ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ। ଆଜି ଅପରାହ୍ଣ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଚଳିତ ବର୍ଷ ଯୁକ୍ତ ୨ କଳାରେ ପାସ୍ ହାର ୮୨.୧୦ ପ୍ରତିଶତ ରହିଥିବାବେଳେ ଧନ୍ଦାମୂଳକ ଶିକ୍ଷାରେ ପାସହାର ୭୦.୩୫ ପ୍ରତିଶତ ରହିଛି। ଉଭୟ କଳା ଓ ଧନ୍ଦାମୂଳକ ପରୀକ୍ଷାରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।

ସନ୍ଧ୍ୟା ୫ଟାରୁ ଛାତ୍ରଛାତ୍ରୀମାନେ www.orissaresults.nic.in ଏବଂ www.chseodisha.nic.in ୱେବସାଇଟରୁ ପରୀକ୍ଷା ଫଳ ଦେଖିପାରିବେ ଏବଂ ମାର୍କ ସିଟ୍ ଡାଉନଲୋଡ କରିପାରିବେ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

କଳ ପରୀକ୍ଷା ଫଳ

ଚଳିତ ବର୍ଷ ଯୁକ୍ତ ୨ କଳାରେ ୨,୮,୩୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ପାସ କରିଛନ୍ତି ୧,୭୧,୨୮୮ ଜଣ। ଏହାର ପାସ୍ ହାର ରହିଛି ୮୨.୧୦ ପ୍ରତିଶତ। ଯୁକ୍ତ ୨ କଳାରେ ୨୮ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ପାସହାର ସର୍ବାଧିକ ଓ ସବୁଠାରୁ କମ୍ ରେଜଲ୍ଟ ହୋଇଛି ନବରଙ୍ଗପୁର ଜିଲ୍ଲାରେ। ଖୋର୍ଦ୍ଧାରେ ପାସହାର ୮୭.୮୦ ପ୍ରତିଶତ ରହିଥିବାବେଳେ ନବରଙ୍ଗପୁରରେ ୬୪.୧୬ ପ୍ରତିଶତ ରହିଛି।

ଧନ୍ଦାମୂଳକ ପରୀକ୍ଷା ଫଳ

ଚଳିତ ବର୍ଷ ଯୁକ୍ତ ୨ ଧନ୍ଦାମୂଳକ ପରୀକ୍ଷାରେ ପାସ ହାର ହେଉଛି ୭୦.୩୫ ପ୍ରତିଶତ। ମୋଟ ୫,୬୭୩ ଜଣ ଛାତ୍ରଛାତ୍ରୀ ଧନ୍ଦାମୂଳକ ପରୀକ୍ଷା ଦେଇଥିବାବେଳେ ୩,୫୯୧ ଜଣ ପାସ କରିଛନ୍ତି। ୧୯ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ ହୋଇଥିବାବେଳେ ୬ଟି କଲେଜରେ ରେଜଲ୍ଟ ଶୂନ ରହିଛି।

ଚଳିତ ବର୍ଷ ଯୁକ୍ତ ୨ ଧନ୍ଦାମୂଳକ ପରୀକ୍ଷାରେ ବାଲେଶ୍ଵର ଜିଲ୍ଲାରେ ପାସହାର ସର୍ବାଧିକ ରହିଛି। ଏଠାରେ ପାସହାର ହେଉଛି ୯୨.୮୯ ପ୍ରତିଶତ। କଳାହାଣ୍ଡି ଜିଲ୍ଲାରେ ସବୁଠାରୁ କମ୍ ୩୭.୨୯ ପ୍ରତିଶତ ରେଜଲ୍ଟ ହୋଇଛି।

ଏହା ପୂର୍ବରୁ ଗତ ଜୁଲାଇ ୨୭ ତାରିଖରେ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ଅପରାହ୍ଣ ୪ଟାରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ପରୀକ୍ଷା ଫଳ ଘୋଷଣା କରିଥିଲେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତ ବର୍ଷ ଯୁକ୍ତ ୨ ବିଜ୍ଞାନରେ ୯୪ ପ୍ରତିଶତ ଏବଂ ବାଣିଜ୍ୟରେ ୮୯ ପ୍ରତିଶତ ପାସହାର ହୋଇଥିବା ନେଇ ମନ୍ତ୍ରୀ ଘୋଷଣା କରିଥିଲେ।

Tags: #Education #Exam #Results #Odisha #+2Exam

Comment