ବିଶ୍ଵଜିତ ସାହୁ

ସେ ଲଢୁଆ ଯବାନ, ଆଉ ନାଟୁଆ ବି। ଦିନେ ଦେଶ ମାତୃକାର ସେବା ଲାଗି ସୀମାରେ ବନ୍ଧୁକ ଧରି ସେ ନାୟକ ସାଜିଥିଲେ, ଏବେ ଯାତ୍ରା ମଞ୍ଚରେ ସେ ନାୟକ। ଆକ୍ସନ ହେଉ କି ରୋମାନ୍ସ, ସବୁଥିରେ ତାଙ୍କ ମର୍ମସ୍ପର୍ଶୀ ଅଭିନୟ ଦର୍ଶକଙ୍କୁ ମତୁଆଲା କରେ। ସେ ମଞ୍ଚକୁ ଆସିଲେ ଦର୍ଶକେ କହନ୍ତି, ଆଜି ବହି ଜଳିବ। ସେ ହେଉଛନ୍ତି ଯାତ୍ରା ଜଗତର ଲୋକପ୍ରିୟ ଅଭିନେତା ବାପି ପଣ୍ଡା। ଅଭିନୟ ଦୁନିଆରେ ତାଙ୍କର ଲମ୍ବା ଅନୁଭୂତି ଓ ବ୍ୟକ୍ତିଗତ ଜୀବନ କଥାକୁ ସେ ଓଡ଼ିଶାଲାଇଭ୍‌ ଆଗରେ ବିସ୍ତୃତ ଭାବେ କହିଛନ୍ତି।ପିଲାବେଳୁ ଅଭିନୟ ଥିଲା ନିଶା

ବାଲେଶ୍ଵର ଜିଲ୍ଲା ମାକଲପୁର ଗ୍ରାମରେ ସମରେନ୍ଦ୍ର ପଣ୍ଡା ଓରଫ୍ ବାପିଙ୍କର ଜନ୍ମ। ଘରର ବଡ଼ପୁଅ। ତାଙ୍କ ପରେ ଆଉ ୫ ଜଣ ଭାଇ। ସାନଟିବେଳୁ ବାପିଙ୍କର ଅଭିନୟ ପ୍ରତି ଦୁର୍ବଳତା ଥିଲା। ଗାଁରେ ହେଉଥିବା ଯାତ୍ରା, ସିନେମା ଆଦିରେ କଳାକାରମାନଙ୍କୁ ଦେଖି ସେ ଅଭିନୟ ଦୁନିଆ ଆଡ଼କୁ ଆକର୍ଷିତ ହୋଇଥିଲେ। ଏପରିକି ଷଷ୍ଠ ଶ୍ରେଣୀରେ ପଢ଼ିବା ବେଳେ ସେ ମଞ୍ଚରେ ଅଭିନୟ କରିବା ଆରମ୍ଭ କରିଦେଇଥିଲେ। ଅଭିନୟର ନିଶାକୁ ଦିନେ ପେଶା କରିବାକୁ ସେ ସ୍ଵପ୍ନ ଦେଖିଥିଲେ।ସେନା ଚାକିରି ଶିଖାଇଥିଲା ଶୃଙ୍ଖଳା

ବାପି ପଣ୍ଡାଙ୍କ ବାପା ଭାରତୀୟ ନୌସେନାରେ ଚାକିରି କରିଥିଲେ। ତେଣୁ ତାଙ୍କ ପୁଅ ମଧ୍ୟ ଦେଶସେବା ପାଇଁ ସେନାରେ ଭର୍ତ୍ତି ହୁଅନ୍ତୁ ବୋଲି ସେ ଇଚ୍ଛା କରିଥିଲେ। ବାପାଙ୍କ ଦେହାନ୍ତ ପରେ ବାପି ସେନାରେ ଭର୍ତ୍ତି ହୋଇଥିଲେ। ସେ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍)ରେ ଯୋଗ ଦେଇଥିଲେ।

