ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜନସଂଖ୍ୟାକୁ ସ୍ଥିର ରଖିବା ଦିଗରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନିଆରା ଯୋଜନା ହାତକୁ ନିଆଯାଇଛି। ନୂଆ କରି ବିବାହ କରିଥିବା ଦମ୍ପତିଙ୍କୁ ଉପହାର ସ୍ଵରୂପ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ନବଦମ୍ପତି କିଟ୍’ ପ୍ରଦାନ କରାଯିବ। ଏହିପରି ଯୋଜନା ପ୍ରଥମ କରି ଓଡ଼ିଶାରେ ଲାଗୁ ହେବାକୁ ଯାଉଛି। ଜନସଂଖ୍ୟା ନିୟନ୍ତ୍ରଣ ସମ୍ପର୍କରେ ନବଦମ୍ପତିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା ସେପ୍ଟେମ୍ବର ମାସଠାରୁ ଏହି ଯୋଜନାର ଶୁଭାରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ଏହି ଯୋଜନା ଉଭୟ ସହର ଓ ଗ୍ରାମାମଞ୍ଚଳରେ କାର୍ଯ୍ୟକାରୀ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନବଦମ୍ପତିଙ୍କୁ ଦିଆଯିବାକୁ ଥିବା ଏହି କିଟରେ ୫୦୦ଟଙ୍କା ମୂଲ୍ୟର ପରିବାର କଲ୍ୟାଣ ପୁସ୍ତିକା, ନଖ କଟା, ଦର୍ପଣ, ପାନିଆ, ଟିକିଲି, ରୁମାଲ, ତଉଲିଆ, କଣ୍ଡୋମ, ଓରାଲ କଣ୍ଟ୍ରାସେପ୍ଟିକ ପିଲ୍ସ, ପ୍ରେଗନେନ୍ସି ଟେଷ୍ଟିଂ କିଟ୍, ଏମର୍ଜେଜେନ୍ସି କଣ୍ଟ୍ରାସେପ୍ଟିକ ପିଲ୍ସ ଓ ବିବାହ ପଞ୍ଜିକରଣ ଫର୍ମ ଆଦି ରହିବ। ଆଶାକର୍ମୀମାନେ ନବଦମ୍ପତିଙ୍କୁ ଚିହ୍ନଟ କରି ଏହି ଉପହାର ପ୍ରଦାନ କରିବେ। 

ଦମ୍ପତିଙ୍କୁ ବିଳମ୍ବରେ ସନ୍ତାନ ଜନ୍ମ କରିବା ସହ ପ୍ରଥମ ସନ୍ତାନ ଏବଂ ଦ୍ଵିତୀୟ ସନ୍ତାନ ମଧ୍ୟରେ ୩ ବର୍ଷର ବ୍ୟବଧାନ ରଖିବା ପାଇଁ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପୁରୁଷମାନେ ବନ୍ଧ୍ୟାକରଣ ପାଇଁ ଅମଙ୍ଗ ହେଉଥିବାରୁ ସେମାନଙ୍କ ବନ୍ଧ୍ୟାକରଣ ଉପରେ ବିଭାଗ ପକ୍ଷରୁ ଗୁରୁତ୍ଵ ଦିଆଯାଉଛି। ୨୦୨୧-୨୨ ବର୍ଷରେ ରାଜ୍ୟରେ ୮୨,୧୫୨ ଜଣ ମହିଳାଙ୍କର ବନ୍ଧ୍ୟାକରଣ କରାଯାଇଥିବାବେଳେ ମାତ୍ର ୯୯୧ ପୁରୁଷଙ୍କ ବନ୍ଧ୍ୟାକରଣ କରାଯାଇଛି।

Tags: #HealthDepartment #HealthAndFamilyWelfareDept #NewlyMarriedCouple #NabadampatiKit

Comment