ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀର ରାଜରାସ୍ତାରେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଅଭିନେତା ବାବୁସାନ ମହାନ୍ତିଙ୍କ ପତ୍ନୀ ମାଡ଼ ମାରିବା ଘଟଣା ଥାନାକୁ ଯିବା ପରେ ପ୍ରକୃତି ମିଶ୍ରଙ୍କୁ ଜେରା କରିଛି ପୋଲିସ୍ । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କୁଆଡ଼େ ଗଲେ ବାବୁସାନ?

ଶନିବାର ଦିନ ଗୋଟିଏ କାର୍‌ରେ ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଏୟାରପୋର୍ଟ ଅଭିମୁଖେ ଯାଉଥିବାବେଳେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ପ୍ରକୃତିଙ୍କୁ କାର୍‌ରୁ ବାହାର କରିବା ସହ ବିଚ ରାସ୍ତାରେ ଗୋଡ଼େଇ ଗୋଡ଼େଇ ପିଟିଥିଲେ। ଘଟଣା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ଏହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ରାଜଧାନୀ ରାଜରାସ୍ତାରେ ଘଟିଥିବା ଏହି ହାଇଡ୍ରାମା ଥାନାରେ ପହଞ୍ଚିଥିଲା।

ଉଭୟ ପରିବାର ପକ୍ଷରୁ ଥାନାରେ ଅଭିଯୋଗ

ପ୍ରକୃତି ମିଶ୍ରଙ୍କୁ ବାବାସାନଙ୍କ ପତ୍ନୀ ମାଡ଼ମାରିବା ଖବର ପ୍ରାସର ହେବା ପରେ ପ୍ରକୃତି ମିଶ୍ରଙ୍କ ବାପା ଏବଂ ମା’ ଖାରବେଳନଗର ଥାନାରେ ତୃପ୍ତି ଶଥପଥୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ତୃପ୍ତିଙ୍କ ତରଫରୁ ବାବୁସାନଙ୍କ ମା’ ଅପରାଜିତା ମହାନ୍ତି ମଧ୍ୟ ଥାନାର ଦ୍ବାରସ୍ଥ ହୋଇଥିଲେ। ପୋଲିସ୍ ଭିନ୍ନ ଭିନ୍ନ ଦୁଇଟି ମାମଲା ରୁଜୁ କରିଥିଲା।

ପ୍ରକୃତି ମିଶ୍ରଙ୍କୁ ଏକ ଘଣ୍ଟା ଜେରା

ପ୍ରକୃତି ମିଶ୍ର ଚେନ୍ନାଇରୁ ଏକ ଓଡ଼ିଆ ସିନେମାର ପ୍ରମୋସନ ସାରି ଭୁବନେଶ୍ୱର ଫେରିବା ପରେ ମଙ୍ଗଳବାର ଦିନ ତାଙ୍କୁ ଜେରା କରିବା ପାଇଁ ପହଞ୍ଚିଥିଲା ଖରବେଳନଗର ଥାନାର ଏକ ଟିମ୍। ପ୍ରକୃତି ମିଶ୍ରଙ୍କୁ ତାଙ୍କ ବାସଭବନରେ  ଜଣେ ମହିଳା ପୋଲିସ୍ ଏକ ଘଣ୍ଟା ଧରି ଜେରା କରିଥିଲେ। ପାଖରେ ଥିଲେ ପରିବାର ସଦସ୍ୟ। ଜେରା ସମୟରେ ପ୍ରକୃତି ସହଯୋଗ କରିଥିବା ଜଣେ ପୋଲିସ୍ ଅଧିକାରୀ କହିଛନ୍ତି।

ପ୍ରକୃତି ମିଶ୍ର ଅଭିନେତା ବାବୁସାନଙ୍କୁ ନିଶାଗ୍ରସ୍ତ କରାଇବା ସହ ବ୍ଲାକ ମେଲିଂ କରୁଥିବା ନେଇ ଅଭିଯୋଗ କରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ। ଅନ୍ୟପକ୍ଷରେ ପ୍ରକୃତିଙ୍କୁ ତୃପ୍ତି ମାଡ଼ ମାରିବା ଘଟଣାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ପ୍ରକୃତିଙ୍କ ପରିବାର ଲୋକେ। ତେବେ ପୋଲିସ୍ କେଉଁ ଅଭିଯୋଗ ନେଇ ପ୍ରକୃତିଙ୍କୁ ଜେରା କରିଛି ତାହା ତଦନ୍ତକାରୀ ଅଧିକାରୀ ସୂଚନା ଦେଇନାହାନ୍ତି।

