ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ପଞ୍ଚଦଶ ରାଷ୍ଟ୍ରପତି ତଥା ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ଆଜି ପଦ ଏବଂ ଗୋପନୀୟତାର ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଉତ୍ସବକୁ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶା ମାଟିର ଝିଅ ଦେଶର ସର୍ବୋଚ୍ଚ ପଦବୀରେ ବସିବା ଗର୍ବ ଏବଂ ଗୌରବର କଥା। ଦ୍ରୌପଦୀ ମୁର୍ମୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ଦେଶର ରାଷ୍ଟ୍ରପତି ହେବା ଆମମାନଙ୍କ ପାଇଁ ସୌଭାଗ୍ୟର ବିଷୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ସହ ତାଙ୍କର ସମ୍ପର୍କ ବହୁତ ପୁରୁଣା।

ସମ୍ପର୍କ ରାଜନୈତିକ ହୋଇଥିଲେ ମଧ୍ୟ ଦ୍ରୌପଦୀ ମୁର୍ମୁ ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ଭାଇ ବୋଲି ମାନିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଭଉଣୀ ବୋଲି ସମ୍ବୋଧନ କରିବା ସହ ସେ ଭାରତର ରାଷ୍ଟ୍ରପତି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବେଶ ଖୁସି ଥିବା କହିଛନ୍ତି। ଜଣେ ଓଡ଼ିଶାର ଝିଅ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସିବା ଓଡ଼ିଶା ଏବଂ ଓଡ଼ିଶାବାସୀଙ୍କ ପାଇଁ ଗୌରବର ବିଷୟ। ଏହି ଦିନଟି ସ୍ମରଣୀୟ ହୋଇରହିବ ସେ କହିଛନ୍ତି।

ସଂସଦ ଭବନର ସେଣ୍ଟ୍ରାଲ ହଲରେ ଆୟୋଜିତ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଗଧାଡ଼ିରେ ଦେଖିବାକୁ ମିଳିଥିଲା। ଶପଥ ଗ୍ରହଣ ପରେ ଦେଶର ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମସ୍ତ ଅତିଥିମାନଙ୍କୁ ଅଭିବାଦନ ଜଣାଇଥିଲେ। ପରେ ଦ୍ରୌପଦୀ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ପରେ ଉଭୟ କିଛି ସମୟ କଥା ହୋଇଥିଲେ।

Tags: #Politics #OdishaPolitics #CMOdisha #NaveenPatnaik #President #DraupadiMurmu

Comment