“ଭାରତୀୟ ସେନାରେ ଚାକିରି କରିବା ମୋ ପାଇଁ ଏକ ନୂଆ ଜନ୍ମ ଥିଲା। ଏକ ଶୃଙ୍ଖଳିତ ଜୀବନ ଜୀଇଁବା ମତେ ସେନା ଶିଖାଇଥିଲା। ସେନାରୁ ଶିଖିଥିବା ସେହି ଶୃଙ୍ଖଳା ଆଜି ବି ମୋ ଜୀବନରେ ବଜାୟ ରହିଛି। ସେଥିପାଇଁ ବୋଧେ ମୁଁ ସବୁ କ୍ଷେତ୍ରରେ ଫିଟ୍ ହୋଇପାରେ। ଶେଷ ନିଶ୍ଵାସ ଯାଏଁ ଏ ଶୃଙ୍ଖଳା ମୋ ସହ ରହିଥିବ”, କହନ୍ତି ବାପି।

ଅନ୍ଫିଟ୍ ଯବାନ ହେବାକୁ ଚାହିଁ ନଥିଲି

ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଥିବାବେଳେ ଏକ ମିଲିଟାରି ଅପରେସନରେ ବାପି ଦୁର୍ଘଟଣାର ଶିକାର ହୋଇଥିଲେ। ଏକ ଗ୍ରାନାଇଡ୍ ବିସ୍ଫୋରଣରେ ତାଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିଲା। ଏହାପରେ ସେ ଆଉ ସୀମା ସୁରକ୍ଷାରେ ରହିପାରିଲେନି। ତାଙ୍କୁ କାଟାଗୋରି ସି’କୁ ପଠାଇ ଦିଆଗଲା। ଯୁଦ୍ଧକ୍ଷେତ୍ରରେ ଲଢ଼ିବା ପାଇଁ ଏକପ୍ରକାର ଅନ୍‌ଫିଟ୍ ହୋଇଯାଇଥିଲେ ବାପି। ତେଣୁ ଅନ୍‌ଫିଟ୍ ଯବାନ ହୋଇ ସେନାରେ ରହିବାକୁ ସେ ପସନ୍ଦ କଲେନି। ଫଳରେ ଅବସର ପୂର୍ବରୁ ସେ ସେନା ଚାକିରି ଛାଡ଼ି ଘରକୁ ପଳାଇ ଆସିଲେ।

“ସେନା ଛାଡ଼ି ଗାଁକୁ ଫେରିବା ପରେ ସମାଜସେବାରେ ନିଜକୁ ନିୟୋଜିତ କଲି। ସଂକଳ୍ପ ନେଲି ମୁଁ ଗୋଟିଏ ଅନ୍‌ଫିଟ୍ ଯବାନ ସିନା ସେନା ଛାଡ଼ି ଆସିଛି। ତା’ ପ୍ରତି ବଦଳରେ ଦେଶ ମାଆର ସେବା ଲାଗି ଆଉ ୧୦ ଯବାନଙ୍କୁ ସେନା ପାଇଁ ମୁଁ ତିଆରି କରିବି। ତେଣୁ ଆମ ଗାଁରେ ପୂର୍ବରୁ ଥିବା ମହାବୀର କ୍ଲବରେ ସ୍ଥାନୀୟ ପିଲାଙ୍କୁ ଏକଜୁଟ କରି କୁସ୍ତି, ବ୍ୟାୟାମ, ଯୋଗଭ୍ୟାସ ଆଦିର ତାଲିମ ଦେଲି। ଏହାସହ ମନୋରଞ୍ଜନ ଲାଗି ସେହି ପିଲାମାନଙ୍କୁ ନେଇ କ୍ଲବ ପକ୍ଷରୁ ଗାଁସ୍ତରରେ ନାଟକ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଲା। ଏବେ ବି ସେ ଧାରା ଜାରି ରହିଛି”, କହନ୍ତି ବାପି ପଣ୍ଡା।ପୁଣି ଆରମ୍ଭ ହେଲା ମଞ୍ଚ ଅଭିନୟ

ଘରର ବଡ଼ ପୁଅ ଥିଲେ ବାପି। ତେଣୁ ସାନ ଭାଇମାନଙ୍କ ପାଠପଢ଼ା ସହ ଘରର ସମସ୍ତ ଦାୟିତ୍ଵ ତାଙ୍କ ଉପରେ ଥିଲା। ସେନା ଚାକିରି ଛାଡ଼ି ଆସିବା ପରେ ରୋଜଗାରର ବାଟ ବି ବନ୍ଦ ହୋଇଯାଇଥିଲା। ତେଣୁ ପିଲାବେଳର ଅଭିନୟ ନିଶାକୁ ପେଶା କରିବାକୁ ସେ ମନ ବଳାଇଥିଲେ।