“ମୁଁ ଚାହୁଁଛି ବାବୁ ତା’ ପରିବାର ପାଖକୁ ଫେରିଯାଉ” – ମନ୍ମଥ ମିଶ୍ର

ଆଜି ପ୍ରକୃତି ମିଶ୍ରଙ୍କୁ ପୋଲିସ ଜେରା କରିବା ପରେ ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, “ମୁଁ ଚାହୁଁଛି ବାବୁ ତା’ ପରିବାର ପାଖକୁ ଫେରିଯାଉ। ଗୋଟିଏ ବାପା ହିସାବରେ ଚାହୁଁଛି ସେ ସୁଖରେ ତା’ ସଂସାର କରୁ।”

କିନ୍ତୁ ପ୍ରକୃତିଙ୍କ ଉପରେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ଆକ୍ରମଣ ଏବଂ ତୃପ୍ତିଙ୍କ ଅଭିଯୋଗର ତଦନ୍ତ କରାଯିବା ଉଚିତ ବୋଲି କହିଛନ୍ତି ମନ୍ମଥ ମିଶ୍ର। ଚେନ୍ନାଇରେ ସେ ବାବାସାନଙ୍କ ସହ କଥା ହୋଇଥିବା ମଧ୍ୟ କହିଛନ୍ତି। ସେ କହିଛନ୍ତି ଆମର ଆଇନ ଉପରେ ପୁରା ଭରଷା ଅଛି। ବର୍ତ୍ତମାନ ଏହି ଘଟଣା ତଦନ୍ତ ପରିସରଭୁକ୍ତ ଥିବାରୁ ଅଧିକ କହିବା ଠିକ୍ ହେବନି ବୋଲି କହିଥିଲେ ମନ୍ମଥ ମିଶ୍ର।

ବାବୁସାନଙ୍କଠାରୁ ଦୂରେଇ ଗଲେ ଟିମ୍

ପ୍ରକୃତି ଏବଂ ବାବୁସାନଙ୍କୁ ନେଇ ହେଇଥିବା ହାଇଡ୍ରାମା ପରେ ବାବୁସାନଙ୍କଠାରୁ ‘ଦମନ’ ଟିମ୍ ଦୂରେଇ ଯାଇଥିବା ଶୁଣିବାକୁ ମିଳୁଛି। ବାବୁସାନ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତୁ ବୋଲି ମାଡ୍ରାସ୍ ଉତ୍କଳ ସଂଘ ଚାହୁଁଥିବାବେଳେ କାର୍ଯ୍ୟକ୍ରମକୁ ଯିବା ପାଇଁ ସିନେମାର ପ୍ରଯୋଜକ ମନା କରିଦେଇଥିଲେ। ବାବୁସାନଙ୍କୁ ସେଠାରେ ଅଣଦେଖା କରାଯାଇଥିବା ମଧ୍ୟ ସୂଚନା ମିଳିଛି। କେବଳ ପ୍ରଯୋଜକ ନୁହନ୍ତି ପୁରା ଟିମ୍ ବାବୁସାନଙ୍କଠାରୁ ମୁହଁଫେରାଇ ନେଇଥିବା କୁହାଯାଉଛି।

କୁଆଡ଼େ ଗଲେ ବାବୁସାନ?

ରାଜଧାନୀର ରାଜରାସ୍ତାରେ ପତ୍ନୀ ତୃପ୍ତି ଶତପଥୀଙ୍କ ରିଆକ୍ସନ ଏବଂ ଆକ୍ସନ ପରେ ଅଭିନେତା ବାବୁସାନଙ୍କର ଦେଖାମିଳୁ ନାହିଁ। ଅଭିନେତ୍ରୀ ପ୍ରକୃତି ମିଶ୍ର ଏବଂ ବାବୁସାନ ମହାନ୍ତିଙ୍କ ସମ୍ପର୍କକୁ ନେଇ ପତ୍ନୀ ଉଠାଇଥିବା ଅଭିଯୋଗ ପରେ ସବୁ ଅଭିଯୋଗକୁ ଖଣ୍ଡନ କରିଥିଲେ ବାବୁସାନ। ସୋସିଆଲ ମିଡିଆରେ ଦୁଇଟି ଭିଡିଓ ଜାରି କରି ପ୍ରକୃତି ମିଶ୍ର ଏବଂ ତାଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାର କୌଣସି ସତ୍ୟାସତ୍ୟ ନାହିଁ। ପ୍ରକୃତି ତାଙ୍କୁ ବ୍ଲକମେଲ୍ କରୁନାହାନ୍ତି। ସେ ତାଙ୍କର ଭଲ ବନ୍ଧୁ। ପରିବାର ଲୋକେ ଯାଦି ଚାହୁଛନ୍ତି, ତେବେ ସେ କୌଣସି ସହ ଅଭିନେତ୍ରୀଙ୍କ ସାଥିରେ କାମ କରିବେ ନାହିଁ ବୋଲି ବାବୁସାନ ଭିଡିଓରେ କହିଛନ୍ତି।

