ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠାରୁ ରାଜ୍ୟରେ ପୁଣି ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣପାଗ ବିଭାଗ। ଅବପାତ ଆଜି ପୂର୍ବ ରାଜସ୍ଥାନ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ଥିବାବେଳେ, ଏହା ପଶ୍ଚିମ ଦିଗରେ ନିଜର ଗତିପଥ ବଜାୟ ରଖିବା ସହ ଆସନ୍ତା ୧୨ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ପୁଣି ବର୍ଷା ହେବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଲାଗି ୮ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ।

ଏହାସହ ଆଉ ୨୦ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ଉତ୍ତର ଓଡ଼ିଶାର ସମସ୍ତ ୧୫ଟି ଜିଲ୍ଲା ଏବଂ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲା ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଜୁନ ୧ ତାରିଖରୁ ଅଗଷ୍ଟ ମାସ ୨୨ ତାରିଖ ମଧ୍ୟରେ ରାଜ୍ୟରେ ୯୪୧.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ଏହି ସମୟର ସ୍ଵାଭାବିକ ବର୍ଷା ୮୨୨.୯ ମିଲିମିଟର ତୁଳନାରେ ୧୪ ପ୍ରତିଶତ ଅଧିକ ରହିଛି। ଏହି ସମୟ ମଧ୍ୟରେ କନ୍ଧମାଳ (୭୧ ପ୍ରତିଶତ)ରେ ସ୍ଵାଭାବିକଠାରୁ ଅତ୍ୟଧିକ ବର୍ଷା ରେକର୍ଡ ହୋଇଛି।

ଦେବଗଡ଼, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ, କୋରାପୁଟ, ରାୟଗଡ଼ା ଏବଂ ଗଜପତି ଜିଲ୍ଲାରେ ସ୍ଵାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଥିବାବେଳେ ଅବଶିଷ୍ଟ ୨୨ଟି ଜିଲ୍ଲାରେ ସ୍ଵଭାବିକ ବର୍ଷା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ।

Tags: #Weather #MeteorologicalCentre #RainFall #HeavyRainFall #YellowWarning

Comment