେଳେ ଥାଳିରେ ଖାଇବାକୁ ଭାତ ନଥାଏ, ସେତବେଳେ ଆକାଶର ଜହ୍ନ ବା କୁଆଡୁ ଆସିବ। ତେଣୁ ପ୍ରେମ ହେଉଛି ଏକ ସ୍ଵାର୍ଥପରତାର କଥା। ଯେଉଁଠି ସ୍ଵାର୍ଥ ସରିଯାଏ, ସେଠି ପ୍ରେମର ଅନ୍ତ ଘଟେ।

ଆପଣ ମଞ୍ଚ, ସିନେମା, ଧାରାବାହିକ ତିନୋଟି କ୍ଷେତ୍ରରେ ଅଭିନୟ କରିଛନ୍ତି, ଯାହାକୁ ଦର୍ଶକମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ହେଲେ ଯାତ୍ରା ପେଣ୍ଡାଲରେ ବ୍ରଜ ସିଂଙ୍କୁ କେବେ ଦେଖିବାକୁ ମିଳିନି ଆପଣଙ୍କର କେବେ ମନ ହେଇନି ଯାତ୍ରାରେ ଅଭିନୟ କରିବାକୁ?

ମଞ୍ଚ, ସିନେମା ଆଉ ଟିଭି ଦୁନିଆରେ ହିଁ ମୁଁ ନିଜକୁ ବ୍ୟସ୍ତ ରଖିଛି। ଆଉ କଥା ରହିଲା ଯାତ୍ରାର, ମତେ ବହୁ ବଡ଼ ବଡ଼ ଯାତ୍ରା ପାର୍ଟିରୁ ଡକରା ଆସିଛି। ହେଲେ ମୁଁ ସବୁବେଳେ ଅଳ୍ପରେ ସନ୍ତୁଷ୍ଟ ହେଉଥିବା ମଣିଷଟିଏ। ତେଣୁ ମୁଁ ନିଜଆଡୁ ସେସବୁକୁ ମନା କରିଛି। ବିଧିବଦ୍ଧ ଭାବେ ଅପେରା ମଞ୍ଚରେ ସିନା ମୁଁ ଅଭିନୟ କରିନି। କିନ୍ତୁ ମୋର ଜନ୍ମ ତ ମଞ୍ଚରୁ ହିଁ। ତେଣୁ ମୁଁ ସବୁବେଳେ ମଞ୍ଚକୁ ପ୍ରଧାନ୍ୟ ଦେଇଥାଏ। ସିନେମା, ଟିଭି ସହ ଏବେ ବି ମୁଁ ମଞ୍ଚ ଅଭିନୟ ଜାରି ରଖିଛି।

ଓଡ଼ିଆ ଇଣ୍ଟଷ୍ଟ୍ରିରେ ପୂର୍ବରୁ ଯେଉଁସବୁ ସିନେମା ହେଉଥିଲା, ସେଥିରେ କମେଡି ପାଇଁ ସ୍ଵତନ୍ତ୍ର ସିନ୍ ରହୁଥିଲା ଆଉ କମେଡିଆନଙ୍କ ପାଇଁ ସେମିତି ଡାଏଲଗ୍ ବି ଲେଖା ହେଉଥିଲା ହେଲେ ଏବେକାର ଟ୍ରେଣ୍ଡରେ ସେସବୁ କମିଗଲା ଭଳି ଲାଗୁଛି କାହିଁକି?

ମୁଁ ତ କହିବି ଏବେ ବା ଇଣ୍ଡଷ୍ଟ୍ରି ତାହା ଜାଣି ହିଁ ନାହାନ୍ତି। ଏବେ ସିନେମାରେ କେବଳ ଦୁଇଟି ହିଁ ମୁଖ୍ୟ। ହିରୋ-ହିରୋଇନ। ଏହି ଦୁଇ ଚରିତ୍ରକୁ ଗୁରୁତ୍ଵ ଦେଇ ପ୍ରେମର ସାହାରାରେ ସିନେମା ତିଆରି ହେଉଛି। ଅନ୍ୟ ଚରିତ୍ରକୁ ଏତେ ଟା ଗୁରୁତ୍ଵ ଦିଆଯାଉନାହିଁ। କିନ୍ତୁ ମୁଁ ଯେତେବେଳେ ଅଭିନୟକୁ ଆସିଥିଲି, ସେତେବେଳର କଥା କହୁଛି। ନରି ଭାଇ, ଜୟୀ ଭାଇ, ଶ୍ୟାମଳେନ୍ଦୁ ଦା, ଦେବୁ ଦାଙ୍କ ଭଳି କଳାକାର ପ୍ରାୟ ଓଡ଼ିଆ ସିନେମାରେ ଲୋକମାନଙ୍କୁ ହସାଉଥିଲେ। ସେତେବେଳେ କାହାଣୀ ଲେଖକ ଆଉ ନିର୍ଦ୍ଦେଶକ ପୂରା ସିନେମାକୁ ଏକ ପ୍ୟାକେଜ୍ ଭାବେ ଦେଖୁଥିଲେ। ସେଥିରେ ହିରୋ, ହିରୋଇନ, କମେଡିଆନ, ଖଳନାୟକ, ପାର୍ଶ୍ଵ କଳାକାର ସମସ୍ତଙ୍କୁ ଗୁରୁତ୍ଵ ଦିଆଯାଉଥିଲା।ଭଲ କଳାକାରଟିଏ ହେବାକୁ ହେଲେ ଜଣଙ୍କ ପାଖରେ ଣସବୁ ଗୁଣ ରହିବା ଆବଶ୍ୟକ ବୋଲି ଆପଣ ଭାବନ୍ତି?

