ଓଡ଼ିଶାଲାଇଭ୍ ବ୍ୟୁରୋ

ବନ୍ୟା ହେଉ କିମ୍ବା ବାତ୍ୟା। ଏହିଭଳି ପରିସ୍ଥିତିରେ ରାଜ୍ୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧି ପାଇଥାଏ। କିଛି ବ୍ୟବସାୟୀ ପନିପରିବାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ଅଭାବ ରହିଥିବା ଦର୍ଶାଇ ମନଇଚ୍ଛା ଦର ବୃଦ୍ଧି କରିଆସୁଛନ୍ତି। ଏହି କ୍ଷେତ୍ରରେ ଅଭିଯୋଗ ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି।

ବର୍ତ୍ତମାନ ରାଜ୍ୟରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ଦେଖି କିଛି ବ୍ୟବସାୟୀ ମନଇଚ୍ଛା ଦରବୃଦ୍ଧି କରି ଗ୍ରାହକଙ୍କୁ ଲୁଟୁଥିବା ଅଭିଯୋଗ ହେଉଛି। କଳାବଜାରୀ ଉପରେ ରୋକ ଲାଗାଇବାକୁ ସୋମବାର ଦିନ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ତାଗିଦ କରିଛନ୍ତି।

ମନ୍ତ୍ରୀ କହିଛନ୍ତି, “ବନ୍ୟା ଭଳି ବିପଦ ସମୟରେ ମନଇଚ୍ଛା ଦରଦାମ ବୃଦ୍ଧି କରି ଗ୍ରାହକଙ୍କୁ ଠକୁଥିବା ବ୍ୟବସାୟୀ ଧରାପଡ଼ିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଭଳି ପରିସ୍ଥିତିରେ ଯେଉଁମାନେ ଦରଦାମ ବୃଦ୍ଧି କରୁଛନ୍ତି ସେମାନଙ୍କ ଉପରେ ନଜର ରଖିବା ଲାଗି ବିଭାଗର ଇଣ୍ଟେଲିଜେନ୍ସ ଉଇଙ୍ଗ୍ସ ଏବଂ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। କଳାବଜାରୀ କରୁଥିବା ବେଳେ ଧରାପଡ଼ିଲେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।”

ବନ୍ୟା ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ଯୋଗାଣ ବିଷୟରେ ମନ୍ତ୍ରୀ କହିଛନ୍ତି, ପ୍ରଭାବିତ ଜିଲ୍ଲା ଗୁଡ଼ିକରେ ଆବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଣ କରାଯାଉଛି। ଲୋକଙ୍କୁ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୧୫ ଦିନିଆ ରିଲିଫ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ସହ ରାସ୍ତାଘାଟର ମରାମତି ସାଙ୍ଗକୁ ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସେମାନଙ୍କ ପାଇଁ ସମସ୍ତ ସୁବିଧା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Tags: #FloodSituation #FloodInOdisha #FoodSuppy #FoodSuppliesAndConsumerWelfareDept #AtanuSabyasachiNayak #BlackMarket

Comment