ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳ। ଅପରାହ୍ଣ ୪ଟାରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନରେ ୯୪ ପ୍ରତିଶତ ଏବଂ ବାଣିଜ୍ୟରେ ୮୯ ପ୍ରତିଶତ ପାସହାର ହୋଇଛି।

ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ଛାତ୍ରଛାତ୍ରୀ ଓ୍ଵେବସାଇଟ୍ରୁ ପରୀକ୍ଷା ଫଳ ପାଇପାରିବେ। ପରୀକ୍ଷା ଫଳାଫଳ ପାଇବା ପାଇଁ ରହିଥିବା ଓ୍ଵେବସାଇଟ୍ ହେଉଛି www.orrisaresult.nic.in। ଏହା ସହିତ ପରୀକ୍ଷା ଫଳ କଲେଜ ସାମ୍ସ ଇସ୍ପେସରେ ମଧ୍ୟ ଉପଲବ୍ଧ ହେବ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଚଳିତ ବର୍ଷ ଦୁଇ ମାସ ବିଳମ୍ବରେ ଏପ୍ରିଲ ମାସ ଶେଷ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ କୋଭିଡ ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ନିୟମିତ ପରୀକ୍ଷାର୍ଥୀଙ୍କ ନିମନ୍ତେ ଦୁଇଟି ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଇଛି।

ପ୍ରଥମ ବିକଳ୍ପ ଭାବେ ଯୁକ୍ତ ୨ ପରିଷଦ ପରିଚାଳିତ ପରୀକ୍ଷାର ୮୦ ଭାଗ ନମ୍ବର ଏବଂ ସ୍କୁଲ ପରିଚାଳିତ କ୍ବାଟର ଏଣ୍ଡ ପରୀକ୍ଷାର ଶତକଡ଼ା ୨୦ ଭାଗ ନମ୍ବର ଭିତ୍ତିରେ ହୋଇଛି। ଏହି ଦୁଇଟି ବିକଳ୍ପ ମଧ୍ୟରୁ ବର୍ଷଓ୍ବାରି ପରୀକ୍ଷାରେ ପରୀକ୍ଷାର୍ଥୀ ପାଇଥିବା ସର୍ବାଧିକ ନମ୍ବର ଭିତ୍ତିରେ ପରୀକ୍ଷା ଫଳ ନିରୂପଣ କରାଯାଇଛି।

ଆଜି ଅପରାହ୍ଣ ୫ଟାରୁ ପରୀକ୍ଷାର୍ଥୀମାନେ www.orrisaresult.nic.in ଓ୍ଵେବସାଇଟ୍ରୁ ନିଜ ପରୀକ୍ଷା ଫଳ ଜାଣିପାରିବେ ଏବଂ ମାର୍କସିଟ୍ ମଧ୍ୟ ଡାଉନଲୋଡ କରିପାରିବେ। ନିଜ ନିଜର ସ୍କୁଲ ଓ କଲେଜରେ ମଧ୍ୟ ଫଳାଫଳ ଉପଲବ୍ଧ ରହିବ। ହେଲପଲାଇନ ନମ୍ବର ୦୬୭୪ ୨୩୦ ୧୦୯୮କୁ କଲ୍ କରି ପରୀକ୍ଷାର୍ଥୀମାନେ ଆବଶ୍ୟକ ସୂଚନା ପାଇପାରିବେ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଶିକ୍ଷାମନ୍ତ୍ରୀ ଚଳିତ ବର୍ଷର ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳଫଳ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି। ମନ୍ତ୍ରୀ ପ୍ରଥମେ ବିଜ୍ଞାନ ପରୀକ୍ଷା ଫଳ ଘୋଷଣା କରିବା ପରେ ବାଣିଜ୍ୟ ପରୀକ୍ଷା ସମ୍ପର୍କରେ ସୂଚନା ଦେଇଛନ୍ତି।

ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳାଫଳ

ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନରେ ମୋଟ ୭୮ ହଜାର ୭୭ ଜଣ ପରୀକ୍ଷାର୍ଥୀ ଫର୍ମପୂରଣ କରିଥିଲେ। ଏଥିମଧ୍ୟରୁ ରେଗୁଲାର ପରୀକ୍ଷାର୍ଥୀ ହେଉଛନ୍ତି ୭୪,୫୧୧ ଜଣ ଏବଂ ଏକ୍ସ ରେଗୁଲାର ହେଉଛନ୍ତି ୩,୫୫୬ ଜଣ। କିନ୍ତୁ ପରୀକ୍ଷା ଦେଇଥିଲେ ମୋଟ ୭୬,୬୦୪ ଜଣ। ଏଥିରେ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୭୩,୭୭୧ ରହିଥିବାବେଳେ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି ୨,୮୩୩ ଜଣ। ଏମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ମୋଟ ୭୨,୧୦୬ ଜଣ। ଯାହାର ପାସ୍ ହାର ହେଉଛି ୯୪.୧୨ ପ୍ରତିଶତ। ଏଥିରେ ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୦,୯୧୮ ପାସ କରିଥିବାବେଳେ ୧,୧୮୮ ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଛନ୍ତି।

ମୋଟ ୪୨,୨୦୩ ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ପାସ୍ କରିଛନ୍ତି ୩୯,୫୮୭ ଜଣ। ଯାହାର ପାସ୍ ହାର ହେଉଛି ୯୩.୮୦ ପ୍ରତିଶତ। ସେହିପରି ୩୪,୪୦୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ ହୋଇଛନ୍ତି ୩୨,୫୧୯ ଜଣ। ଏହାର ପାସ୍ ହାର ହେଉଛି ୯୪.୫୨ ପ୍ରତିଶତ। କହିବାକୁ ଗଲେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ବିଜ୍ଞାନରେ ଅଧିକ ରହିଛି।

ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ୫୦,୧୫୭ ଜଣ। ସେହିପରି ଦ୍ବିତୀୟ ଶ୍ରେଣୀରେ ୧୪,୯୩୨ ପାସ୍ ହୋଇଥିବାବେଳେ ତୃତୀୟ ଶ୍ରେଣୀରେ ପାସ୍ ହୋଇଛନ୍ତି ୬,୯୧୦ ଜଣ ବିଜ୍ଞାନ ଛାତ୍ରଛାତ୍ରୀ। ୯୦ରୁ ଅଧିକ ପ୍ରତିଶତ ରଖିଛନ୍ତି ୧,୧୨୪ ଜଣ ଛାତ୍ରଛାତ୍ରୀ। ଚଳିତ ଥର ଯୁକ୍ତ ୨ ବଜ୍ଞାନରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବା କଲେଜ ସଂଖ୍ୟା ହେଉଛି ୩୯୩ଟି। ସବୁଠାରୁ ଅଧିକ ପାସ୍ ହାର ହୋଇଥିବା ଜିଲ୍ଲା ହେଉଛି ନୟାଗଡ଼। ଏଠାରେ ୯୯.୧୧ ପ୍ରତିଶତ ରେଜଲ୍ଟ ହୋଇଛି। ଫୁଲବାଣୀ ଜିଲ୍ଲାରେ ସବୁଠାରୁ କମ୍ ରେଜଲ୍ଟ ୭୬.୮୧ ପ୍ରତିଶତ ହୋଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ବାଣିଜ୍ୟ ପରୀକ୍ଷା ଫଳ