ଭଲ କଳାକାରଟିଏ ହେବା କେବେ ସହଜ ନୁହେଁ ବୋଲି ମୁଁ ଭାବେ। ଏଥିପାଇଁ ବହୁତ ଧୈର୍ଯ୍ୟ ଆଉ ନିଷ୍ଠାର ଆବଶ୍ୟକତା ରହିଛି। ମୁଁ ମୋର ଅନୁଭୂତି କଥା କହୁଛି। ୧୯୮୬ରେ ପ୍ରଶାନ୍ତ ଭାଇନାଙ୍କ (ପ୍ରଶାନ୍ତ ନନ୍ଦ) ‘ବଗୁଲା ବଗୁଲି’ ସିନେମାରୁ ମୁଁ ଡେବ୍ୟୁ କରିଥିଲି। ସେହି ସିନେମାରେ ଗୋଟିଏ କଥା ମୋର ଏବେବି ମନେଅଛି, ପିଲ୍ମ ସୁଟିଂ ପାଇଁ ମତେ ଭୁବନେଶ୍ଵର ଯିବାର ଥାଏ। ସେତେବେଳେ ମୋ ପାଖରେ ଏତେ ପଇସା ବି ନଥାଏ। ତଥାପି ଘରୁ ରିକ୍ସାରେ ବାଦାମବାଡ଼ି ଯାଇ, ସେଠୁ ବସ୍ ଧରି ଭୁବନେଶ୍ଵର ଯାଏ। ଏମିତି ଦୁଇଦିନ ଯିବା ପରେ ମଧ୍ୟ ମୋ ସିନ୍ ପଡ଼ିନଥିଲା। ତା’ ଆରଦିନ ବର୍ଷା ହେବାରୁ ମୁଁ ଆଉ ଗଲିନାହିଁ। ହେଲେ ସେହିଦିନ ମୋ ପାଇଁ ଗୋଟେ ସିନ୍ ଥିଲା। ତା’ପର ଦିନ ପୁଣି ମୁଁ ସୁଟିଂ ସେଟ୍‌ରେ ହାଜିର ହେଲି। ସେଠୁ ବହୁ ସମୟ ଅପେକ୍ଷା କରିବା ପରେ ମତେ ସିନ୍‌ଟିଏ ମିଳିଥିଲା।

ତେଣୁ କଳାକାର ହେବାକୁ ହେଲେ ପ୍ରଥମେ ଧୈର୍ଯ୍ୟର ଆବଶ୍ୟକତା ରହିଛି। ଯିଏ ଧୈର୍ଯ୍ୟ କରିପାରିବ ନାହିଁ ସେ କେବେ କଳାକାର ହୋଇପାରିବ ନାହିଁ। ସେମିତି ଅଭିନୟରେ ସବୁବେଳେ ନିଷ୍ଠା ରହିବା ଆବଶ୍ୟକ। ଚରିତ୍ର ଯାହା ବି ଥାଉ, ତା’ର ଉଦ୍ଦେଶ୍ୟ ଆଉ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାକୁ ମାନି ଅଭିନୟ କରିବାକୁ ହେବ। ହେଲେ ଦୁଃଖର କଥା ଏବେ ଯେଉଁ ପିଲାମାନେ ଅଭିନୟକୁ ଆସୁଛନ୍ତି, ସେମାନେ ପୂର୍ବରୁ ସବୁ ଜାଣିକି ଆସିଲା ଭଳି ଭାବୁଛନ୍ତି। ନିଜକୁ ଓ୍ଵାନ୍ ଟେକ୍ ଆର୍ଟିଷ୍ଟ କହି ସାମ୍ନାବାଲା ଅଭିଜ୍ଞ କଳାକାରକୁ ଖାତିର କରୁନାହାନ୍ତି।ଆପଣଙ୍କ ଅଭିନୟ ପାଇଁ ଆପଣ ଓଡ଼ିଶାର ଘରେ ଘରେ ପରିଚିତ ଲୋକେ ଆପଣଙ୍କୁ ବେଶ୍ ପସନ୍ଦ କରନ୍ତି ତେବେ ଭିତରେ ରାଜନୀତିରେ ପାଦ ଦେବାକୁ ବ୍ରଜ ସିଂଙ୍କ ମନ କେବେ ବଳିନି?

