ଓଡ଼ିଶାଲାଇଭ୍ ବ୍ୟୁରୋ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ରାହାମା ନିକଟରେ ଆଉ ଏକ ଘାଇ ସୃଷ୍ଟି ହୋଇଛି। ତେରମାଣପୁର ନିକଟ ମହାନଦୀ ଘେରିବନ୍ଧରେ ୬୦ ଫୁଟର ଘାଇ ସୃଷ୍ଟି ହେବାରୁ ତେରମାଣପୁର ଏବଂ କୋଟସାହି ଗାଁରେ ବନ୍ୟା ପାଣି ପଶିଯାଇଛି। ମଙ୍ଗଳବାର ଦିନ ଦୁଇଟି ଘାଇ ସୃଷ୍ଟି ହୋଇଥିଲା।

ଆଜି ଘେରିବନ୍ଧରେ ୬୦ ଫୁଟର ଘାଇ ସୃଷ୍ଟି ହେବାରୁ ତେରମାଣପୁର ଏବଂ କୋଟସାହି ଗାଁର ପ୍ରାୟ ୨୦୦ ପରିବାର ଜଳଘେରରେ ରହିଛନ୍ତି। ଘରଗୁଡ଼ିକରେ ପାଣି ପଶିଥିବାରୁ ଲୋକେ ଜୀବନ ବଞ୍ଚାଇବାକୁ ଗାଁରୁ ବାହାରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଅନ୍ୟପଟେ ଉଦ୍ଧାରକାରୀ ଦଳ ପହଞ୍ଚି ଲୋକଙ୍କୁ ପାଣିଘେରରୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି।

ଗତକାଲି ଦୁଇଟି ଘାଇ ସୃଷ୍ଟି ହୋଇଥିଲେ ମଧ୍ୟ ଲୋକେ ଘର ଛାଡ଼ୁନଥିଲେ। କିନ୍ତୁ ଆଜି ଆଉ ଏକ ଘାଇ ସୃଷ୍ଟି ହୋଇ ଗାଁ ବୁଡ଼େଇ ଦେଇଛି। କିଏ ଅଧା ରୋଷେଇ କରିଛି ତ ଆଉ କିଏ ଛୁଆକୁ ଖୁଆଇବାକୁ ଯାଉଛି, ଏତିକି ବେଳେ ମାଡ଼ିଆସିଲା ବନ୍ୟାପାଣି। ବର୍ଷକର ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ମୂଲବାନ ଜିନିଷପତ୍ର ଛାଡ଼ି ସମସ୍ତେ ଜୀବନ ବିକଳରେ ଶୁଖିଲା ସ୍ଥାନକୁ ଦୌଡ଼ିଥିଲେ ବୋଲି ତେରମାଣପୁର ଗ୍ରାମର ଜଣେ ମହିଳା କହିଛନ୍ତି। ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବେଳେ ସେମାନଙ୍କ ସବୁକିଛି ବନ୍ୟା ପାଣି ଧୋଇ ନେଇଛି।

Tags: #Flood #FloodSituation #FloodInOdisha #FloodInKujangBlock #Breach

Comment