ଏହାରି ମଧ୍ୟରେ ମୟୂରଭଞ୍ଜର ଏକ ଯାତ୍ରା ପାର୍ଟି ମୟୂରୀ ଗଣନାଟ୍ୟରୁ ତାଙ୍କୁ ଡକରା ଆସେ। ପାର୍ଶ୍ଵ ଅଭିନେତା ଚରିତ୍ର ପାଇଁ ସେ ଚୟନ ହୁଅନ୍ତି। ନାଟକର ନାଁ ଥାଏ ‘କଳା ମେଘ ଦେଖି ନାଚେ ମୟୂରୀ’। ହେଲେ ଏ ନାଟକ ପାଇଁ ଯିଏ ନାୟକ ଥାଆନ୍ତି କୌଣସି କାରଣରୁ ସେ ଅଭିନୟ କରିପାରିଲେ ନାହିଁ। ତେଣୁ ବାପିଙ୍କୁ ନାୟକ ହେବାକୁ ନିର୍ଦ୍ଦେଶକ କହିଥିଲେ। ଜୀବନର ପ୍ରଥମ ଅପେରା ନାଟକରେ ବାପି ନାୟକ ହୋଇଥିଲେ, ଆଉ ଖୁବ୍ ଚମତ୍କାର ଅଭିନୟ ମଧ୍ୟ କରିଥିଲେ। ଏହା ପରଠାରୁ ସେ ସବୁ ବହିରେ ନାୟକ ହେଲେ। ସେଦିନ ମଞ୍ଚ ଉପରେ ନାୟକ ସାଜିଥିବା ବାପି ପଣ୍ଡା ଆଜି ବି ସେହି ଧାରା ବଜାୟ ରଖିଛନ୍ତି। ବୟସର ଅପରାହ୍‌ଣରେ ଥାଇ ବି ମର୍ମସ୍ପର୍ଶୀ ଅଭିନୟ ପାଇଁ ସେ ସବୁ ନାଟକରେ ନାୟକ ହେଉଛନ୍ତି।୨୬ ବର୍ଷର ଅଭିନୟ ଯାତ୍ରା

ଯଲିଉଡ୍ ଦୁନିଆରେ ୨୬ ବର୍ଷ ପୂରଣ କରିସାରିଛନ୍ତି ବାପି। ୮ଟି ଅପେରାରେ ଅଭିନୟ କରି ସେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛନ୍ତି। ବାପି ପଣ୍ଡାଙ୍କ ଅଭିନିତ ନାଟକଗୁଡ଼ିକ ମଧ୍ୟରୁ କଳା ମେଘ ଦେଖି ନାଚେ ମୟୂରୀ, ଅର୍ଦ୍ଧାଙ୍ଗିନୀ, ପାକିସ୍ତାନ ଝିଅ ଭାରତକେ ଲିୟେ ସହିଦ, ମୃତ୍ୟୁଦଣ୍ଡ, ଡାକବଙ୍ଗଳା, କଳାରଙ୍ଗ ନାହିଁ କଳା ନାୟକ, ତୋ ନାଁ ସାଥେ ମୋ ନାଁ ଦେଇଛି ଯୋଡ଼ି, ଟିକିଲି ହଜିଲା ସିନ୍ଦୁର ପାଇଁ, କୋଟିଏ ତାରାରେ ଗୋଟିଏ ଜହ୍ନ, ମୃତ୍ୟୁ ପରର ମଣିଷ ଆଦି ନାଟକରେ ବାପିଙ୍କ ଅଭିନୟକୁ ଦର୍ଶକମାନେ ଢେର୍ ପ୍ରଶଂସା କରିଛନ୍ତି।

Tags: #BapiPanda #Jollywood #Jatra #Apera #OdiaJatra #ବାପିପଣ୍ଡା #ଯଲିଉଡ୍ #ଯାତ୍ରା

Comment