ଅଭିନୟ ଯେମିତି ଗୋଟିଏ କଳା, ସେମିତି ରାଜନୀତି ମଧ୍ୟ ଗୋଟିଏ କଳା ବୋଲି ମୁଁ ଭାବେ। ଭଗବାନଙ୍କ ଦୟାରୁ ଅଭିନୟର କଳା ମୋ ପାଖରେ ଅଛି, ତାକୁ ମୁଁ ହଜମ କରିପାରିଛି। ହେଲେ ରାଜନୀତି କଳା ମୋ ଦେଇ କେବେ ହେଇନି କି ଆଗକୁ ହେବ ନାହିଁ ବୋଲି ମୁଁ ଭାବେ। ରାଜନୀତିରୁ ମୋର ବହୁ ବନ୍ଧୁ ଅଛନ୍ତି। ରାଜନୈତିକ ସଭାସମିତିକୁ ସେମାନେ ମତେ ଡାକନ୍ତି। ହେଲେ ମୁଁ ସେଠିକି ଯିବା ପାଇଁ ମନ ବଳାଇନି। ମୁଁ କ୍ୟାମେରା ଆଗରେ ଲୋକଙ୍କୁ ଦେଖାଇବା ପାଇଁ ଅଭିନୟ କରିପାରେ। କିନ୍ତୁ ମଞ୍ଚ ଉପରେ ସେହି ଲୋକଙ୍କୁ ମିଛ ପ୍ରତିଶ୍ରୁତି ମତେ ଦେଇଆସେନି।

ବ୍ରଜ ସିଂ ଯଦି କଳାକାର ହୋଇ ନଥାନ୍ତେ ତାହାଲେ ହୋଇଥାନ୍ତେ?

ଅଭିନୟକୁ ଛାଡ଼ିଦେଲେ ମୋ ଜୀବନରେ ଆଉ କିଛି ନାହିଁ। ଅଭିନୟ ମୋର ପ୍ରେମିକା। ମୁଁ ଅଭିନୟକୁ ଭଲପାଏ। ତେଣୁ ଅଭିନୟ ବାଦ୍ ମୁଁ କେବେ କିଛି ଭାବିନି କି ଭାବିପାରିବି ନାହିଁ ମଧ୍ୟ। ହେଲେ ପିଲାବେଳେ ମୋର ଇଚ୍ଛା ଥିଲା, ମୁଁ ଚାକିରି ଖଣ୍ଡେ କରିବି। ସରକାରୀ ଚାକିରି। କିନ୍ତୁ ମୋର ପାଠଘର ଶୂନ। ଅଷ୍ଟମ ଶ୍ରେଣୀରେ ଦୁଇ ଦୁଇଥର ଫେଲ୍। ମାଟ୍ରିକ ପାସ୍ କେମିତି କରିଛି ତା’ ନକହିବା ଭଲ। ସେଠୁ ସିଟି କଲେଜରେ ଆଇଏ ପଢ଼ା, ବାସ୍ ସେଇଠୁ ପାଠରେ ଡୋରି ବନ୍ଧା ହେଇଥିଲା। ସ୍କୁଲ ବେଳୁ ଅଭିନୟ କରୁ କରୁ ଆଜି ମୁଁ ଏହି ସ୍ଥାନରେ ପହଞ୍ଚିଛି। ତେଣୁ କଳାକାର ନ ହୋଇନଥିଲେ ମୁଁ ଆଉ କିଛି ବି ହୋଇପାରିଥାନ୍ତି ବୋଲି ମୁଁ କେବେ ଭାବି ନାହିଁ।ରିଲ୍ ହେଉ କି ରିୟଲ୍ ଆପଣଙ୍କ କଥା କହିବା ଅନ୍ଦାଜ ଖାଣ୍ଟି କଟକି ଆପଣଙ୍କର କଥାରେ ଯୋଉ କଟକି ଛୁଙ୍କ ରହିଥାଏ, ତାକୁ ନେଇ ଆପଣ କହିବେ?

କଟକରେ ମୋ ଜନ୍ମ। ଏଠାକାର ମାଟି, ପାଣି, ପବନରେ ମୁଁ ବଢ଼ିଛି। ମୋ ପରିବାର, ମୋ ସାହି, ମୋ ସହରକୁ ମୁଁ ଭଲପାଏ। ସାହିରେ ସାଙ୍ଗମାନଙ୍କ ସହ ବସି ଖଟି କରେ। ତେଣୁ ମୋ କଥାରେ ଏହି କଟକି ଠାଣି ରହିଛି। ମୁଁ ଅଭିନୟ କଲାବେଳେ ମଧ୍ୟ ମୋ ଅଜାଣତରେ ଏହି ଠାଣି ପାଟିରୁ ବାହାରିଯାଏ, ଆଉ ଦର୍ଶକମାନେ ତାକୁ ପସନ୍ଦ ମଧ୍ୟ କରନ୍ତି।

Tags: #BrajaSingh #Ollywood #Comedy #OdiaCineIndustry #Cuttack #ComedianBrajaSingh #ବ୍ରଜସିଂ #ହାସ୍ୟଅଭିନେତାବ୍ରଜସିଂ #କମେଡିଆନବ୍ରଜସିଂ #ଓଲିଉଡ୍ #ଓଡ଼ିଆସିନେମା #କମେଡି

Comment