ଏବେ ପ୍ରଶ୍ନ ଉଠୁଛି ବାବୁସାନ କେଉଁଠି ଅଛନ୍ତି? ସୋମବାର ରାତିରେ ଚେନ୍ନାଇ-ଭୁବନେଶ୍ୱର ବିମାନରେ ‘ଦମନ’ ସିନେମାର ପୁରା ଟିମ୍ ଭୁବନେଶ୍ବର ଫେରିଛନ୍ତି। ବାବୁସାନ ଫେରିବା ପାଇଁ ଟିକେଟ ହୋଇଥିଲେ ମଧ୍ୟ ସେ ଫେରିନାହାନ୍ତି। ଏହି ଘଟଣାପରେ ବାବୁସାନ ମାନସିକ ଚାପରେ ରହିଥିବା କିଛି ଟିମ୍ ସଦସ୍ୟ କହିଛନ୍ତି। ସୋମବାର ରାତି ୧୦ଟାରେ ବାବୁସାନ ହୋଟେଲ ଛାଡ଼ି ଥିଲେ। ଏବେ ସେ କେଉଁଠି ଅଛନ୍ତି କାହାକୁ ଜଣାନାହିଁ।

ବାବୁସାନଙ୍କୁ ଫେରିଆସିବାକୁ କହିଲେ ପରିବାର

ଚେନ୍ନାଇ ସିନେମା ପ୍ରମୋସନ ପାଇଁ ଯାଇଥିବା ପୁରା ଟିମ୍ ଫେରିଆସିଥିବାବେଳେ ଫେରିନାହାନ୍ତି ବାବୁସାନ ମହାନ୍ତି। ଏବେ ପୁଅକୁ ଘରକୁ ଫେରିଆସିବା ପାଇଁ କହିଛନ୍ତି ମା’ ଅପରାଜିତା ମହାନ୍ତି। ଅପରାଜିତା କହିଛନ୍ତି, “ବାବୁ ତୁ ଘରକୁ ଫେରିଆ, ଯାହା ହେଲା ହେଲା। ଆମେ ସମସ୍ତେ ତୋ ସାଥିରେ ଅଛୁ।“

ଶନିବାର ସକାଳେ ବାବୁସାନ ଚେନ୍ନାଇ ଯାଇଥିଲେ। ସେଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। କିନ୍ତୁ ବିବାଦ ପରେ ଚେନ୍ନାଇ କାର୍ଯ୍ୟକ୍ରମରେ ସେ ସାମିଲ ହୋଇନଥିଲେ। ଶନିବାରର ଘଟଣା ପରେ ପ୍ରକୃତି ମିଶ୍ର ବି ଚେନ୍ନାଇ ଯାଇଥିଲେ। ଏପରିକି ଚେନ୍ନାଇରୁ ସେ ଗଣମାଧ୍ୟମରେ ବିବାଦ ସମ୍ପର୍କରେ ସଫେଇ ରଖିଥିଲେ। ସୋମବାର ପ୍ରକୃତି ମିଶ୍ରଙ୍କ ପରିବାର ଲୋକେ ଚେନ୍ନାଇ ଯାଇ ପ୍ରକୃତିଙ୍କ ସହ ଏକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ପ୍ରକୃତି ମିଶ୍ର ଭୁବନେଶ୍ବର ଫେରିବା ପରେ ଆଜି ପୋଲିସ୍ ପ୍ରକୃତିଙ୍କୁ ଜେରା କରିଥିଲା।

Tags: #Entertainment #OllywoodStars #PrakrutiMishra #Babusan #Controversy #PoliceCase

Comment