ଚଳିତ ବର୍ଷ ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ ମଧ୍ୟ ଆଶାନୁରୂପ ହୋଇଥିବା ମନ୍ତ୍ରୀ କହିଛନ୍ତି। ଏବର୍ଷ ବାଣିଜ୍ୟରେ ମୋଟ ୨୪,୧୬୨ ଜଣ ପରୀକ୍ଷାର୍ଥୀ ରହିଥିବାବେଳେ ସେଥିମଧ୍ୟରେ ୨୩,୧୫୫ ଜଣ ରେଗୁଲାର ଏବଂ ୯୮୧ ଜଣ ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ରହିଛନ୍ତି। ବାଣିଜ୍ୟ କରେସପଣ୍ଡେଣ୍ଟ କୋର୍ସରେ ଥିଲେ ୨୬ ଜଣ। କିନ୍ତୁ ପରୀକ୍ଷା ଦେଇଥିଲେ ମୋଟ ୨୩,୭୨୬ ଜଣ। ଏମାନଙ୍କ ମଧ୍ୟରେ ୨୨,୮୭୬ ଜଣ ରେଗୁଲାର ପରୀକ୍ଷାର୍ଥୀ ରହିଥିବାବେଳେ ୮୨୬ ଜଣ ଏକ୍ସ ରେଗୁଲାର ଏବଂ ୨୪ ଜଣ କରେସପଣ୍ଡେଣ୍ଟ ପରୀକ୍ଷାର୍ଥୀ ରହିଛନ୍ତି।

ବାଣିଜ୍ୟରେ ଚଳିତ ବର୍ଷ ପାସ୍ କରିଛନ୍ତି ମୋଟ ୨୧,୧୬୫ ଜଣ। ଯାହାର ପାସହାର ହେଉଛି ୮୯.୨୦ ପ୍ରତିଶତ। ଏମାନଙ୍କ ମଧ୍ୟରେ ୨୦,୮୭୦ ଜଣ ରେଗୁଲାର, ୨୮୪ ଜଣ ଏକ୍ସ ରେଗୁଲାର ଓ ୧୧ ଜଣ କରେସପଣ୍ଡେଣ୍ଟ ଛାତ୍ରଛାତ୍ରୀ ରହିଛନ୍ତି।

ଚଳିତ ଥର ମୋଟ ୧୪,୯୫୮ ଜଣ ଛାତ୍ର ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୧୩,୨୧୧ ଜଣ। ସେହିପରି ୮,୭୬୮ ଜଣ ଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୭୯୫୪ ଜଣ।

ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି ୧୦,୮୬୩ ଜଣ। ଦ୍ବିତୀୟ ଶ୍ରେଣୀରେ ୫,୦୫୩ ଜଣ ଏବଂ ତୃତୀୟ ଶ୍ରେଣୀରେ ୫,୨୪୨ ଜଣ ପାସ କରିଛନ୍ତି। କମ୍ପାଟମେଣ୍ଟାଲରେ ୭ ଜଣ ପାସ କରିଛନ୍ତି। ଶତ ପ୍ରତିଶତ ରେଜଲ୍ଟ ହୋଇଥିବା କଲେଜ ସଂଖ୍ୟା ହେଉଛି ୧୩୪ଟି। ବୌଦ୍ଧ ଜିଲ୍ଲାରେ ସବୁଠାରୁ ଭଲ ଏବଂ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଦେଓଗଡ଼ରେ ସବୁଠାରୁ କମ୍ ୬୧.୫୩ ପ୍ରତିଶତ ରେଜଲ୍ଟ ହୋଇଛି। ୯୦ରୁ ଅଧିକ ପ୍ରତିଶତ ରଖିଛନ୍ତି ୨୭୩ ଜଣ ଛାତ୍ରଛାତ୍ରୀ।

ଆସନ୍ତା ଅଗଷ୍ଟ ମାସ ୮ ତାରିଖରେ ଯୁକ୍ତ ୨ କଳା ଏବଂ ଧନ୍ଦାମୂଳ ଶିକ୍ଷାର ପରୀକ୍ଷା ଫଳାଫଳ ପ୍ରକାଶ ପାଇବ ବୋଲି ଏହି ଅବସରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ଉଭୟ ଯୁକ୍ତି ୨ ବିଜ୍ଞାନ ଏବଂ ବାଣିଜ୍ୟରେ ଭଲ ରେଜଲ୍ଟ ହୋଇଥିବାରୁ ପରୀକ୍ଷାରେ ଉପକୃତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉତ୍ତମ ଭବିଷ୍ୟତ କାମନା କରିଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Tags: #Education #Examination #ScienceAndCommerce #Result

Comment