ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁଦୃଶ ଲଘୁଚାପରେ ପରିଣତ ହେଲା ଅବପାତ
  • ପ୍ରବଳ ବର୍ଷା ପାଇଁ ୯ ଜିଲ୍ଲାକୁ ଆରେଞ୍ଜ ଓ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ୧୩ରୁ ପୁଣି ସକ୍ରିୟ ହେବ ମୌସୁମୀ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗତକାଲି ସନ୍ଧ୍ୟାରେ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଥିବା ଅବପାତ ଧୀରେ ଧୀରେ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ସକାଳେ ଛତିଶଗଡ଼ର ରାୟପୁର ଅଞ୍ଚଳରେ ପହଞ୍ଚିଥିଲା। ତାହା ଦୁର୍ବଳ ହୋଇ ଗୋଟିଏ ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ମୌସୁମୀ ଜନିତ ନିମ୍ନ ଚାପରେଖା ଝାରସୁଗୁଡ଼ାରୁ ଚାନ୍ଦବାଲି ଦେଇ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି। ଲଘୁଚାପ ଏବେ ଅବପାତରେ ପରିଣତ ହୋଇଥିବାରୁ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୁଭଞ୍ଜ ଏବଂ ବାଲେଶ୍ଵର। ଏହି ଜିଲ୍ଲାଗୁଡ଼ିକରେ ବର୍ଷାର ପରିମାଣ ୭ରୁ ୧୦ ସେଣ୍ଟି ମିଟର ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାରିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଏହାଛଡ଼ା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ସୋନପୁର, ବୌଦ୍ଧ, ନୂଆପଡ଼ା, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭଗ।

ଆସନ୍ତା ଗୁରୁବାରଠାରୁ ବର୍ଷାର ପରିମାଣ ସାମାନ୍ୟ କମିବ। କିନ୍ତୁ ୧୩ ତାରିଖଠାରୁ ମୌସୁମୀ ପୁଣି ସକ୍ରିୟ ହେବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ମୌସୁମୀ ସକ୍ରିୟ ହେଲେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ପରିମାଣ ପୁଣି ବଢ଼ିବ ବୋଲି କୁହାଯାଉଛି।

Tags: #Weather #HeavyRainFall #MetrologyDepartment #Warning #LowPressure

Comment