ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଉଛି ‘ଆଜାଦୀକା ଅମୃତ ମହୋତ୍ସବ’। ଏହା ଅଧୀନରେ ଆୟୋଜିତ ହେଉଛି ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ। ଏହି କ୍ରମରେ ଭୁବନେଶ୍ୱରର ପ୍ରିତୀଶା ଦାଶ ୭୬ ତମ ସ୍ଵାଧୀନତା ଦିବସକୁ ନିଆର ଢଙ୍ଗରେ ପାଳନ କରିବା ପାଇଁ ପ୍ରୟାସ କରିଛନ୍ତି।

ସଫ୍ଟଓୟାର ଇଞ୍ଜିନିଅର ପ୍ରିତୀଶାଙ୍କ ହାତରନ୍ଧା ସ୍ୱତନ୍ତ୍ର ଖାଦ୍ୟପଦାର୍ଥରେ ଦେଖିବାକୁ ମିଳିଛି ତ୍ରିରଙ୍ଗାର ଝଲକ। ଓଡ଼ିଶାର ପ୍ରତିଟି ପ୍ରସିଦ୍ଧ ଖାଦ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଉଦ୍ଦେଶ୍ୟରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଏଥିରେ ବ୍ୟବହୃତ ସାମଗ୍ରୀର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଲେଖା ସୋସିଆଲ ମିଡିଆରେ ପୋଷ୍ଟ କରିଥାନ୍ତି। ସ୍ୱାଧୀନତା ଦିବସ ପୂର୍ବରୁ ସେ ନାରଙ୍ଗୀ, ଧଳା ଏବଂ ସବୁଜ ରଙ୍ଗର ବ୍ୟବହାର କରି ସ୍ଵାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଛନ୍ତି।

ତ୍ରିରଙ୍ଗା ପତାକାର ତିନି ରଙ୍ଗର ପେଷ୍ଟ୍ରି, ସ୍ମୁଦି, ପଲାଉ, ଦୋସା ଏବଂ ବର୍ଫି ଭଳି ସ୍ୱାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ୭୬ ତମ ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ ପାଇଁ ତାଙ୍କର ଏହି ନିଆର ପ୍ରୟାସ।

ତାଙ୍କ ଖାଦ୍ୟର ବିଶେଷତ୍ଵ ହେଉଛି। ସେ ଖାଦ୍ୟ ପ୍ରସ୍ତୁତି ପାଇଁ କୌଣସି ରଙ୍ଗର ବ୍ୟବହାର କରିନାହାନ୍ତି। ପେଷ୍ଟ୍ରି ଏବଂ ସ୍ମୁଦି ପ୍ରସ୍ତୁତ ପାଇଁ ଗ୍ରୀନ୍ ଆପଲ୍ କ୍ରସ୍, ଅରେଞ୍ଜ କ୍ରସ୍ ଏବଂ ନଡ଼ିଆ ରସ ବ୍ୟବହାର କରିଛନ୍ତି। ନାରଙ୍ଗୀ ରଙ୍ଗର ପଲାଉ ପ୍ରସ୍ତୁତି ପାଇଁ ସେ ଟମାଟୋ ବ୍ୟବହାର କରିଥିବାବେଳେ ସବୁଜରଙ୍ଗର ପଲାଉ ପ୍ରସ୍ତୁତିରେ ଧନିଆ, ପୋଦିନା ଓ ରସୁଣ ବ୍ୟବହାର କରିଥିବା ସେ କୁହନ୍ତି। ସେହିପରି ଅଶୋକଚକ୍ର ପାଇଁ ସେ ଲବଙ୍ଗର ବ୍ୟବହାର କରିଛନ୍ତି।

ଦୋସାରେ ସେ ସୋଦୁଅର ଉପରି ଭାଗକୁ ଗାଜର କୋରାରେ ରଙ୍ଗାଇଥିବାବେଳେ ନିମ୍ନଭାଗକୁ ଧନିଆ, ପୋଦିନା ଓ କଞ୍ଚାଲଙ୍କାରେ ରଙ୍ଗୀନ କରିଛନ୍ତି। ତେବେ ସ୍ୱାଧୀନତା ଦିବସ ଅବସରରେ ସମସ୍ତେ ନିଜ ନିଜ ଘରେ ଏହିପରି କିଛି କିଛି ଖାଦ୍ୟ ପ୍ରସ୍ତୁତ କରି ପ୍ରିୟଜନଙ୍କୁ ପରଷିବାକୁ ପରାମର୍ଶ ଦେଇଛନ୍ତି ପ୍ରିତୀଶା ଦାଶ।

Tags: #IndependenceDay #Triranga #Food #AjadiKaAmritMahostav

Comment