ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଆଶଙ୍କା ବଢୁଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢ଼ିବାରେ ଲାଗିଛି। ମହାନଦୀ ସହ ବୈତରଣୀ ଏବଂ ଜଳକା ନଦୀରେ ଜଳସ୍ତର ବଢ଼ୁଛି। ଏହି ତିନି ନଦୀର ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖାଯାଇଛି। ଜଳସ୍ତର ବଢ଼ୁଥିବାରୁ ହୀରାକୁଦର ଗୋଟିଏ ପରେ ଗୋଟିଏ ଗେଟ ଖୋଲାଯାଉଛି। ବର୍ତ୍ତମାନ ସୁଦ୍ଧା ୨୮ଟି ଗେଟ ଖୋଲାଯାଇଛି। ପାଣି ବଢ଼ିଲେ ଆହୁରି ଅଧିକ ଗେଟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।

ସେ କହିଛନ୍ତି ଆହୁରି ଗେଟ ଖୋଲିଲେ ତଳିଆ ଅଞ୍ଚଳରେ ସ୍ଵଳ୍ପ ଧରଣ ବନ୍ୟା ହେବାର ଆଶଙ୍କା ରହିଛି। ଛତିଶଗଡ଼ରେ ବର୍ଷା ଲାଗି ରହିଥିବାରୁ ଏହା ପ୍ରଭାବରେ ମହାନଦୀରେ ଜଳସ୍ତର ବଢ଼ିବାକୁ ଲାଗିଛି। କେବଳ ମହାନଦୀ ନୁହେଁ ବୈତରଣୀ ଏବଂ ଜଳକା ନଦୀ ମଧ୍ୟ ଫୁଲିବାକୁ ଲାଗିଛି। ବନ୍ୟା ଆଶଙ୍କା ରହିଥିବାରୁ ସମସ୍ତ ବିଭାଗୀୟ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ନଦୀଗୁଡ଼ିକର ସ୍ଥିତି ସହ ଦୁର୍ବଳ ନଦୀ ବନ୍ଧ ଉପରେ ମଧ୍ୟ କଡ଼ା ନଜର ରଖାଯାଇଛି। ସବୁ ପରିସ୍ଥିତିର ମୁକାବିଲା ଲାଗି ବିଭାଗ ପ୍ରସ୍ତୁତ ରହିଥିବା ବିଜୟ ମିଶ୍ର କହିଛନ୍ତି।

ହୀରାକୁଦରୁ ଛଡ଼ା ଯାଉଥିବା ପାଣି ଆସନ୍ତାକାଲି ସକାଳ ପ୍ରାୟ ୮ଟା ୩୦ ମିନିଟରେ ମୁଣ୍ଡୁଳିରେ ପହଞ୍ଚିବ ବୋଲି ସେ କହିଛନ୍ତି। ଦେବୀ ନଦୀ, ଇବ ନଦୀ, ବ୍ରାହ୍ମଣୀ ନଦୀ, ବୈତରଣୀ ନଦୀ, ବୁଢାବଳଙ୍ଗ ଏବଂ ସୁବର୍ଣ୍ଣରେଖାରେ ମଧ୍ୟ ଜଳସ୍ତର ବଢୁଛି। ବର୍ତ୍ତମାନ ଜଳଭଣ୍ଡାରକୁ ୪ ଲକ୍ଷ ୪୯ ହଜାର ୫୦୮ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ୨୮ଟି ଗେଟ ଦେଇ ୪ ଲକ୍ଷ ୭ ହଜାର ୩୫ ଘନଫୁଟ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୭.୦୮ ଫୁଟରେ ପହଞ୍ଚିଛି। ଆବଶ୍ୟକ ହେଲେ ଅଧିକ ଗେଟ୍ ଖୋଲାଯିବାର ସମ୍ଭାବନା ରହିଛି ବୋଲି ବିଭାଗୀୟ ଯନ୍ତ୍ରୀ ସୂଚନା ଦେଇଛନ୍ତି।

ବନ୍ୟା ଆଶଙ୍କା ଥିବାରୁ ସମ୍ବଲପୁର ପ୍ରଶାସନ ଡାକବାଜି ଯୋଗେ ସ୍ଥାନୀୟ ଲୋକଙ୍କୁ ସଚେତନ କରାଉଛନ୍ତି। ତଳୁଆ ଅଞ୍ଚଳକୁ ଜଳ ପ୍ରବାହ ତୀବ୍ର ଥିବାରୁ ନଦୀକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଛି।

Tags: #Mahanadi #Flood #Rainfall #Odisha #Warning #Awarness

Comment