ଓଡ଼ିଶାଲାଇଭ୍ ବ୍ୟୁରୋ

 

ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କା ଟଳିଥିଲେ ମଧ୍ୟ ଲୋକଙ୍କ ଦୁଃଖ ଦୁର୍ଦଶା କମିନି। ବନ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା, ଭୋଗରାଇ ଏବଂ ଜଳେଶ୍ୱର ବ୍ଲକ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ବାଲେଶ୍ୱର ସଦର ଏବଂ ରେମୁଣା ବ୍ଲକର ମୋଟ ୧୫୧ଟି ଗାଁ ପାଣି ଘେରରେ ରହିଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ବନ୍ୟାଅଞ୍ଚଳରେ ଫସିରହିଥିବା ୪୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ୱର ସହ ମୟୂରଭଞ୍ଜର କିଛି ଅଞ୍ଚଳ ମଧ୍ୟ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ତଳିଆ ଅଞ୍ଚଳଗୁଡ଼ିକ ବନ୍ୟାପାଣିରେ ବୁଡ଼ି ରହିଛି। ରାସ୍ତା ଘାଟ ସହ ଚାଷଜମି ପାଣିରେ ବୁଡ଼ି ଏକାକାର ହୋଇଯାଇଛି। ଲୋକଙ୍କର ବର୍ଷକର ସାଇତା ଖାଦ୍ୟଶସ୍ୟ ସହ ଅନ୍ୟାନ୍ୟ ଜିନିଷ ପତ୍ର ଧୋଇନେଇଛି ବନ୍ୟା ପାଣି। ପାଣି କମୁଥିଲେ ମଧ୍ୟ ଲୋକଙ୍କ ଦୁର୍ଦଶା ବଢ଼ିଯାଇଛି।

ବନ୍ୟା ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ଆହୁରି ଦୁଇଦିନ ପର୍ଯ୍ୟନ୍ତ ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଲାଗି ରହିବ। ଧୀରେ ଧୀରେ ଉପୁଜିଥିବା ବନ୍ୟା ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର। ତାଙ୍କ ସୂଚନା ଅନୁସାରେ ଗାଲୁଡ଼ିହ ଡ୍ୟାମରୁ ପାଣି ନିଷ୍କାସନ ହ୍ରାସ ପାଇଛି। ରାଜଘାଟରେ ସେଣ୍ଟ୍ରାଲ ୱାଟର କମିଶନଙ୍କ ଟିମ୍ ପହଞ୍ଚି ଜଳସ୍ତରର ତଦାରଖ କରିଛନ୍ତି। ନଦୀବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ସ୍ୱତନ୍ତ୍ର ଟିମ ନଜର ରଖିଥିବା ସେ ସୂଚନା ଦେଇଛନ୍ତି। ବନ୍ୟା ସରିସ୍ଥିର ମୁକାବିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍ ଅଧିକାରୀ ନୋଡାଲ ଅଫିସର ଭାବେ ନିୟୋଜିତ ହୋଇଛନ୍ତି। ଏହି ପରିସ୍ଥିତିରେ ରାଜ୍ୟରେ ପୁଣି ବର୍ଷା ହେବା ନେଇ ପାଣିପାଗ ବିଭାଗର ସୂଚନା ପରେ ଚିନ୍ତା ଆହୁରି ବଢ଼ିଯାଇଛି।

ଘାଇ ମରାମତି କାମ ଚାଲିଛି: ବିଜୟ ମିଶ୍ର

ବର୍ତ୍ତମାନ ବନ୍ୟା ସ୍ଥିତିରେ ସୁଧାର ଆସୁଛି। କେବଳ ମହାନଦୀ ସିଷ୍ଟମରେ ଘାଇ ହୋଇଛି। ଅନ୍ୟ କୌଣସି ନଦୀରେ ଘାଇ ହୋଇନାହିଁ। ଏବେ ଘାଇଗୁଡ଼ିକର ମରାମତି କାମ ଆରମ୍ଭ ହୋଇଛି। ପାଣି ଛାଡ଼ିଲେ ସ୍ଥାୟୀ ମରାମତି କରାଯିବ ବୋଲି କହିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର।

ସେ କହିଛନ୍ତି ସୁବର୍ଣ୍ଣରେଖାରେ ବନ୍ୟା ଯୋଗୁଁ ବିଶେଷ ଭାବେ ପ୍ରଭାବିତ ହୋଇଛି ଭୋଗରାଇ ବ୍ଲକ। ଜଳ ଧୀରେ ଧୀରେ ଛାଡ଼ୁଥିଲେ ମଧ୍ୟ ବର୍ତ୍ତମାନ ୨୪ଟି ପଞ୍ଚାୟତ ଜଳମଗ୍ନ ହୋଇରହିଛି। ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ସହ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି। ବନ୍ୟା ଯୋଗୁଁ ଗୃହପାଳିତ ପଶୁ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ବନ୍ଧ ଉପରେ ଆଶ୍ରୟ ଦିଆଯାଇଛି।

Tags: #Flood #FloodSituation #FloodAffectedArea

Comment