ଓଡ଼ିଶାଲାଇଭ୍ ବ୍ୟୁରୋ

ପଦ୍ମଶ୍ରୀ କମଳା ପୂଜାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। କୋରାପୁଟ ଜୟପୁରସ୍ଥିତ ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି। କମଳା ପୂଜାରୀ କିଡନୀରୋଗରେ ପୀଡ଼ିତ ଥିବାବେଳେ ରବିବାର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। କୋରାପୁଟ ଜୟପୁରସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ତୁରନ୍ତ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ନଆସିବାରୁ ଆଜି ତାଙ୍କୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

୧୦୦ରୁ ଅଧିକ କିସମର ଲୁପ୍ତପ୍ରାୟ ଧାନ ବିହନ ସଂଗ୍ରହକରି ଚର୍ଚ୍ଚାକୁ ଆସିଥିଲେ ପଦ୍ମଶ୍ରୀ କମଳା ପୂଜାରୀ। କୌଣସି ରାସାୟନିକ ସାର ପ୍ରୟୋଗ ବିନା ଜୈବିକ ଉପାୟରେ ଚାଷ କରି ସେ ପାଲଟିଥିଲେ ସମଗ୍ର ଚାଷୀକୁଳ ତଥା ଦେଶବାସୀଙ୍କ ପାଇଁ ଉଦାହରଣ। ଏଥିପାଇଁ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା।

୧୯୪୭ ମସିହାରେ କୋରାପୁଟର ବୈପାରୀଗୁଡ଼ା ବ୍ଲକ୍ ଅନ୍ତର୍ଗତ କାଣ୍ଡକିଗୁଡ଼ା ଗାଁରେ କମଳା ପୂଜାରୀଙ୍କ ଜନ୍ମ। ବିବାହ ପରଠାରୁ କୋରାପୁଟର ପାତ୍ରପୁଟରେ ରହି ଆସୁଛନ୍ତି ସେ। ତାଙ୍କର ୨ଜଣ ପୁଅ ଓ ୨ ଜଣ ଝିଅ ଅଛନ୍ତି।

ପରିବେଶପ୍ରେମୀ କମଳା ପୂଜାରୀ ଜଙ୍ଗଲ ସୁରକ୍ଷା ଉଦ୍ଦେଶ୍ୟରେ ‘ତ୍ରିନାଥ ଠାକୁର ବନ ସୁରକ୍ଷା ସମିତି’ ନାମରେ ଏକ ସଂଘ ଗଢ଼ିଛନ୍ତି। ସଂଘରେ କେବଳ ମହିଳା ସଦସ୍ୟ ରହିଥିବାବେଳେ ବନୀକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି। ଜୟପୁରସ୍ଥିତ ଏମଏସ ସ୍ଵାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନରେୁ ଜୈବିକ କୃଷି ପଦ୍ଧତିର ତାଲିମ ନେଇ ଏହାକୁ କୃଷିକ୍ଷେତ୍ରରେ ଉପଯୋଗ ମଧ୍ୟ କରିଛନ୍ତି। କମଳା ପୂଜାରୀ ସଂଗ୍ରହ କରିଥିବା ବିଲୁପ୍ତ ପ୍ରାୟ ୧୦୦ରୁ ଅଧିକ କିସମର ଧାନ ବିହନ ମଧ୍ୟରେ ହଳଦୀଗଣ୍ଠି, ଝିଲି, ସପୁରୀ, ବୃଦ୍ଧମଣି, କଳାଜିରା, କାଲା ମଲ୍ଲିକ, ମାଛକଣ୍ଟା, ଲଦିଆରୀ, ବରପକ, ବିଲେନ, ଫୁରା,ଘଣ୍ଟିଆଧାନ, ହଳଦୀଗୁରୀ, ଉସୁରୀଚୁରୀ, ଗଣ୍ଠିଆ, ବଡ଼ିକାବରୀ ଓ ଲଲାଟ ଆଦି ରହିଛି।

ଅନେକ ପୁରସ୍କାର ଓ ସମ୍ମାନର ଅଧିକାରିଣୀ

ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ ହୋଇଥିବାବେଳେ କୃଷି ପ୍ରତି କମଳାଙ୍କ ଅବଦାନ ପାଇଁ ସେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି। ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗରେ ‘ଇକୱେଟର ଇନିସିଏଟିଭ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ୨୦୧୭ ମସିହାରେ କମଳାଙ୍କ ସମ୍ମାନାର୍ଥେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସକୁ ତାଙ୍କ ନାମରେ ନାମିତ କରାଯାଇଥିଲା। ୨୦୧୯ରେ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ଓଡ଼ିଶା ପାଇଁ ଗୌରବ ସାଉଁଟିଥିଲେ।

Tags: #padmashreekamalapujari #kidneydisease #admittedinscbcuttack #paddyseeds

Comment