ଓଡ଼ିଶାଲାଇଭ୍ ବ୍ୟୁରୋ

ଦରଦାମ୍ ବୃଦ୍ଧି, ମୁଦ୍ରାସ୍ଫୀତି, ଜିଏସଟି ଏବଂ ବେକାରୀ ସମସ୍ୟାକୁ ବିରୋଧ କରି ଶୁକ୍ରବାର ଦିନ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ସଂସଦର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କଂଗ୍ରେସ ସାଂସଦମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଲ୍ଲୀ ରାଜନୈତିକ ବାତାବରଣରେ ଆଜି କଂଗ୍ରେସର ତାତି ଦେଖିବାକୁ ମିଳିଛି।

ଦରଦାମ୍ ବୃଦ୍ଧି ପ୍ରସଂଗକୁ ନେଇ ବାରମ୍ବାର ସରକାରଙ୍କୁ ଘେରି ଆସୁଥିବା କଂଗ୍ରେସ ଆଜି ପୁଣି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। କଂଗ୍ରେସର ପୂର୍ବ ନିଷ୍ପତ୍ତି କ୍ରମେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିଲ୍ଲୀରେ ବିକ୍ଷୋଭ ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ ସାଂସଦ ଓ ବରିଷ୍ଠ ନେତାମାନଙ୍କୁ ଆନ୍ଦୋଳନ ବେଳେ ଉଠାଇ ନେଇଥିଲା ପୋଲିସ୍।

ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରୁ କଂଗ୍ରେସ ନେତା ଓ କର୍ମୀଙ୍କ ସହ ପ୍ରଦର୍ଶନରେ ବାହାରି ଥିଲେ ପ୍ରିୟଙ୍କା ଗାନ୍ଧୀ। କିନ୍ତୁ ତାଙ୍କୁ ଅଟକ ରଖିଲା ପୋଲିସ। କଂଗ୍ରେସ କର୍ମୀଙ୍କ ଭିଡ଼କୁ ଦେଖି ବହୁ ମାତ୍ରାରେ ସୁରକ୍ଷା କର୍ମୀ ମୁତୟନ କରାଯାଇଥିଲା। ଏପରିକି ପ୍ରତିବାଦ କରିବା ସମୟରେ ରାସ୍ତା ଉପରେ ବସି ପଡ଼ି ସରକାରଙ୍କ ଉପରେ ବର୍ଷି ଥିଲେ ପ୍ରିୟଙ୍କା ଗାନ୍ଧୀ। ଏହା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି।

ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରୁଥିବା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଅଟକ ରଖିଥିଲା ପୋଲିସ୍। ଆନ୍ଦୋଳନ ସ୍ଥଳରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ପୋଲିସ ଟାଣି ଟାଣି ଭ୍ୟାନ ଭିତରକୁ ନେଉଥିବା ଦେଖିବାକୁ ମିଳିଥିଲା। ଦେଶବ୍ୟାପୀ ଦିଆଯାଇଥିବା ବିକ୍ଷୋଭ ଆହ୍ଵାନ ପରିପ୍ରେକ୍ଷୀରେ ଦିଲ୍ଲୀରେ କଂଗ୍ରେସ ନେତା, ସାଂସଦ ଓ କର୍ମୀ ଜୋରଦାର ପ୍ରଦର୍ଶନ କରିଛନ୍ତି। ଦେଶର ସମସ୍ତ ରାଜ୍ୟର କଂଗ୍ରେସ ଶାଖା ପକ୍ଷରୁ ମଧ୍ୟ ଆନ୍ଦୋଳନ ହୋଇଛି।

ଓଡ଼ିଶା କଂଗ୍ରେସର ଆନ୍ଦୋଳାନ

କଂଗ୍ରେସର ନିଷ୍ପତ୍ତି ଅନୁସାରେ ଓଡ଼ିଶାରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ଵରେ କଂଗ୍ରେସ ନେତା ଏବଂ କର୍ମୀ ଆନ୍ଦୋଳନରେ ସାମିଲ ହୋଇଥିଲେ।

କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ ଓ ବରିଷ୍ଠ ନେତାମାନେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନ ଘେରାଉ ଅଭିଯାନ ଚଳାଇଥିବାବେଳେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରା କରିଥିଲେ। କଂଗ୍ରେସର ଶୋଭାଯାତ୍ରାକୁ ଦୃଷ୍ଟିରେ ରଖି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଥିଲା।

ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ

ଦରଦାମ ବୃଦ୍ଧି ଉଠାଇବାକୁ ସମସ୍ତ ସାଂସଦ ରାଷ୍ଟ୍ରପତି ଭବନ ଅଭିମୁଖେ ଯିବାକୁ ବାହାରିଥିଲେ ମଧ୍ୟ ସେମାନଙ୍କୁ ଦିଆଯାଇ ନଥିଲା। ପୋଲିସ୍ ବାରମ୍ବାର ପଥ ରୋଧ କରୁଥିଲା। ବ୍ୟାରିକେଡ ମଧ୍ୟ କରିଥିଲା। ତେବେ ବ୍ୟାରିକେଡ ଡେଇଁ ଦରଦାମ ବୃଦ୍ଧି ପ୍ରସଂଗରେ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ନାରାବାଜି କରିଥିଲେ ପ୍ରିୟଙ୍କା ଗାନ୍ଧୀ। ତାଙ୍କୁ ପୋଲିସ୍ କର୍ମୀ ହଟାଇବାକୁ ଚେଷ୍ଟା କରିବାକୁ ସେ ରାସ୍ତା ଉପରେ ଧାରଣାରେ ବସି ପଡ଼ିଥିଲେ।

ଅନ୍ୟ ପଟେ ପୋଲିସ୍ କହିଛି ସମ୍ପୃକ୍ତ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇ ନାହିଁ। ସେଠାରେ ୧୪୪ ଧାରା ଲାଗୁ କରାଯାଇଛି। କଂଗ୍ରେସ ସାଂସଦମାନେ ବାରମ୍ବାର ସେମାନଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି।

ବିକ୍ଷୋଭ ସମୟରେ ରାହୁଲ କହିଛନ୍ତି ଦେଶରେ ଗଣତନ୍ତ୍ରର ମୃତ୍ୟୁ ଘଟିବାକୁ ଯାଉଛି। ଶହେ ବର୍ଷ ତଳେ ଭାରତ ଯେପରି ଗଠିତ ହୋଇଥିଲା ବର୍ତ୍ତମାନ ତାହା ଧ୍ୱଂସ ଆଗଡ଼କୁ ଗତି କରୁଛି।  ଇତି ମଧ୍ୟରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆସି ସାଂସଦ ରାହୁଲ ଗାନ୍ଧୀ, ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟି ଥିଲେ। ଏହା ପରେ ମଧ୍ୟାହ୍ନରେ କଂଗ୍ରେସ ନେମାମାନଙ୍କୁ ଉଠାଇ ନେଇଥିଲା ପୋଲିସ୍।

ସାଂସଦଙ୍କ ସହ ଧସ୍ତାଧସ୍ତି

ବିକ୍ଷୋଭ ପ୍ରଦର୍ଶନ ବେଳେ ରାହୁଲ ଗାନ୍ଧୀ କହିଥିଲେ, “ସମସ୍ତ ସାଂସଦ ଦରଦାମ ବୃଦ୍ଧି ପ୍ରସଂଗ ଉଠାଇବା ପାଇଁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରୁଥିଲେ। କିନ୍ତୁ ସେମାନଙ୍କୁ ଯିବାକୁ ଦିଆଯାଇନଥିଲା। ଲୋକଙ୍କ ସମସ୍ୟା ସରକାରଙ୍କ ଅଗରେ ରଖିବା ଆମର କର୍ତ୍ତବ୍ୟ।”

ବିକ୍ଷୋଭରେ ସାମିଲ ହୋଇଥିବା କିଛି ସାଂସଦଙ୍କୁ ପୋଲିସ୍ ଉଠାଇ ନେଇଥିବାବେଳେ ଆଉ କେତେ ଜଣଙ୍କୁ ମାରପିଟ କରିଥିବା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, “ଦିନେ ହିଟଲର ମଧ୍ୟ ନିର୍ବାଚନ ଜିତିଥିଲେ। ଜର୍ମାନୀର ସବୁ ସଂସ୍ଥାକୁ ନିଜ ହାତକୁ ନେଇ ସେ ବାରମ୍ବାର ନିର୍ବାଚନରେ ବିଜୟୀ ହୋଇଥିଲେ।”

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଟାର୍ଗେଟ କରି ରାହୁଲ ଗାନ୍ଧୀ କହିଛନ୍ତି, ତାଙ୍କର ମାଇକ୍ରୋ ଅର୍ଥଶାସ୍ତ୍ର ଉପରେ ଜ୍ଞାନ ନାହିଁ। ଭାରତ ଅର୍ଥନୀତି କିପରି ଚାଲୁଛି ତା’ ଉପରେ ମଧ୍ୟ ଅର୍ଥମନ୍ତ୍ରୀ କିଛି ଜାଣନ୍ତି ନାହିଁ। ସେ କେବଳ ମୁଖପାତ୍ର ଭଳି କାର୍ଯ୍ୟ କରନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି।

Tags: #Politics #Congress #IndianPolitics #Inflation #India #PriyankaGandhi #RahulGandhi

Comment