ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି। ଜଳ ଘେରରେ ଅନେକ ପରିବାର। କେଉଁଠି ଘାଇ ସୃଷ୍ଟି ହୋଇଛି ତ, ଆଉ କେଉଁଠି ବନ୍ୟା ପାଣିରେ ଘର ବୁଡ଼ିଯାଇଛି। ଗତ ୩ରୁ ୪ ଦିନ ହେବ ବନ୍ୟା ପ୍ରଭାବିତ ଲୋକଙ୍କ ଦୁର୍ଦଶା ବଢ଼ିବାକୁ ଲାଗିଛି। ବନ୍ୟା ପ୍ରଭାବିତ ଲୋକଙ୍କ ରାତିଦିନ ଏବେ ଏକ ହୋଇଯାଇଛି। ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ପ୍ରଶାସନର ପ୍ରୟାସ ଜାରି ରହିଛି।

ରାଜ୍ୟରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ ପ୍ରଶାସନିକ ସ୍ତରରେ ସମୀକ୍ଷା ଉପରେ ସମୀକ୍ଷା ଚାଲିଛି। ବନ୍ୟା ପରିସ୍ଥିତିର ସମୀକ୍ଷା କରି ଆଗାମୀ ୨୪ ଘଣ୍ଟା ଗୁରୁତ୍ଵପୂର୍ଣ୍ଣ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା। ବନ୍ୟା ସମ୍ପର୍କିତ ଏସଆରସିଙ୍କ ସୂଚନା ଅନୁସାରେ ରାଜ୍ୟର ପ୍ରାୟ ୨ ଲକ୍ଷ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ପ୍ରାୟ ୨୬ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପ୍ରଭାବିତ ୧୦ଟି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ବନ୍ୟା ଯୋଗୁଁ ରାଜ୍ୟର ୪୯ଟି ବ୍ଲକ୍, ୩୬୯ଟି ଗ୍ରାମ ପଞ୍ଚାୟତ ଏବଂ ୧,୩୬୬ଟି ଗାଁ ପ୍ରଭାବିତ ହୋଇଛି। ଜଳଘେରରେ ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ଫସି ରହିଛନ୍ତି। ୨୩୭ଟି ଗାଁର ଲୋକ ଜଳଘେରରେ ରହିଥିବା ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ବନ୍ୟା ପ୍ରଭାବିତ ୨୬ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ରଖାଯିବା ସହ ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଯାଉଛି। ପ୍ରଶାସନ ଏବଂ ଜଳସମ୍ପଦ ବିଭାଗର ନିଷ୍ପତ୍ତି କ୍ରମେ ହୀରାକୁଦର ୪୦ଟି ଗେଟ ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି ବୋଲି ଏସଆରସି କହିଛନ୍ତି।

ରାଜ୍ୟର ୧୦ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ପରିସ୍ଥିତି ଦେଖି ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ଲୋକଙ୍କୁ ସତର୍କ ରହିବା ଲାଗି ଡାକବାଜି ଯନ୍ତ୍ର ସହାୟତାରେ ସଚେତନ କରିବାକୁ ଜିଲ୍ଲା ପ୍ରଶାସନକୁ ପରାମର୍ଶ ରହିଛି।

Tags: #Flood #FloodSituation #FloodInOdisha #SRC #Dist

Comment