ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁକିଛି ଉଜାଡ଼ି ଦେଲା ବନ୍ୟା। ନା ଖାଇବାକୁ ଦାନା ଅଛି ନା ରହିବାକୁ ଘର। ସବୁକିଛି ବନ୍ୟା ପାଣିରେ ବୁଡ଼ି ରହିଛି। ସବୁ ଉଜୁଡ଼ିଯିବା ପରେ ଏବେ ରାସ୍ତାକଡ଼ରେ ଛିଣ୍ଡା ପାଲ ପାଲଟିଛି ଆଶ୍ରୟସ୍ଥଳ।

ବନ୍ୟା ଯୋଗୁଁ ସବୁକିଛି ହରାଇଥିବା ପରିବାର ଏବେ ରାସ୍ତା କଡ଼ରେ। ଆଶ୍ରୟ ଦେଉଛି ବାଉଁଶ ଖମ୍ବ ଆଉ ଛିଣ୍ଡା ପାଲ। କିଏ ମାଟି ଉପରେ ଶୋଇଛି ତ ଆଉ କିଏ ଜରି ଅଖା ପକାଇ ଛୁଆକୁ ଶୁଆଉଛି। ଏହିଭଳି ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର ପନ୍ତେଇ ଗାଁରେ। ସୁବର୍ଣ୍ଣରେଖାରେ ଆସିଥିବା ବନ୍ୟା ପାଣି ଯୋଗୁଁ ଏବେ ବେସାହାରା ହୋଇପଡ଼ିଛନ୍ତି ପନ୍ତେଇ ଗାଁର ପ୍ରାୟ ୧୦୦ ପରିବାର।

ବନ୍ୟା ପାଣିରେ ବୁଡ଼ିଯାଇଛି ଲୋକଙ୍କ ଘର। ଭାସିଯାଇଛି ବର୍ଷକର ସାଇତା ଜିନିଷପତ୍ର। ଉଜୁଡ଼ି ଯାଇଛି ଫସଲ। ସବୁକିଛି ଧୋଇ ହୋଇଯିବା ପରେ ଏବେ ଦୁର୍ଦଶା ଭୋଗୁଛନ୍ତି ଲୋକେ। କିଏ ସବୁକିଛି ହରାଇ ଦୁଃଖରେ ଭାଙ୍ଗିପଡ଼ିଛି ତ ଆଉ କିଏ ନିଜ ଛୁଆଙ୍କ ଭୋକିଲା ପେଟ ପାଇଁ ଖାଦ୍ୟ ଯୋଗାଡ଼ କରିବାକୁ ଉଦ୍ୟମ କରୁଛି।

“ଦିନକୁ ଗୋଟିଏ ଥର ରନ୍ଧା ଖାଦ୍ୟ ମିଳୁଛି। ୫ ଜଣ ପିଛା ୫୦୦ ଗ୍ରାମ ଚୁଡ଼ା ଆଉ ଗୁଡ଼ ମିଳୁଛି। ଯାହା ମିଳିଥିଲା ସବୁ ସରିଗଲାଣି।” କୋହଭଳ କଣ୍ଠରେ କହିଛନ୍ତି ଗ୍ରାମର ଜଣେ ବୃଦ୍ଧ।

ବନ୍ୟା ପାଣି ଘର ବୁଡ଼ାଇ ଦେବା ପରେ ପନ୍ତେଇ ଗାଁର ଲୋକେ ଏବେ ରାସ୍ତା କଡ଼ରେ ଆଶ୍ରୟ ନେଇଛନ୍ତି। ବାଉଁଶ ଖମ୍ବକୁ ପୋତି ତା’ ଉପରେ ପାଲ ଟାଣି ଆଶ୍ରୟ ନେବାକୁ ପ୍ରୟାସ ଜାରି ରଖିଛନ୍ତି ଗ୍ରାମବାସୀ। ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଜାଗା ମିଳୁନଥିବାବେଳେ ପୁଣି ବର୍ଷା ଆରମ୍ଭ ହୋଇଥିବାରୁ ପିଲାଛୁଆଙ୍କୁ ଧରି ଭୟଭୀତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ। ଗୃହପାଳିତ ପଶୁଙ୍କ ଅବସ୍ଥା ମଧ୍ୟ ସମାନ। ଏହିଭଳି ଘଟଣା ନୂଆ ନୁହେଁ। ଯେତେବେଳେ ବନ୍ୟା ଆସେ ଏହି ଗ୍ରାମବାସୀଙ୍କର ଦୁଃଖ ଦୁର୍ଦଶା ବଢ଼ିଯାଏ।

Tags: #Flood #FloodAffectedArea #FloodAffectedPeople #Bhogarai #PanteiVillage

Comment